ମାଲକାନଗିରି,୧୯/୨ (ରତ୍ନାକର ଦାଶ ) : ହାତ ବଦଳ ରେ ନିଜ ଗୋଡ ଆଙ୍ଗୁଠିରେ ଲେଖି ମାଟ୍ରିକ ପରିକ୍ଷା ଦେଇଛନ୍ତି ମାଲକାନଗିରି ଜିଲ୍ଲାର ଦିବ୍ୟାଙ୍ଗ ଆଦିବାସୀ ଛାତ୍ରୀ ଲକ୍ଷ୍ମୀ ଖେମୁଡୁ । ଗୋଡରେ ସମସ୍ତ ପ୍ରଶ୍ନର ଉତ୍ତର ଲେଖିଛନ୍ତି ଲକ୍ଷ୍ମୀ । ଦିବ୍ୟାଙ୍ଗ ହେଲେ ମଧ୍ୟ ପରୀକ୍ଷା ହଲରେ ଥକି ପଡିନାହିଁ ତାଙ୍କର ପାଦ, ମାଟ୍ରିକ ପରିକ୍ଷାରେ ଅନବରତ ଭାବେ ଲେଖିଛନ୍ତି ସମସ୍ତ ପ୍ରଶ୍ନର ଉତ୍ତର । ପରୀକ୍ଷାରେ ତାଙ୍କ ପାଇଁ ଲେଖିବା ଲାଗି ଷ୍କ୍ରାଇବ ନେଇ ପାରିଥାଆନ୍ତେ ଲକ୍ଷ୍ମୀ ହେଲେ ଏଥିରେ ରାଜି ନହୋଇ ଅନ୍ୟ ପିଲାଙ୍କ ସହ ସେ ହୁଇଲ ଚେୟାରରେ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଛନ୍ତି ।

ପରୀକ୍ଷା ପରେ ଖୁସି ମନରେ ହଲରୁ ହୁଇଲ ଚେୟାରରେ ବାହାରକୁ ଆସିଛନ୍ତି ଲକ୍ଷ୍ମୀ । ଆଖିରେ ରହିଛି ତାଙ୍କର ଆଖିଏ ସ୍ବପ୍ନ, ସେ ଅଧିକ ପାଠ ପଡ଼ି ଜଣେ ଆଦର୍ଶ ଶିକ୍ଷକ ହେବେ। ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୁଡା ଗ୍ରାମର ନାରାୟଣ ଖେମୁଡଙ୍କ ଝିଅ ଲକ୍ଷ୍ମୀ ସିନ୍ଦ୍ରୀମାଳ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ। ମାଟ୍ରିକ ପରୀକ୍ଷା ଲାଗି ଆଠ କିଲୋମିଟର ଦୁର ସତିଗୁଡା ଉଚ୍ଚ ବିଦ୍ୟାଳୟରେ ତାଙ୍କର ପରୀକ୍ଷା କେନ୍ଦ୍ର ପଡିଥିଲା । ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ବାଇକ ଧାର କରି ବାପା ମାଆ ଲକ୍ଷ୍ମୀକୁ ସତିଗୁଡା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଆଣିଥିଲେ । ସେଠାରେ ପୂର୍ବରୁ ଲକ୍ଷ୍ମୀ ପାଇଁ ସ୍ବତନ୍ତ ବ୍ୟବସ୍ଥା ହୋଇଥିବା ବେଳେ ହୁଇଲ ଚେୟାରେ ହଲ୍ ଭିତରକୁ ଯାଇ ପରୀକ୍ଷା ଦେଇଛନ୍ତି ଲକ୍ଷ୍ମୀ । ଦିବ୍ୟାଙ୍ଗ ହେଲେ ମଧ୍ୟ ଅନ୍ୟ ମାନଙ୍କ ଠାରୁ ନିଆରା ସେ । ଭଲ ପାଠ ପଢିବା ସହ ଉଚ୍ଚ ଶିକ୍ଷା ଲାଭ କରି ଜଣେ ଶିକ୍ଷୟତ୍ରୀ ହେବାର ଆଶା ରଖିଛନ୍ତି ଦିବ୍ୟାଙ୍ଗ ଲକ୍ଷ୍ମୀ ଖେମୁଡୁ । ଦିବ୍ୟାଙ୍ଗ ଲଷ୍ମୀ ଙ୍କ ପାଠ ପଢ଼ା ଓ ପରୀକ୍ଷା ଦେବା ପାଇଁ ଆଗ୍ରହ ଦେଖି ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଙ୍କୁ ଆଶୀର୍ବାଦ ଦେଇ ସଫଳତା କାମନା କରିଛନ୍ତି।