ଭୁବନେଶ୍ୱର,୦୯/୧୦: ଆଜି ଦିନ ୧୨ଟା ପୂର୍ବରୁ  ମିଳିବ ସୁଭଦ୍ରା ଟଙ୍କା । ଏଥର  ପ୍ରାୟ ୩୫ ଲକ୍ଷରୁ ଅଧିକ  ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ପହଞ୍ଚିବ ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ବାରିପଦାଠାରେ ପ୍ରଥମ କିସ୍ତିର ଏହି ଦ୍ୱିତୀୟ  ପର୍ଯ୍ୟାୟ ଟଙ୍କା ବଣ୍ଟନ କରିବେ । 

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ଗଣମାଧ୍ୟମକୁ କହିଛନ୍ତି, ସୋମବାର ସନ୍ଧ୍ୟା  ସୁଦ୍ଧା ସୁଭଦ୍ରା ଯୋଜନା ପାଇଁ ୧ କୋଟିରୁ ଅଧିକ  ମହିଳା ଆବେଦନ କରି ପଞ୍ଜିକୃତ ହୋଇଛନ୍ତି ।  ମହିଳାମାନେ ଏତେ ସଂଖ୍ୟାରେ ସୁଭଦ୍ରା ଯୋଜନା  ପାଇଁ ଆଗ୍ରହ ଦେଖାଇଛନ୍ତି । ଡିଜିଟାଲ ବ୍ୟବସ୍ଥାରେ ବି ଆମ ମହିଳାମାନେ  କେତେ ଦକ୍ଷ, ତାହା ସେମାନେ  ପ୍ରମାଣିତ କରିଛନ୍ତି । 

 ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି । ପ୍ରଥମ କିସ୍ତିର ପ୍ରଥମ  ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ହିତାଧିକାରୀଙ୍କୁ  ସୁଭଦ୍ରା ଟଙ୍କା ମିଳିଥିଲା । ବୁଧବାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ  ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ।  ଡିସେମ୍ବର ସୁଦ୍ଧା ୧ କୋଟିରୁ ଅଧିକ ମହିଳା  ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ।