ନୂଆପଡ଼ା, ୧୯/୩(ରତନ କେତକୀ):ରାଜସ୍ଥାନୀ ମେଣ୍ଢାପଲ ଉଜାଡ଼ିଦେଲେ ବିସ୍ତୀର୍ଣ୍ଣ ଚାରଣ ଭୂମି ଏବଂ ପରିସଂସ୍ଥା । ଏହାର କ୍ଷତି ଭରଣା ହେବାକୁ କେତେ ଯେ ବର୍ଷ ଲାଗିବ ତାହା କଳ୍ପନା ବାହାରେ । ମାଓବାଦୀଙ୍କ ପ୍ରାଦୁର୍ଭାବ କମିବା ପରେ ଆଶା ଥିଲା ପ୍ରକୃତି ପର୍ଯ୍ୟଟନ ସମୃଦ୍ଧ ହେବ । ହେଲେ କାଠ ମାଫିଆଙ୍କ ଦୌରାତ୍ମ୍ୟରେ ଏହି ସମ୍ଭାବନା ବି ଧୂଳିସାତ୍‌ ହେବାକୁ ବସିଛି । ଏହା ଉପରେ ଏବେ ଦାଉ ସାଧିଛି ବନାଗ୍ନି । ଫି’ବର୍ଷ ଜଙ୍ଗଲ ନିଆଁରେ ଜଳିପୋଡ଼ି ଛାରଖାର ହୋଇଯାଉଛି ହେକ୍ଟର ହେକ୍ଟର ସବୁଜିମା । ନୂଆପଡ଼ାର ‘ଫୁସ୍‌ଫୁସ୍‌’ ଭାବେ ପରିଚିତ ସୁନାବେଡ଼ା ଅଭୟାରଣ୍ୟ ଉଭୟ ମନୁଷ୍ୟକୃତ ଏବଂ ପ୍ରାକୃତିକ କାରଣରୁ ଧ୍ୱଂସ ହୋଇ ଚାଲିଥିବାବେଳେ ଆଗାମୀ ଭବିଷ୍ୟତରେ ଏହାର ପରିଣତି ଭୟଙ୍କର ହେବ ବୋଲି ଆଶଙ୍କା ବ୍ୟକ୍ତ କଲେଣି ପରିବେଶବିତ୍‌ ।  

ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତୀ ସୁନାବେଡ଼ା ଅଭୟାରଣ୍ୟ ଦୁଇ ରାଜ୍ୟର ଶ୍ରୀବୃଦ୍ଧି କରୁଛି । ୬୦୦ ବର୍ଗ କିମି ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ସୁନାବେଡ଼ା, ସୋସେଙ୍ଗ ସମେତ ୧୨ ପଞ୍ଚାୟତ ଅଧୀନ ୫୨ ଗାଁର ୧୦ହଜାରରୁ ଊର୍ଦ୍ଧ୍ୱ ବନବାସୀ ବସବାସ କରନ୍ତି । ଜୈବ ବିବିଧତାରେ ଭରପୂର ଏହି ସ୍ଥାନରେ ବାଘ, ହାତୀ, ଗୟଳ, ଭାଲୁ, ବାରହା, ସମ୍ବର, ହରିଣ, କୁଟୁରା, ଚଉସିଙ୍ଗା, ବଜ୍ରକାପ୍ତା, ଝିଙ୍କ, ଗାଡ଼ଭାଲୁ, ମାଙ୍କଡ଼, ଜଙ୍ଗଲୀ କୁକୁଡ଼ା ସମେତ ବିଭିନ୍ନ ପ୍ରଜାତିର ସରୀସୃପ ଏବଂ ପକ୍ଷୀ ଅଛନ୍ତି । କରଞ୍ଜ, ସେମେଲ, କୁରେଇ, ଅଁଳା, ଶତାବରୀ, ଶାଳ, ଗେଣ୍ଡୁଲି, ବେଲ, ରୋହିଣୀ, ନିମ୍ବ, କୁସୁମ, ଜାମୁ, ଅର୍ଜୁନ, ଗଙ୍ଗଶିଉଳି, ସୁମରାଜ, ଭେଲୁଆ, ଭୂଇଁନିମ୍ବ, କୁରୁଡ଼ୁ, ପୁରୁଣି, ଛତିଆନ, ତେନ୍ତୁଳି, ଚନ୍ଦନ, ପଞ୍ଚାଗଗୁଆଲି, ବଜ୍ରମୂଳି, ପାତାଳଗରୁଡ଼, ଗୁଡ଼ମାରୀ, ଅନ୍ତମୂଳ, ପେଙ୍ଗୁ, ଖଇର ଭଳି ବୃକ୍ଷରାଜିରେ ସମୃଦ୍ଧ ସୁନାବେଡ଼ା ଅଭୟାରଣ୍ୟ ।

ଏଠାକାର ମୂଲ୍ୟବାନ ଔଷଧୀୟ ଗୁଳ୍ମ ସଂଗ୍ରହ କରିବାକୁ ବର୍ଷତମାମ ରାଜ୍ୟ ଓ ରାଜ୍ୟ ବାହାରର ବୈଦ୍ୟମାନେ ଡେରା ପକାଇଥାନ୍ତି । ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଆଦିମ ଆଦିବାସୀଙ୍କ ପେଟପାଟଣା କଥା ବୁଝୁଛି ଏହି ଜଡ଼ିବୁଟି । ଏହାବାଦ୍‌ ମହୁଲ, ଚାହାର, ହରିଡ଼ା, ବାହାଡ଼ା ଭଳି ଲଘୁ ବନଜାତ ଦ୍ରବ୍ୟ ବନବାସୀଙ୍କୁ ଆର୍ଥିକ ସ୍ତରରେ ସମୃଦ୍ଧ କରୁଛି ।  ଏକଦା ଅଭୟାରଣ୍ୟର ବିସ୍ତୀର୍ଣ୍ଣ ଚାରଣ ଭୂମି ତୃଣଭୋଜୀ ପ୍ରାଣୀଙ୍କ ପାଇଁ ଆଶୀର୍ବାଦ ସାଜିଥିଲା । ଏହାର ସୁଯୋଗରେ ଗତ କିଛି ବର୍ଷ ହେଲା ରାଜସ୍ଥାନର ଯାଯାବର ସମ୍ପ୍ରଦାୟର ଲୋକେ ହଜାର ହଜାର ମେଣ୍ଢା ଧରି ଏଠାରେ ଡେରା ପକାଇଲେ । ଏହି ମେଣ୍ଢାପଲ ଦୈନିକ ୨୫ ଏକର ଜମିର ଔଷଧୀୟ ଗୁଳ୍ମ ଖାଇବା ସହ ଦଳିଚକଟି ଚାରଣ ଭୂମି ନଷ୍ଟ କରିଦେଲେ । ଫଳସ୍ୱରୂପ ୫-୬ ବର୍ଷରେ ଅଭୟାରଣ୍ୟର ଚିତ୍ର ବଦଳିଗଲା । ସ୍ଥାନୀୟ ଆଦିବାସୀଙ୍କ ତୀବ୍ର ପ୍ରତିବାଦ ଏବଂ ବନ ବିଭାଗର ବିହିତ କାର୍ଯ୍ୟାନୁଷ୍ଠାନ ପରେ ଯଦିଓ ଗତ ଦୁଇବର୍ଷ ହେଲା ରାଜସ୍ଥାନୀ ମେଣ୍ଢାପଲ ଆସିବା ବନ୍ଦ କରି ଦେଇଛନ୍ତି। ତଥାପି ସେମାନେ କରିଯାଇଥିବା କ୍ଷତି ଏଯାଏଁ ଭରଣା ହୋଇପାରୁନାହିଁ ।  

ଅପରପକ୍ଷେ ଅଭୟାରଣ୍ୟ ପାଇଁ ଏବେ ବଡ଼ ବିପଦ ସାଜିଛି ବନାଗ୍ନି । ପ୍ରତିବର୍ଷ ଜଙ୍ଗଲ ନିଆଁରେ ହେକ୍ଟର ହେକ୍ଟର ସବୁଜ ବନାନୀ ଜଳିପୋଡ଼ି ଛାରଖାର ହୋଇଯାଉଛି । ଗତବର୍ଷ ଅଭୟାରଣ୍ୟର ପ୍ରାୟ ୫୦୦ ପଏଣ୍ଟରେ ନିଆଁ ଲାଗିଥିଲା । ଚଳିତବର୍ଷ ସୋସେଙ୍ଗ, ଦାତୁନାମା ଓ ଚକଲା ଅଞ୍ଚଳର ୯୦ଟି ପଏଣ୍ଟରେ ବନାଗ୍ନି ଠାବ କରାଯାଇଛି । ବନ ବିଭାଗର ପଦକ୍ଷେପ ପରେ ନିଆଁ ଆୟତ୍ତ ହୋଇଥିଲେ ହେଁ ବିପଦ ସମ୍ପୂର୍ଣ୍ଣ କମିନାହିଁ । ଜଙ୍ଗଲ ନିଆଁ କାରଣରୁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି । ଏହା ବନ୍ୟଜୀବ-ମଣିଷ ମଧ୍ୟରେ ସଂଘର୍ଷର କାରଣ ପାଲଟିଛି ।  ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ଅଭୟାରଣ୍ୟରେ ମାଓ ଉପଦ୍ରବ ନାହିଁ । ତଥାପି ବନ କର୍ମଚାରୀଙ୍କ ମନରୁ ଭୟ କମିନାହିଁ । ସେମାନେ କାଁ ଭାଁ ପାଟ୍ରୋଲିଂ କରୁଛନ୍ତି । ଏହାର ସୁଯୋଗରେ କାଠ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ସେମାନେ ରାତିରେ ଜଙ୍ଗଲ ପଦା କରି କାଠ ଚାଲାଣ କରୁଛନ୍ତି । ଏଭଳି ବେଆଇନ କାର୍ଯ୍ୟରେ ବନ କର୍ମଚାରୀଙ୍କ ସମ୍ପୃକ୍ତି ରହୁଛି । ସୁନାବେଡ଼ା ଅଭୟାରଣ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରା ନ ଗଲେ ଏହା ବର୍ଷ କେଇଟାରେ ସତ୍ତା ହରାଇବ ବୋଲି ସେମାନେ ଆଶଙ୍କାବ୍ୟକ୍ତ କରିଛନ୍ତି ।  

ଏ ସମ୍ପର୍କରେ ସୁନାବେଡ଼ା ଅଭୟାରଣ୍ୟ ଏସିଏଫ୍‌ ସଞ୍ଜୀବ ବନ୍‌ଗୋଲା କୁହନ୍ତି, ଜଙ୍ଗଲ ନିଆଁ ରୋକିବା ବନ ବିଭାଗ ପାଇଁ ଆହ୍ୱାନ ପାଲଟିଛି । ଏଥି ନିମନ୍ତେ ଅଭୟାରଣ୍ୟର ୧୦ଟି ସେକ୍ସନ ଅଧୀନ ୨୭ବିଟ୍‌ରେ ୧୩ଜଣ ଫରେଷ୍ଟର, ୨୫ଜଣ ଫରେଷ୍ଟ ଗାର୍ଡ ଏବଂ ୬୫ଜଣ ଅସ୍ଥାୟୀ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ବଢ଼ିଲାଣି ଖରା, ଜଳିଲାଣି ଦେହ: ପାଣି ପାଇଁ ଡହଳ ବିକଳ ପଥଚାରୀ ଏବଂ ପଶୁ ପକ୍ଷୀ