ଭୁବନେଶ୍ୱର/ବ୍ରହ୍ମପୁର/କଟକ, ୧୧/୧୦ : ରାଜସ୍ୱ ନିରୀକ୍ଷକ (ଆର୍‌ଆଇ), ଅମିନ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ପରୀକ୍ଷାର୍ଥୀ ଭିନ୍ନ ଭିନ୍ନ ଢଙ୍ଗରେ ଆନ୍ଦୋଳନ କରି ପରୀକ୍ଷା ବାତିଲ କରିବାକୁ ଦାବି କରୁଛନ୍ତି । କେଉଁଠି ଆଡମିଟ୍‌ କାର୍ଡ ପୋଡ଼ୁଛନ୍ତି ତ ଆଉ କେଉଁଠି ଆଡମିଟ୍‌ କାର୍ଡକୁ ଡଙ୍ଗା କରି ନଦୀରେ ଭସାଇଲେଣି। ପାଖାପାଖି ୧୫ ଦିନ ହେଲାଣି ଏହି ପରୀକ୍ଷା ଅନିୟମିତତା ଅଭିଯୋଗ ଉଗ୍ରରୂପ ନେଉଛି। ପ୍ରତିଦିନ ଶହ ଶହ ପରୀକ୍ଷାର୍ଥୀ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କର ଗୋଟିଏ ଜିଦ୍‌ ପରୀକ୍ଷା ବାତିଲ କରାଯାଉ। ପରୀକ୍ଷା ପରିଚାଳନା କରୁଥିବା କଳା ତାଲିକାଭୁକ୍ତ ଘରୋଇ ସଂସ୍ଥାକୁ ବାଦ୍‌ ଦିଆଯାଉ ଏବଂ ପୁନଃ ପରୀକ୍ଷା କରି ମେଧାବୀଙ୍କୁ ସୁଯୋଗ ଦିଆଯାଉ । 

ଗତ ସପ୍ତାହରେ ଓଏସ୍‌ଏସ୍‌ଏସ୍‌ସି ଦ୍ୱାରା ଆର୍‌ଆଇ ଓ ଅମିନ ନିଯୁକ୍ତି ପାଇଁ ପରୀକ୍ଷା ହୋଇଥିଲା । ଏହି ପରୀକ୍ଷା ଲାଗି ନୟାପଲ୍ଲୀର ଏକ ସାଇବର କାଫେରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା, ଯେଉଁଠି ବିବାହ ମଣ୍ଡପ ରହିଛି । ପିଲାଙ୍କ କାଗଜପତ୍ର ଯାଞ୍ଚ ରୋଷଶାଳାରେ କରାଯାଇଥିଲା । ପରୀକ୍ଷା ଅନୁପଯୋଗୀ ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏପରିକି ସେହି ଦିନ ଅପରାହ୍ନରେ ହେବାକୁ ଥିବା ପରୀକ୍ଷାକୁ ୨ ଘଣ୍ଟା ବିଳମ୍ବରେ ଆରମ୍ଭ କରାଯାଇଥିଲା । ଫଳରେ ପରୀକ୍ଷାର୍ଥୀ ଓ ପରୀକ୍ଷା କେନ୍ଦ୍ରରେ ଥିବା ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ, ଯେଉଁ ସଂସ୍ଥାକୁ କେନ୍ଦ୍ରୀୟ ପରୀକ୍ଷା ପାଇଁ କଳା ତାଲିକାଭୁକ୍ତ କରାଯାଇଛି ସେହି ସଂସ୍ଥାକୁ ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷା ଦାୟିତ୍ୱ ଦେଉଛି । 

