ଆସିଛି ପର୍ଯ୍ୟଟନ ଋତୁ । ଶୀତରେ ସଜେଇ ହୋଇଛି ପ୍ରକୃତିରାଣୀ । ଆନମନା କରୁଛି କାକର ଭିଜା ସବୁଜିମା । ଧାଁ-ଧଉଡ଼ ଜୀବନରୁ ଟିକିଏ ଫୁରସତ୍ ବାହାର କରି ପ୍ରକୃତି କୋଳରେ ହଜିଯିବାକୁ ପ୍ରସ୍ତୁତ ପ୍ରକୃତିପ୍ରେମୀ । ଆକର୍ଷଣୀୟ ଜଳପ୍ରପାତ, ଜଳଭଣ୍ଡାର, ପର୍ଯ୍ୟଟନସ୍ଥଳୀ ସମ୍ଭାରରେ ଭରା ସୁନ୍ଦରଗଡ଼ ଏବେ ପର୍ଯ୍ୟଟକଙ୍କ ଅନ୍ୟତମ ଡେଷ୍ଟିନେସନ ପାଲଟିଛି । ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ବେଦବ୍ୟାସ, ଦେଓଧର ଜଳପ୍ରପାତ, ଦର୍ଜିଂ, ମିରିଙ୍ଗ୍ଖୋଜ, ଖଣ୍ଡାଧାର, ମନ୍ଦିରା ଡ୍ୟାମ, ପିତାମହଲ ଡ୍ୟାମ, ଘୋଘର ମନ୍ଦିର, ଛତ୍ରି ପାହାଡ଼, ଜୁନାଗଡ଼, ଊଷାକୋଠି, ସୁନ୍ଦରଗଡ଼, ଆମ୍କୋସିମ୍କୋର ପ୍ରାକୃତିକ ଶୋଭାରାଜି ବର୍ଷବର୍ଷ ଧରି ପର୍ଯ୍ୟଟକଙ୍କୁ ବାନ୍ଧି ରଖି ଆସିଛି । ଏହାବାଦ୍ ରାଉରକେଲାର ବୈଷ୍ଣୋଦେବୀ ମନ୍ଦିର, ହନୁମାନ ବାଟିକା, ବୀରମିତ୍ରପୁରସ୍ଥିତ ରାଣୀସତୀ ମନ୍ଦିର, ବାଦଲଗିରି, କନାକୁଣ୍ଡ, ବିଶ୍ରାସ୍ଥିତ ଅକ୍ଷୟଶିଳା ଜଳପ୍ରପାତକୁ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସୁଛନ୍ତି । ଏବେ ଆଉ କିଛି ଲୁକ୍କାୟିତ ପର୍ଯ୍ୟଟନସ୍ଥଳୀ ଲୋକଲୋଚନକୁ ଆସିଛି । ପ୍ରକୃତି କୋଳରେ ହଜିଯିବାକୁ ପର୍ଯ୍ୟଟନ ଋତୁ ସୁଯୋଗ ଆଣିଥିବାବେଳେ ସୁନ୍ଦରଗଡ଼ମୁହାଁ ହେଲେଣି ପର୍ଯ୍ୟଟକ । ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ, ଜଳପ୍ରପାତକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା...

ଦୁମଲେଇରେ ଦେଓମାଳି ଭ୍ରମ

କୁତ୍ରା ବ୍ଲକସ୍ଥିତ ଦୁମଲେଇ ପାହାଡ଼ ପର୍ଯ୍ୟଟକଙ୍କ ଧ୍ୟାନ ଆକର୍ଷଣ କରୁଛି । ଏହି ପାହାଡ଼ କୋରାପୁଟର ଦେଓମାଳିର ଭ୍ରମ ସୃଷ୍ଟି କରୁଛି । ସବୁଜ ବନାନୀରେ ଭର୍ତ୍ତି ପାହାଡ଼ରେ ମେଘାଚ୍ଛନ୍ନ ଆକାଶ, କୁହୁଡ଼ି ପର୍ଯ୍ୟଟକଙ୍କୁ ଆନମନା କରୁଛି । ରାଉରକେଲାଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏହି ପାହାଡ଼ର ଅପୂର୍ବ ଶୋଭା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି ।

