ଭୂବନେଶ୍ୱର: ଭାରତ ଗୋଟିଏ ଦିନରେ ସଫଳତାର ସହ ଦୁଇଟି ସ୍ୱଳ୍ପ-ଦୂରଗାମି ପ୍ରଳୟ ବାଲାଷ୍ଟିକ ମିସାଇଲର ପରିକ୍ଷଣ କରିଛି। ଏହି ଦୁଇଟି ବାଲାଷ୍ଟିକ ମିସାଇଲର ରେଞ୍ଜ ୧୫୦ରୁ ୫୦୦ କିଲୋମିଟର ରହିଥିବା ବେଳେ ଏହି ମିସାଇଲ ଗୁଡିକୁ ଡ଼କ୍ଟର ଏପିଜେ ଅବଦୁଲ କଲାମ ଆଇଲାଣ୍ଡରୁ ପରିକ୍ଷଣ କରାଯାଇଛି। ଗତ ୨୮ ଓ ୨୯ ତାରିଖରେ ଡିଆରଡିଓ ଏହି ଦୁଇଟି ସଫଳ ପରିକ୍ଷଣ କରିଥିବା ଜଣାପଡିଛି। 

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆରଡିଓ) ଦ୍ୱାରା ବିକଶିତ କରାଯାଇଥିବା ଏହି ପ୍ରଳୟ ମିସାଇଲ ଏକ ବହୁମୁଖି କ୍ଷେପଣାସ୍ତ୍ର। ଏହି କ୍ଷେପଣାସ୍ତ୍ର ଏକ ବାଲାଷ୍ଟିକ ମିସାଇଲ ହୋଇଥିବା ବେଳେ ଏହାକୁ ସର୍ଫେସ-ଟୁ-ସର୍ଫେସ ସଠିକ ଲକ୍ଷ ଭେଦ କରାଯିବାକୁ ଡିଜାଇନ କରାଯାଇଛି। ଏହାର ଷ୍ଟ୍ରାଇକ ରେଞ୍ଜ ୧୫୦ରୁ ୫୦୦ କିମି ଥିବା ବେଳେ ଏହାକୁ ଖାସକରି ଅନ୍ୟ ଇଣ୍ଟରସେଫ୍ଟର ମିସାଇଲକୁ ଧ୍ୱସଂ କରିବାକୁ ନିର୍ମାଣ କରାଯାଇଛି। ଏହା ସହ ଏହି ମିସାଇଲ ସିଷ୍ଟମଟି ପିନ-ପଏଣ୍ଟ ସଠିକତା ସହ ଆକ୍ରମଣ କରିବାର କ୍ଷମତା ରହିଛି। 

ଏହି ମିସାଇଲ ପରିକ୍ଷଣ ସମୟରେ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ(ଆଇଟିଆର) ଦ୍ୱାରା ସ୍ଥିର ହୋଇଥିବା ସମସ୍ତ ମାପଦଣ୍ଡକୁ ପୁରଣ କରିଥିଲା। ଏହି କ୍ଷେପଣାସ୍ତ୍ରରେ ଏକ ସଲିଡ-ଫୁଏଲ ରକେଟ ଇଞ୍ଜିନ ଲାଗିଥିବା ବେଳେ ଆଡଭାନ୍ସ ନାଭିଗେସନ ଓ ଏଭିଓନିକ୍ସ ସିଷ୍ଟମ ରହିଛି। ସବୁଠୁ ବଡ କଥା ହେଉଛି ପ୍ରଳୟ ଟାର୍ଗଟକୁ ଲକ୍ କରି ଉଡାଣ ଭରିବା ସମୟରେ ବାରମ୍ୱାର ନିଜର ଗତିପଥ ବଦଳାଉଥିବାରୁ ଏହାକୁ ସହଜରେ ଇଣ୍ଟରସେଫ୍ଟ କରିବା ସମ୍ଭବ ହୋଇଥାଏ। 

ଏହି ମିସାଇଲ ସହଜରେ ୩୫୦ରୁ ୭୦୦ କିଲୋଗ୍ରାମ ୱାରହେଡ ବହନ କରି ନିଜ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି। ଯାହାଫଳରେ ସେନା ଅତି ସହଜରେ ସଠିକ ମାରକ କ୍ଷମତା ସହ ଶତ୍ରୁ ପକ୍ଷର ଲଜିଷ୍ଟିକ ହବ ଓ ଏୟାରବେସ ଉପରେ ଆକ୍ରମଣ କରିପାରିବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି କ୍ଷେପଣାସ୍ତ୍ରର ସଫଳ ପରିକ୍ଷଣ ପାଇଁ ଡିଆରଡିଓକୁ ଧନ୍ୟବାଦ ଜଣାଇଛନ୍ତି। ଏହି ମିସାଇଲ ଅତ୍ୟାଧୁନିକ ବୈଷୟିକ କୌଶଳ ଦ୍ୱାରା ନିର୍ମିତ ହୋଇଥିବାରୁ ଏହା ସେନାକୁ ଶକ୍ତି ଯୋଗାଇବ ବୋଲି ସେ ମତ୍ତ ପ୍ରକାଶ କରିଛନ୍ତି। 

ସାମାଜିକ ଗଣମାଧ୍ୟମ ଏକ୍ସରେ ପ୍ରତିରକ୍ଷା ମନ୍ତ୍ରଣାଳୟ ବିଭାଗ ଦ୍ୱାରା ଏନେଇ ଏକ ପୋଷ୍ଟ ଜାରି କରାଯାଇଛି। ଯେଉଁଥିରେ “ଡିଆରଡିଓ ଦୁଇଟି ପ୍ରଳୟ ମିସାଇଲର ସଫଳତାର ସହ ପରିକ୍ଷଣ କରିଛି। ଓଡିଶାର ଏପିଜେ ଅବଦୁଲ କଲାମ ଆଇଲ୍ୟାଣ୍ଡରୁ ଜୁଲାଇ ମାସ ୨୮ ଓ ୨୯ ତାରିଖରେ ଏହି ପରିକ୍ଷଣ କରାଯାଇଛି” ବୋଲି ଉଲ୍ଲେଖ ରହିଛି। 

ପ୍ରଳୟ ମିସାଇଲ ସିଷ୍ଟମରେ ଟ୍ୱିନ-ଲଞ୍ଚର ସିଷ୍ଟମ ରହିଥିବା ବେଳେ ଏହାକୁ ହାଇ ମୋବିଲିଟି ଭେଇକିଲ ଦ୍ୱାରା ଦେଶର କୌଣସି ସ୍ତାନରେ ନିୟୋଜିତ କରାଯାଇ ପାରିବ। ଖାସ କରି ସୀମାବର୍ତ୍ତୀ ଅଞ୍ଚଳ ମାନଙ୍କରେ ଏହି କ୍ଷେପଣାସ୍ତ୍ର ସେନାକୁ ଜଲଦି ସଫଳତା ଯୋଗାଇ ଦେବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।