ଭୁବନେଶ୍ୱର, ୧୬/୦୬: ସାମାଜିକ ଗଣମାଧ୍ୟମରେ ଫେକ ଆକାଉଣ୍ଟ୍ ଖୋଲି ଜଣେ ଛାତ୍ରୀଙ୍କ ଫଟୋ, ଭିଡିଓ ପ୍ରଘଟ କରିବା ଓ ଫୋନ କରି ମାନସିକ ନିର୍ଯାତନା ଦେବା ଅଭିଯାଗରେ ଭରତପୁର ଥାନା ପୁଲିସ ପ୍ରଫେସର ଅଜିତ କୁମାର ଗୁପ୍ତାଙ୍କୁ ପୁଣିଥରେ ଗିରଫ କରିଛି । ଅଭିଯୁକ୍ତ ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରଫେସର ଭାବେ କାମ କରନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀ ପଶୁ ଚିକିତ୍ସା ବିଜ୍ଞାନ ବିଭାଗରେ ପଢୁଥିଲେ । ସେହି ଶିକ୍ଷାନୁଷ୍ଠାନର ପ୍ରଫେସର ଅଜିତ କୁମାର ଗୁପ୍ତା ଛାତ୍ରୀ ଜଣକଙ୍କ ସହ ପରିଚିତ ହେବା ପରେ ଭଲ ସମ୍ପର୍କ ବଢ଼ାଇଥିଲେ । ଗତ କିଛି ମାସ ପୂର୍ବରୁ ପ୍ରଫେସର ଅଜିତ ଛାତ୍ରୀ ଜଣକୁ ଭ୍ରମିତ କରି କୋଲକାତାରେ ପଶୁ ପ୍ରଦର୍ଶନୀରେ ଯୋଗ ଦେବାକୁ ଡାକି ନେଇଥିଲେ । ଏକଥା କାହାରିକୁ ନଜଣାଇବାକୁ କହିଥିଲେ । ତେବେ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କ ଆଗରେ କହିବାରୁ ସେମାନେ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ଜଣାଇଥିଲେ । ପରେ ପ୍ରଫେସର ଅଜିତଙ୍କୁ ଉକ୍ତ ଶିକ୍ଷାନୁଷ୍ଠାନ ଚାକିରିରୁ ବହିଷ୍କାର କରିଥିଲେ ।
ବହିଷ୍କାର ପରେ ଅଜିତ କୋଲକାତାର ଏକ ଶିକ୍ଷାନୁଷ୍ଠାନରେ କାମ କରୁଥିଲେ । ଏହି ଘଟଣାକୁ ନେଇ ପ୍ରଫେସର ଅଜିତ, ବିଭିନ୍ନ ନମ୍ୱରରୁ ଛାତ୍ରୀ ଜଣକୁ ଫୋନ କରି ମାନସିକ ନିର୍ଯାତନା ଦେଉଥିଲେ । ବିବାହ କରିବାକୁ ଚାପ ପକାଇ ସାମାଜିକ ଗଣମାଧ୍ୟମରେ ଏ କୁଣ୍ଡୁ ନାମରେ ଏକ ଫେକ ଆକାଉଣ୍ଟ୍ ଖୋଲି ଛାତ୍ରୀ ଜଣକଙ୍କର ଫଟୋ ଓ ଭିଡିଓକୁ ଏଡିଟ କରି ପୋଷ୍ଟ କରିଥିଲେ । ଏହା ସହ ଛାତ୍ରୀଙ୍କ ସମ୍ପର୍କୀୟ ଓ ତାଙ୍କ ମା’ଙ୍କୁ ପଠାଇବା ସହ ବିଭିନ୍ନ ଧମକ ଚମକ ଦେଇଥିଲେ । ଏନେଇ ଭରତପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଗତମାସ ୧୫ ତାରିଖରେ କୋଲକାତାରୁ ପ୍ରଫେସର ଅଜିତ ଗୁପ୍ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା ।
ଅଧିକ ପଢ଼ନ୍ତୁ :- Severe Accident: ଶେଷ ରଜରେ ଛାତିଥରା ଦୁର୍ଘଟଣା, ଦୁଇ ହାଇଓ୍ବା ମଧ୍ୟରେ ଧକ୍କା, ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର
ଜାମିନରେ ମୁକୁଳିବା ପରେ ପ୍ରଫେସର ଅଜିତ ଗୁପ୍ତା ପୁଣି ଉକ୍ତ ଛାତ୍ରୀଙ୍କ ଫଟୋ, ଭିଡିଓ ପ୍ରଘଟ କରିବା ସହ ଫୋନ୍ କରି ହଇରାଣ ହରକତ କରୁଥିଲେ । ଏନେଇ ପୁଣି ଛାତ୍ରୀ ଜଣଙ୍କ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଉ ଏକ ମାମଲା ରୁଜୁ କରିଥିଲା । ପୁଲିସ କୋଲକାତାରେ ଚଢ଼ଉ କରି ପ୍ରଫେସର ଅଜିତ ଗୁପ୍ତାଙ୍କୁ ପୁଣିଥରେ ଗିରଫ କରି ଆଣିଥିଲା । ତାଙ୍କୁ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।