ପାଟଣାଗଡ଼, ୧୫/୧୧ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଉପାନ୍ତ ଅଞ୍ଚଳ ଖୁରସେଲ ଦେବାର୍ଚ୍ଚନ କଳାବତୀ ଭୋକେସେନାଲ ହାଇସ୍କୁଲ ଠାରେ ଶନିବାର ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଏକ ମେଗା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପଡୋଶୀ ରାଜ୍ୟ ଛତିଶଗଡ଼ର ଏକ ଘରୋଇ ଡାକ୍ତରଖାନାରୁ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ. ହରଷିତ ଗୋଇଁକ, ଔଷଧ ବିଶେଷଜ୍ଞ ଡ. ଭକ୍ତବନ୍ଦୁ କୁମ୍ଭାର, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ.ପୋଲମି ଦେଭ ଯୋଗଦେଇ ସ୍ଥାନୀୟ ଅଞ୍ଚଳର ମହିଳା, ପୁରୁଷ ଓ ଜନସାଧାରଣଙ୍କୁ ଚିକିତ୍ସିତ କରାଇ ଆବଶ୍ୟକ ମୁତାବକ ଔଷଧ ବଣ୍ଟନ କରିଥିଲେ । ଏହି ଶିବିରରେ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡ. ମନୋଜ ଅଗ୍ରୱାଲ ଙ୍କ ସମେତ ତାଙ୍କ ତିନିଜଣ ସହଯୋଗୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ଆଜିର ଏହି ସ୍ୱାସ୍ଥ୍ୟ ଶିବିରରେ ସଂଘ ସମସ୍ତ ସଦସ୍ୟ ଉପସ୍ଥିତ ଥିବାବେଳେ ଏହି ଶିବିରକୁ ବରିଷ୍ଠ ଆଇନଜୀବୀ ଦର୍ପଗଞ୍ଜନ ପଟ୍ଟନାୟକ ଓ ବଲଦେବ ବେହେରା ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ । ସଂଘ ପକ୍ଷରୁ ଦୂରରୁ ଆସିଥିବା ରୋଗୀ ଓ ତାଙ୍କ ସହଯୋଗୀମାନଙ୍କୁ ଭୋଜନ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିବା ବେଳେ ପାଟଣାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ସଦାନନ୍ଦ ପୁଝାରୀ ଏହି ସ୍ଵାସ୍ଥ୍ୟ ଶିବିରକୁ ଆସି ବିଭିନ୍ନ ପ୍ରକାର ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ । ଉପାନ୍ତ ଅଞ୍ଚଳରେ ସଂଘ ପକ୍ଷରୁ କରାଯାଇଥିବା ଏଭଳି ପଦକ୍ଷେପକୁ ଦେଖି ଅଞ୍ଚଳବାସୀ ସାଧୁବାଦ ଜଣାଇବାସହ ଏଭଳି ମହତ କାର୍ଯ୍ୟ ଆଗକୁ ଜାରି ରଖିବାକୁ ଅନୁରୋଧ କରିଥିଲେ ।