ବୌଦ୍ଧ,୧୮/୧୧: ବ୍ରିଜରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ବୌଦ୍ଧ ଜିଲ୍ଲା କିଆକଟା ମହାନଦୀ ବ୍ରିଜରୁ ଜଣେ ଛାତ୍ରୀ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ସଂପୃକ୍ତ ଛାତ୍ରୀ ଜଣଙ୍କ ବୌଦ୍ଧ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ବିଭାଗରେ ପ୍ରଥମ ବର୍ଷରେ ପଢୁଥିଲେ । ଏକ ପଦଯାତ୍ରାରେ ସାମିଲ ହେବାକୁ ଛାତ୍ରୀ ଜଣଙ୍କ ଘରୁ ବାହାରିଥିଲେ । ବିଜୁ ପଟ୍ଟନାୟକ ଛକ ନିକଟରେ ପଦଯାତ୍ରା ଚାଲିଥିବା ବେଳେ ଛାତ୍ରୀ ଜଣକ ସେଠାରୁ ଚାଲିଯାଇଥିଲେ । ପରେ ମହାନଦୀ ସେତୁ ଉପରୁ ନଦୀକୁ ଡେଇଁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ । ସେମାନେ ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଛି । ତେବେ କେଉଁ କାରଣରୁ ଛାତ୍ରୀ ଜଣକ ଏଭଳି ଏକ ପଦକ୍ଷେପ ନେଲେ ଏବଂ କାହିଁକି ନଦୀକୁ ଡେଇଁଲେ ସେ ନେଇ ତଦନ୍ତ କରୁଛି ଆଦର୍ଶ ଥାନା ପୁଲିସ ।