ଭାଇରାଲ୍ ଭିଡିଓରୁ ପ୍ରସିଦ୍ଧ ରାମପୁର ଜଳପ୍ରପାତ

ରାଉରକେଲା ଝିରପାଣିଠାରୁ ପ୍ରାୟ ୧୨ କିମି ଦୂରରେ ରହିଛି ରାମପୁର ଜଳପ୍ରପାତ । କୁଆଁରମୁଣ୍ଡା ବ୍ଲକ କଚାରୁ ପଞ୍ଚାୟତ ଅଧୀନ ରାମପୁର ଗାଁ ନିକଟ ପାହାଡ଼ ଘେରା ପରିବେଶରେ ଏହି ଜଳପ୍ରପାତ ରହିଛି । ଯଦିଓ ଏହା ଅଦ୍ୟାବଧି ବିକଶିତ ହୋଇପାରିନି, ତଥାପି ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କରିବା ଲାଗି ସବୁଦିନ ସେଠାରେ ଜମୁଛି ଭିଡ଼ । ସୋସିଆଲ୍ ମଡିଆରେ ଭାଇରାଲ୍ ହେବା ପରେ କିଛି ମାସ ହେଲା ଏହି ଲୁକ୍କାୟିତ ଜଳପ୍ରପାତ ଲୋକଲୋଚନକୁ ଆସିଥିଲା । ଏହାପରେ ଉକ୍ତ ସ୍ଥାନକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ପର୍ଯ୍ୟଟକଙ୍କ ଆଗ୍ରହକୁ ଦେଖି ଏହି ଜଳପ୍ରପାତର ଉନ୍ନତୀକରଣ ଲାଗି ସ୍ଥାନୀୟ ଗ୍ରାମବାସୀ କମିଟି ଗଠନ କରିଛନ୍ତି ।

ବିକାଶ ଅପେକ୍ଷାରେ ଅକ୍ଷୟଶିଳା

ସୁନ୍ଦରଗଡର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ଅକ୍ଷୟଶିଳା ଜଳପ୍ରପାତ । ଓଡ଼ିଶା-ଝାଡ଼ଖଣ୍ଡ ଜିଲ୍ଲା ସୀମାରେ ରହିଥିବାରୁ ଦୁଇ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣ କେନ୍ଦ୍ର । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକସ୍ଥିତ ତୁଳସୀକାନି ପଞ୍ଚାୟତରେ ରହିଛି ଅକ୍ଷୟଶିଳା ଜଳପ୍ରପାତ । ରାଉରକେଲାଠାରୁ ୨୫ କିମି ଓ ବିଶ୍ରା ବ୍ଲକଠାରୁ ୮ କିମି ଦୂରରେ ପର୍ଯ୍ୟଟନସ୍ଥଳୀ ଅବସ୍ଥିତ । ବିଶ୍ରା, ଜରେଇକେଲା, କୁଣ୍ଡାପୋଷ, ବାଙ୍ଗୁରକେଲା, ତେତକେଲା, ଝିରିପାଣି, ଜବାଘାଟ ଦେଇ କୋଏଲନଦୀ ପାଶ୍ୱର୍ ଦେଇ ପର୍ଯ୍ୟଟକ ସୁବିଧାରେ ଅକ୍ଷୟଶିଳା ଜଳପ୍ରପାତ ନିକଟରେ ପହଞ୍ଚିଥାନ୍ତି । ବଣଜଙ୍ଗଲର ଶାନ୍ତ ବାତାବରଣ ମଧ୍ୟରେ ଆକର୍ଷଣୀୟ ଜଳପ୍ରପାତର ଅପରୂପ ଦୃଶ୍ୟକୁ ଉପଭୋଗ କରିବା ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ବିଶେଷ କରି ପର୍ଯ୍ୟଟନ ଋତୁରେ ଏଠାରେ ଅସମ୍ଭାଳ ଭିଡ଼ ହୋଇଥାଏ । ଏଠାରେ ଗତ ଅଗଷ୍ଟ ୧୨ରେ ପ୍ରଶାସନ ତରଫରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ପ୍ରାମାଣିକ ଚିତ୍ର ସୁଟିଂ ହୋଇଥିଲା । ଜଳପ୍ରପାତର ବିକାଶ ନେଇ ଉଦ୍ୟମ ଜାରି ରହିଛି । ଏହାର ଭିତ୍ତିଭୂମି ସଜାଡ଼ିବା ନିମନ୍ତେ ପର୍ଯ୍ୟଟନ ବିଭାଗର ପରାମର୍ଶ କ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ୨ କୋଟି ୪୫ ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମଧ୍ୟ ଅକ୍ଷୟଶିଳା ବିକାଶ ନେଇ ପ୍ରସ୍ତାବ ଦେଇଥିଲେ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁମୋଦନ ରାଶି ମିଳିଲେ ଏହାର ଉନ୍ନତୀକରଣ କରାଯିବ । ଏ ନେଇ ପର୍ଯ୍ୟଟନ ଅଧିକାରୀ ନିରଞ୍ଜନ ମହାପାତ୍ର କହିଛନ୍ତି, ଅକ୍ଷୟଶିଳା ଜଳପ୍ରପାତର ଭିତ୍ତିଭୂମି ବିକାଶ ଲାଗି ଅର୍ଥ ମଞ୍ଜୁର ସରିଛି । ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପରେ ଆଗାମୀ ପଦକ୍ଷେପ ନିଆଯିବ ।