ଗତକାଲି ବ୍ରହ୍ମପୁରର ଟାଉନ୍‌ ହଲ୍‌ ନିକଟରେ ପରୀକ୍ଷାର୍ଥୀ ବିକ୍ଷୋଭ କରିବା ସହ ଆଡମିଟ୍‌ କାର୍ଡକୁ ପୋଡ଼ିଛନ୍ତି । କେବଳ ଏତିକି ନୁହେଁ ଆଡମିଟ୍‌ କାର୍ଡକୁ ଠୁଙ୍ଗା କରି ସେଥିରେ ଝାଲ ମୁଢ଼ି ବିକ୍ରି କରିଛନ୍ତି । ଆଡ୍‌ମିଟ କାର୍ଡ ପୋଡ଼ିଥିବା ଜଣେ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି, ଅଫ୍‌ଲାଇନ ପରୀକ୍ଷା ହେଉ । ଅନ୍‌ଲାଇନ ପରୀକ୍ଷା ଦ୍ୱାରା ବୈଷୟିକ ତ୍ରୁଟି ଯୋଗୁ ପରୀକ୍ଷାର୍ଥୀ ସମସ୍ୟା ଭୋଗୁଛନ୍ତି । ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ହେଲେ ସୁଫଳ ମିଳି ନାହିଁ । ଏହାର ତ୍ୱରିତ ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ କହିଛନ୍ତି । ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କ କହିବା କଥା, ସହିବାର ଧୈର୍ଯ୍ୟର ବନ୍ଧ ଭାଙ୍ଗିଲାଣି । ଯାହା ଫଳରେ ପିଲାଙ୍କ ମଧ୍ୟରେ ଉତ୍ତେଜନା ବଢ଼ୁଛି । ସୂଚନାଯୋଗ୍ୟ ଯେ, ଓଏସ୍‌ଏସ୍‌ଏସ୍‌ସିର ନିଯୁକ୍ତି ପ୍ରକ୍ରିୟାରେ କେଳେଙ୍କାରୀ ଅଭିଯୋଗ ନୂଆ ନୁହେଁ । ଗତ ସେପ୍ଟେମ୍ବରରେ ଫରେଷ୍ଟର, ଫରେଷ୍ଟ ଗାର୍ଡ, ଏଲ୍‌ଆଇ ପରୀକ୍ଷାର୍ଥୀମାନେ ସରକାରୀ ଚାକିରି ବିକ୍ରି ଅଭିଯୋଗ ଆଣିଥିଲେ । ଅନ୍ୟପଟେ ଏହି ଘଟଣାରେ ଓଏସ୍‌ଏସ୍‌ଏସ୍‌ସି କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି । 

ସେହିପରି ଗୁରୁବାର କଟକରେ ପ୍ରାୟ ଦେଢ଼ଶହରୁ ଅଧିକ ଆଶାୟୀ ପ୍ରାର୍ଥୀ ଖାନନଗର ନିକଟ କାଠଯୋଡ଼ି ନଦୀରେ ସେମାନଙ୍କ ଆଡମିଟ୍‌ କାର୍ଡ ଭସାଇ ପରୀକ୍ଷା ବାତିଲ୍‌ ଦାବି କରିଛନ୍ତି । ପରୀକ୍ଷାରେ ହୋଇଥିବା ଅନିୟମିତତା ସମ୍ପର୍କରେ ସରକାର ଗତ ୮ ତାରିଖରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ପରୀକ୍ଷାରେ ଅନିୟମିତତା ହୋଇଥିବା ଜଳଜଳ ଦେଖାଯାଉଥିଲେ ମଧ୍ୟ ସରକାର ଏହାକୁ ବାତିଲ୍‌ ନକରିବା ଦୁର୍ଭାଗ୍ୟଜନକ ବୋଲି ଓଡ଼ିଶା ଏଗେନଷ୍ଟ କରପସନ୍‌ ସଂଗଠନ ପକ୍ଷରୁ କୁହାଯାଇଛି । ସରକାର ତୁରନ୍ତ ଉକ୍ତ ପରୀକ୍ଷାକୁ ବାତିଲ୍‌ କରି ପୁନଃ ପରୀକ୍ଷା କରାନ୍ତୁ ବୋଲି ସଂଗଠନର ଆବାହକ ବିଭୂତି ଭୂଷଣ ମହାପାତ୍ର ଦାବି କରିଛନ୍ତି । ସେହିପରି ଗୋଟିଏ ଦିନରେ ପରୀକ୍ଷାକୁ ରାଜ୍ୟବ୍ୟାପୀ କରିବା ଲାଗି ପରୀକ୍ଷାର୍ଥୀମାନେ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ।