ଢେଙ୍କାନାଳ, ୨/୧ : ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ। ଜଣେ ବ୍ୟକ୍ତିଙ୍କୁ କାବୁ କଲା ଟାଉନ ଥାନା ପୁଲିସ। ଉକ୍ତ ବ୍ୟକ୍ତି ଜଣଙ୍କ ଢେଙ୍କାନାଳ ସଦର ଥାନା ବଣସିଂହ ନୂଆପଡା ଗ୍ରାମର ସୁଚିତ୍ର ସାହୁ। ତାଙ୍କ ବ୍ୟାଗରୁ ଏକ ପେଟ୍ରୋଲ ବୋତଲ ଜବତ ହୋଇଛି

ସୂଚନାନୁଯାୟୀ, ଢେଙ୍କାନାଳ ସଦର ଥାନା ନୂଆପଡା ଗ୍ରାମର ସୁଚିତ୍ର ସାହୁ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ ପାଖକୁ ଗୁହାରି କରିବାକୁ ଆସିଥିଲେ। ନୂଆପଡ଼ାରେ ଥିବା ତାଙ୍କର ଏକ ଜାଗା ଭୁଲରେ ଅନ୍ୟ ଜଣଙ୍କ ନାମରେ ପଟ୍ଟା ହୋଇଥିବାରୁ ସେ ଉକ୍ତ ଜାଗାକୁ ବିକ୍ରି କରି ପାରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ। ଆଜକୁ ତିନି ଚାରି ବର୍ଷ ହେଲା ଏ ସମ୍ପର୍କରେ ସେ ଅଭିଯୋଗ କରିବାକୁ ଢେଙ୍କାନାଳ ତହସିଲକୁ ବାରମ୍ବାର ଦୌଡୁଛନ୍ତି । ମାତ୍ର ତହସିଲ ଅଫିସ ପକ୍ଷରୁ କୌଣସି ପଦକ୍ଷେପ ନେଉ ନଥିବାରୁ ଜାଗାକୁ ବିକ୍ରି କରି ନପାରି ଆର୍ଥିକ ଅନାଟନରେ ହନ୍ତସନ୍ତ ହେଉଛନ୍ତି। ଏପରିକି ଏହାକୁ ନେଇ ସେ ତହସିଲଦାର, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଗୁହାରି କରି ହତାସ ପରେ ବାଧ୍ୟ ହୋଇ ଆଜି ଆତ୍ମାହୁତି ଦେବା ପାଇଁ ଉଦ୍ୟମ କରିଥିଲେ।

ବିଶେଷ ସୂତ୍ରରୁ ସୂଚନା ପାଇ ପୂର୍ବରୁ ଜଗି ରହିଥିବା ଟାଉନ ଥାନା ପୁଲିସ ତାଙ୍କ ବ୍ୟାଗକୁ ଆଗୁଆ ଜବତ କରିନେଇଥିଲା । ପରେ ସୁଚିତ୍ରଙ୍କୁ ପୁଲିସ କାବୁ କରି ଥାନାକୁ ନେଇଥିବା ଜଣାପଡିଛି । ଆତ୍ମାହୁତି କରୁଥିବା ଉଦ୍ୟମ ସମ୍ପର୍କିତ ଏକ ମାମଲା ରୁଜୁକରି ପୁଲିସ ସୁଚିତ୍ରଙ୍କୁ ଗିରଫ କରିଛି।

ଏହି ଖବରଟିକୁ ପଢନ୍ତୁ- ଗାଡ଼ିରେ ଗ୍ରୀନ୍ ଷ୍ଟିକର୍ ନଥିଲେ ମାର୍ଚ୍ଚରୁ ମିଳିବନି ପେଟ୍ରୋଲ୍, ଜାଣନ୍ତୁ କେଉଁଠି ଆଉ କେମିତି ପାଇବେ...