ଗୁଦ୍‌ଗୁଦା

ସୁନ୍ଦରଗଡ଼-ସମ୍ବଲପୁର ଜିଲ୍ଲା ସୀମାରେ ଅବସ୍ଥିତ ଗୁଦ୍ଗୁଦା ଜଳପ୍ରପାତ । ଏଠି ପ୍ରକୃତି ଅଜାଡ଼ି ଦେଇଛି ଅନୁପମ ସୌନ୍ଦର୍ଯ୍ୟ । ସୁନ୍ଦରଗଡ଼ରୁ କଲୁଙ୍ଗା-ଗୁରୁଣ୍ଡିଆ ରାସ୍ତା ଦେଇ ୧୧୪ କିଲୋମିଟର ଦୂରରେ ରହିଛି ଏହି ପ୍ରସିଦ୍ଧ ଜଳପ୍ରପାତ । ହେଲେ କୁଚିଣ୍ଡା ବ୍ଲକରୁ ଜଳପ୍ରପାତକୁ ଯିବା ସହଜ । ମାତ୍ର ୩୦ କିମି ଦୂର । ଏଠାରେ ଥିବା ଲିଚି ଓ ଆମ୍ବ ବଗିଚା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ବଣଭୋଜି ପାଇଁ ଉପଯୋଗୀ ପରିବେଶ ଥିବାରୁ ନଭେମ୍ବରରୁ ଫେବ୍ରୁଆରୀ ଯାଏ ଏଠାରେ ପ୍ରବଳ ଭିଡ଼ ଜମେ । ପଡ଼ୋଶୀ ଝାଡ଼ଖଣ୍ଡ, ଛତିଶଗଡ଼ରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଆକର୍ଷଣୀୟ ଝରଣା, ବ୍ୟବସ୍ଥିତ ବଣଭୋଜି ସ୍ଥଳ ପ୍ରକୃତିପ୍ରେମୀଙ୍କୁ ଟାଣି ଆଣିଥାଏ । ସୁନ୍ଦରଗଡ଼ ଜିଲ୍ଲାରେ ନଥିଲେ ମଧ୍ୟ ଏଠାକୁ ଜିଲ୍ଲାର ସବୁ ପ୍ରାନ୍ତରୁ ଯୁବକ ଯାଆନ୍ତି।

