ନୂଆଦିଲ୍ଲୀ,୧୮/୧୨: ଛତିଶଗଡ଼ ସୁକମାରେ ଏନକାଉଣ୍ଟର।  ପୁଲିସ ଗୁଳିରେ ଟଳିଲେ ତିନି ନକ୍ସଲ ।ଏନକାଉଣ୍ଟରରେ ଜଣେ ମହିଳା ସମେତ ତିନି ଜଣ ନକ୍ସଲ ନିହତ ହୋଇଛନ୍ତି। ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ମିଳିଛି।

ସୁକମା ପୁଲିସ ଅଧୀକ୍ଷକ କିରଣ ଚଭନ ପିଟିଆଇକୁ କହିଛନ୍ତି, ଗୋଲାପାଲି ପୁଲିସ ଷ୍ଟେସନ ଅଞ୍ଚଳର ଏକ ଜଙ୍ଗଲରେ ସକାଳୁ ଜିଲ୍ଲା ରିଜର୍ଭ ଗାର୍ଡର ଏକ ଦଳ ମାଓ କ୍ୟାଡରଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇଥିଲା । ଏନେଇ ସର୍ଚ୍ଚ ଅପରେସନରେ ବାହାରିଥିବାବେଳେ ଗୁଳି ବିନିମୟ ହୋଇଥିଲା। ଯାହାର ପାଲଟା ଜବାବ ଦେଇଥିଲା ସୁରକ୍ଷା ବାହିନୀ । ବର୍ତ୍ତମାନ ସୁରକ୍ଷା ବାହିନୀ ସତର୍କତା ବଜାୟ ରଖିବା ସହ ଅତିରିକ୍ତ ଫୋର୍ସ ମଧ୍ୟ ଅଞ୍ଚଳରେ ସଜାଗ ଅଛନ୍ତି। ପ୍ରକାଶ ଥାଉକି, ଚଳିତ ବର୍ଷ ଛତିଶଗଡ଼ରେ ଏନକାଉଣ୍ଟରରେ ୨୮୪ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁକମା, ବିଜାପୁର ଓ ଦାନ୍ତେୱାଡା ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଡିଭିଜନରେ ୨୫୫ ଜଣଙ୍କୁ ନିପାତ କରାଯାଇଥିଲା । ସେହିଭଳି ରାୟପୁର ଡିଭିଜନରେ ପଡ଼ୁଥିବା ଗରିଆବନ୍ଦ ଜିଲ୍ଲାରେ ୨୭ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେହିଭଳି ଦୁର୍ଗ ବିଭାଗର ମୋହଲା-ମନପୁର-ଅମ୍ବାଗଡ ଚୌକି ଜିଲ୍ଲାରେ ଦୁଇଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି ।