ମାଲକାନଗିରି :  ମାଲକାନଗିରି ଜିଲ୍ଲାରୁ ଏକ ଦୁଃଖଦ ଖବର ସାମନାକୁ ଆସିଛି। ଶେଷ ଦିନର ମାଟ୍ରିକ ପରୀକ୍ଷା ଛାତ୍ରଙ୍କ ପାଇଁ  ହୋଇଛି ଶେଷ ଯାତ୍ରା। ବାଇକ୍‌ରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉ ଥିବା ବେଳେ ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ଜୀବନ ଚାଲି ଯାଇଛି। ସୂଚନା ଆଧାରରେ , ଆଜି ଦଶମ ଶ୍ରେଣୀ ପରୀକ୍ଷାର ଶେଷ ଦିନ ଥିଲା। ମାଲକାନଗିରି ଥାନା ସ୍ଥିତ ପଦ୍ମଗିରି ହାଇସ୍କୁଲରୁ ସେରପାଲି ପରୀକ୍ଷା କେନ୍ଦ୍ରକୁ ଦୁଇ ଜଣ ଛାତ୍ର ବାଇକ୍‌ ଯୋଗେ ଯାଉଥିଲେ। ଏହି ସମୟରେ ପଦ୍ମଗିରି ସେର ପାଲି ରାସ୍ତା ଚନ୍ଦନ ଗୁଡ଼ା ନିକଟରେ ଏକ ପିକ୍-ଅପ୍ ଭ୍ୟାନ୍ ବାଇକକୁ ଧକ୍କା ଦେଇ ଥିଲା। 

ଏଥିରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବେ ବେଳେ ଅନ୍ୟ ଜଣେ ଛାତ୍ର ଆହତ ହୋଇ ଥିଲେ। ମୃତକ ଛାତ୍ର ହେଲେ ପଦ୍ମଗିରି ପଞ୍ଚାୟତ ଏମଭି ୧୦୧ ଗ୍ରାମର ବିଶ୍ୱଜିତ ସରଦାରଙ୍କ ପୁଅ ବିକ୍ରମ ସର୍ଦ୍ଦାର (୧୭),  ଆହତ ଛାତ୍ର ହେଲେ ଶିବ ସରଦାରଙ୍କ ପୁଅ ଅବିନାଶ ସର୍ଦ୍ଦାର। ଏ ଦୁଇ ଜଣ ସମ୍ପର୍କରେ ଦୁଇ ଭାଇ ହେବେ। ଏମାନେ ପଦ୍ମଗିରି ହାଇସ୍କୁଲର ଛାତ୍ର ବୋଲି ଜଣାପଡିଛି। 

ଉଭୟ ଛାତ୍ର ମାଟ୍ରିକ ପରୀକ୍ଷା ଦେବାକୁ ଏକ ବାଇକ୍‌ ଯୋଗେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସେମାନେ ସେରପାଲି ପରୀକ୍ଷା କେନ୍ଦ୍ର ଅଭିମୁଖେ ଯାଉଥିବା ସମୟରେ ସେମାନଙ୍କ ବାଇକ୍‌କୁ ପିକ୍-ଅପ୍ ଭ୍ୟାନ୍ ଧକ୍କା ଦେଇ ଥିଲା। ବିକ୍ରମଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା, ଅନ୍ୟ ଜଣେ ଛାତ୍ର ଅବିନାଶ ସର୍ଦ୍ଦାର ଆହତ ହୋଇ ଥିଲେ। ଆହତ ଛାତ୍ରଙ୍କୁ ପାଣ୍ଡ୍ରି ପାଣି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ , ସେ ପରୀକ୍ଷା ଦେବାକୁ ଯାଇ ଥିବାର ଜଣା ପଡିଛି। 

ଏ ସମ୍ପର୍କରେ ମାଲକାନଗିରି ଥାନାକୁ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପଠାଇ ଥିଲା । ଏହାପରେ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଛି ପୁଲିସ । ବାଇକ ଓ ପିକଅପ ଭ୍ୟାନ ଜବତ ହୋଇଛି। ଉକ୍ତ ଘଟଣା ସମଗ୍ର ପଦ୍ମଗିରି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।