ଭୁବନେଶ୍ୱର, ୦୯/୦୬: ଚଳିତ  ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନ ହେବ । ଏପରି ସଂକେତ ମିଳିବା ପରେ ନିଜର  ସାଂଗଠନିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଛାତ୍ର  ନେତା । କ୍ୟାମ୍ପସରେ ପତିଆରା ଜାହିର କରିବା ଲାଗି ପ୍ରସ୍ତୁତି କରୁଛନ୍ତି । କାହାର ଜନ୍ମଦିନ ପାଳନ  କରି କେକ୍‌ କାଟୁଛନ୍ତି ତ ଆଉ କିଏ ବିଭିନ୍ନ ଉତ୍ସବ ନାଁରେ ଭୋଜିଭାତ କରି ପିଲାଙ୍କୁ ଏକାଠି କରୁଛନ୍ତି ।  ଆଗକୁ ନାମଲେଖା ଆରମ୍ଭ ହେବାକୁ ଥିବା ବେଳେ ନବାଗତଙ୍କ ସହ ହେଲ୍ପଡେସ୍କ ମାଧ୍ୟମରେ ଯୋଡ଼ି ହେବାକୁ ଏବେଠୁ ପ୍ରସ୍ତୁତି ଚାଲିଛି । 

ରାଜ୍ୟରେ ବିଜେପି ସରକାର ଆସିବା ପରେ କ୍ୟାମ୍ପସକୁ ଛାତ୍ର ସଂସଦ ନିର୍ବାଚନ ଫେରିବା ନେଇ ଆଶା ସଞ୍ଚରି ଥିଲା । ହେଲେ ଗତବର୍ଷ ସମୟ ଅଭାବ, ଭିତ୍ତିଭୂମି ପ୍ରସ୍ତୁତି ହୋଇନଥିବାରୁ  ସରକାର ନିର୍ବାଚନ କଲେ ନାହିଁ । ଏବର୍ଷ ଛାତ୍ର  ସଂସଦ ନିର୍ବାଚନ ନେଇ ସରକାର ଚିନ୍ତା କରୁଛନ୍ତି ।  ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଯାଇଛି । ଦଶହରା  ପୂର୍ବରୁ ନିର୍ବାଚନ କରିବାକୁ ଯୋଜନା ରହିଛି ।   

ଗତ ମେ ୨୧ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ କହିଥିଲେ,  ଏବର୍ଷ ଛାତ୍ର ସଂସଦ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି । ସେଥିଲାଗି ଉଚ୍ଚଶିକ୍ଷା ବିଭାଗ ଆଗୁଆ  ପ୍ରକ୍ରିୟା ଆରମ୍ଭ କରିଛି । ଯୁକ୍ତ ତିନି ନାମଲେଖା,  ପିଜି ନାମଲେଖା, ବିଏଡ୍‌ ନାମଲେଖା ପ୍ରକ୍ରିୟା  ଆଗୁଆ ଆରମ୍ଭ ହୋଇଛି । ଠିକ୍‌ ସମୟରେ  ନାମଲେଖା ଶେଷ କରାଯିବ । ଆସନ୍ତା ଜୁଲାଇ  ୧୫ରୁ ପାଠପଢ଼ା ଆରମ୍ଭ କରିବାକୁ ଲକ୍ଷ୍ୟ  ରଖାଯାଇଛି । ପାଠ୍ୟକ୍ରମରେ ଯେପରି କିଛି  ଅସୁବିଧା ନହେବ ସେଥିଲାଗି ଆଗୁଆ ନାମଲେଖା  ପ୍ରକ୍ରିୟା ଆରମ୍ଭ ହୋଇଛି । ଯଦି ପାଠପଢ଼ା  ବ୍ୟବସ୍ଥିତ ହୁଏ ତେବେ ଦଶହରା ପୂର୍ବରୁ ଛାତ୍ର  ସଂସଦ ନିର୍ବାଚନ କରାଯିବ । ଛାତ୍ର ସଂସଦ  ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ କହିଛନ୍ତି । ଏହାକୁ ଆମ ବିଭାଗ ଆଗ୍ରହର  ସହ ଗ୍ରହଣ କରି ନିର୍ବାଚନ କିପରି ହୋଇପାରିବ  ସେଥିଲାଗି ଆଗୁଆ ପ୍ରସ୍ତୁତି ଆରମ୍ଭ କରୁଛି ବୋଲି  ଶ୍ରୀ ସୂରଜ କହିଥିଲେ । 

ଅନ୍ୟପଟେ ତିନି ପ୍ରମୁଖ ଛାତ୍ର ସଂଗଠନ  କ୍ୟାମ୍ପସରେ ହେଲ୍ପଡେସ୍କ କରିବେ । ସମସ୍ତ  ବିଶ୍ୱବିଦ୍ୟାଳୟ, କଲେଜରେ ଛାତ୍ରନେତାମାନେ  ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବନ୍ଧୁମିଳନ, ସ୍ୱଚ୍ଛତା  ଅଭିଯାନ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ କରି  ପିଲାଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ।  ପୂର୍ବରୁ କୌଣସି ସମସ୍ୟାକୁ ନେଇ ଏତେ  ମାତ୍ରାରେ ଆନ୍ଦୋଳନ ହେଉନଥିବା ବେଳେ ଏବେ  କିନ୍ତୁ ଛାତ୍ର ସଂଗଠନ ପୂରା ସକ୍ରିୟ ହୋଇଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ ୨୦୧୭ରୁ ତତ୍କାଳୀନ  ସରକାର ବିଭିନ୍ନ ବାହାନା ଦେଖାଇ ଛାତ୍ରସଂସଦ  ନିର୍ବାଚନ ବନ୍ଦ କରିଥିଲେ । ବିଜେପି ସରକାରକୁ  ଆସିବା ପୂର୍ବରୁ ଛାତ୍ରସଂସଦ ନିର୍ବାଚନ ନେଇ  ପ୍ରତିଶ୍ରୁତି ଦେଇଥିଲା ।