ସୋର,୦୫/୦୩: ଜଣେ ଶିକ୍ଷକଙ୍କୁ ନେଇ ଚାଲିଛି ପାଠପଢ଼ା । ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଥିବାବେଳେ ଶିକ୍ଷକ ଅଛନ୍ତି ମାତ୍ର ଜଣେ। ଆଗକୁ ବାର୍ଷିକ ପରୀକ୍ଷା ଥିବାବେଳେ ପିଲାମାନଙ୍କ ପାଠପଢା ମଧ୍ୟ ଠିକ୍ ଭାବରେ ହୋଇପାରୁନି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ସୋର ବ୍ଲକ ଅନନ୍ତପୁର ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମରେ ଥିବା ହରିପୁର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସୂଚନା ଅନୁଯାୟୀ, ୧୯୬୮ମସିହାରେ ସ୍ଥାପିତ ହୋଇଥିବା ଏହି ହରିପୁର ପ୍ରାଥମିକ ବିଦ୍ୟାଳୟ ବହୁ ପୁରାତନ ବିଦ୍ୟାଳୟ । ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢନ୍ତି । ହେଲେ ଏମାନଙ୍କ ପାଇଁ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ପିଲାଙ୍କ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୧୭ତାରିଖ ଥିବାବେଳେ ପିଲାଙ୍କର ପାଠପଢା ଠିକ ହଉନାହିଁ। ଆଉ ବିଦ୍ୟାଳୟରେ ଥିବା ଜଣେ ଶିକ୍ଷୟିତ୍ରୀ ଯଦି ଛୁଟିରେ ରହିଲେ ତାହାଲେ ବିଦ୍ୟାଳୟରେ ତାଲା ପଡୁଛି।
ଏହା ମଧ୍ୟ ପଢନ୍ତୁ- ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା, କହିଲେ ଅପରାଧିଙ୍କୁ ଧରିବା ପାଇଁ ବ୍ୟବହାର ହେବ ନୂଆ ଟେକ୍ନୋଲୋଜି
ଗତ ତିନି ମାସରେ ତିନିଜଣ ଶିକ୍ଷକ ଆସିଲେଣି। ଜଣେ ଯୋଗ ଦେଇ ଆଉ ଆସୁନାହାନ୍ତି ତ, ଆଉ ଦୁଇଜଣ କିଛିଦିନ ରହିଲା ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ପୁଣି ଅନ୍ୟତ୍ର ଜାଗାକୁ ବଦଳି ହୋଇଯାଇଛନ୍ତି। ବହୁଥର ଅଭିଯୋଗ ପରେ ଏନେଇ କୌଣସି ସମାଧାନ ନ ହେବାରୁ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣାରେ ବସିଛନ୍ତି। ବର୍ତ୍ତମାନ ଖରାରେ ବାହାରକୁ ନ ବାହାରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ ପିଲାମାନେ ଖରାରେ ଧାରଣାରେ ବସିଛନ୍ତି।