କୋକସରା,୨୨/୧୦: ସ୍କୁଲ ଜମିକୁ ମାଲିକାନା ଦାବି କରି କଣ୍ଟାବାଡ଼ ପକାଇ ରାସ୍ତା ଅବରୋଧ କଲେ ଜଣେ ବ୍ୟକ୍ତି । ଫଳରେ ବରଗଛ ମୂଳରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ । ବ୍ଲକ୍ ଉପାଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଛି । କଳାହାଣ୍ଡି ଜିଲ୍ଲା କୋକସାରରୁ ସାମ୍ନାକୁ ଆସିଛି ଏପରି ଘଟଣା ।

କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା କନ୍ଦାବୁଟ୍ରା ପଞ୍ଚାୟତ ତୁନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାଗାକୁ ନିଜର ମାଲିକାନା ଦାବିଛନ୍ତି ଗାଁର ଚକ୍ରଧର ପାଣିଗ୍ରାହୀ । ବିଦ୍ୟାଳୟ ଯିବା ରାସ୍ତାରେ କଣ୍ଟା ବାଡ଼ ଦେଇ ଅବରୋଧ କରିବା ଫଳରେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ନପାରିନଥିଲେ । ଫଳରେ ଆଜି ସ୍କୁଲ ବନ୍ଦ ରହିଥିଲା ।  ପ୍ରଧାନ ଶିକ୍ଷକ ଗୌରାଙ୍ଗ ଶବର ଓ ସହ ଶିକ୍ଷକ ମାନେ ବିଦ୍ୟାଳୟ ରାସ୍ତା ବନ୍ଦ ଥିବା ଦେଖି କମିଟିକୁ ଖବର ଦେଇଥିଲେ । ଅନ୍ୟ ଉପାୟ ନ ପାଇ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ କମିଟି ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଗରେ ଥିବା ବରଗଛ ମୂଳେ ଖୋଲା ଆକାଶ ତଳେ ବସାଇଥିଲେ । ଏହାପରେ ପ୍ରଧାନ ଶିକ୍ଷକ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ଆସି ବାଡ଼ ଦେଇଥିବା ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ । ସେ ବିଦ୍ୟାଳୟ ଜାଗା ବାବଦରେ ୯୦ ହଜାର ଟଙ୍କା ଦେବାପରେ କଣ୍ଟାବାଡ ହଟାଇବି ବୋଲି ଜିଦ୍‌ରେ ଅଡ଼ି ବସିଥିଲେ ସଂପୃକ୍ତ ବ୍ୟକ୍ତି । 

ଏନେଇ ପ୍ରଧାନ ଶିକ୍ଷକ ବ୍ଲକ ଶିକ୍ଷା ଅଧିକାରୀ ଓ ସ୍କୁଲ କମିଟି ପକ୍ଷରୁ କୋକସରା ବ୍ଲକ ଉପାଧ୍ୟକ୍ଷଙ୍କୁ ସୂଚନା ଦେଇଥିଲେ ।  ବ୍ଲକ୍ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ବିଆରସିସି ତୋଫାନ ମାଝୀ ପହଞ୍ଚି ଦୀର୍ଘ ସମୟ ଧରି ଚକ୍ରଧର ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିଲେ। ପରେ ବ୍ଲକ୍ ଉପାଧ୍ୟକ୍ଷ ଆସନ୍ତାକାଲି ସୁଦ୍ଧା ଟଙ୍କା ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ସଂପୃକ୍ତ ବ୍ୟକ୍ତି ରାଜି ହେବା ସହ କଣ୍ଟାବାଡ ହଟାଇଥିଲେ । ପରେ ବିଦ୍ୟାଳୟରେ ପାଠପଢା ସ୍ୱାଭାବିକ ହୋଇଛି । ତେବେ ଦୀର୍ଘ ୨ ଘଣ୍ଟାରୁ ଉର୍ଦ୍ଧ୍ବ ଧରି ଏପରି ଅଚଳାବସ୍ଥା ଯୋଗୁଁ ଛାତ୍ରଛାତ୍ରୀ ମାନେ ଗଛମୂଳେ ରାଜରାସ୍ତାରେ ବସି ହଇରାଣ ହୋଇଥିଲେ ।