ଖମ୍ବେଶ୍ୱରୀ

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବ୍ଲକ ଅନ୍ତର୍ଗତ ବାମରା ରେଞ୍ଜ ଅଧୀନରେ କଣ୍ଟାମୁଣ୍ଡା ଅଞ୍ଚଳରେ ଖମ୍ବେଶ୍ୱରୀ ଜଳପ୍ରପାତ ରହିଛି । ସହରଠାରୁ ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ସ୍ଥାନକୁ ଯିବାକୁ ସଡ଼କ ପଥରେ ସୁବିଧା ରହିଛି । ରାଉରକେଲାରୁ ଗୁରୁଣ୍ଡିଆ ହୋଇ ଆସିଲେ ୧୩୫ କିମି । ସାଢ଼େ ୩ ଘଣ୍ଟାର ଯାତ୍ରା କରିବାକୁ ପଡ଼େ । ସମ୍ବଲପୁରରୁ କୁଚିଣ୍ଡା-ବଣାଇଁ ଦେଇ ଆସିଲେ ୩ ଘଣ୍ଟା ଲାଗିଥାଏ । ଜଳପ୍ରପାତର ଉଚ୍ଚତା ପ୍ରାୟ ୧୫୦ ଫୁଟ । ଉପରୁ ପଡୁଥିବା ଜଳଧାରାକୁ କ୍ୟାମେରାରେ କଏଦ କରିବାର ସୁଯୋଗ ଏଠାକୁ ଆସୁଥିବାରୁ ପର୍ଯ୍ୟଟକ ହାତଛଡ଼ା କରନ୍ତି ନାହିଁ । ବଣଭୋଜି ପାଇଁ ଉପଯୁକ୍ତ ସ୍ଥାନ ହୋଇଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି ।

ରାମରେଖା ପାହାଡ଼ରେ ରାମାୟଣର ସ୍ମୃତି

ଛତିଶଗଡ଼-ଝାଡ଼ଖଣ୍ଡ ସୀମାବର୍ତ୍ତୀ ସିମ୍ଡେଗାର ରାମରେଖା ପାହାଡ଼ ଜାବୁଡ଼ି ଧରିଛି ରାମାୟଣର ସ୍ମୃତି । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟଠାରୁ ୨୫ କିମି ତଥା ରାଉରକେଲାଠାରୁ ୯୦ କିମି ଦୂର ଗଲେ ପଡ଼େ ଏହି ପୁରାଣ ପ୍ରସିଦ୍ଧ ସ୍ଥାନ । ପାହାଡ଼ର ଶିଖରରେ ରହିଛି ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତା ଏବଂ ଅନୁଜ ଲକ୍ଷ୍ମଣଙ୍କ ମନ୍ଦିର । ଲୋକକଥା ଅନୁଯାୟୀ, ବନବାସ ସମୟରେ ଶ୍ରୀରାମ, ମାତା ସୀତା ଏବଂ ଭ୍ରାତା ଲକ୍ଷ୍ମଣ ପାହାଡ଼ରେ କିଛି ସମୟ ଅତିବାହିତ କରିଥିଲେ । ପାହାଡ଼ ପାଦଦେଶରେ ମଧ୍ୟ ଶ୍ରୀରାମଚନ୍ଦ୍ର ଓ ଶ୍ରୀଜଗନ୍ନାଥଙ୍କ ମନ୍ଦିର ରହିଛି । ପୌରାଣିକ କିମ୍ବଦନ୍ତୀ ସହ ଜଡ଼ିତ ଏହି ସ୍ଥାନକୁ ସୁନ୍ଦରଗଡ଼ ସମେତ ଛତିଶଗଡ଼ରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ପରିଦର୍ଶନରେ ଆସିଥାନ୍ତି । ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆନନ୍ଦିତ କରିଥାଏ ।

ବଣଭୋଜି ଡେଷ୍ଟିନେସନ ଘାଘରା ଡ୍ୟାମ୍

 ବିଶ୍ରା ବ୍ଲକର ଜରେଇକେଲା ନିକଟରେ ରହିଛି ଘାଘରା ଡ୍ୟାମ୍ । ରାଉରକେଲାଠାରୁ ମାତ୍ର ୨୫ କିମି ଦୂରରେ ଅବସ୍ଥିତ ଏହି ଜଳଭଣ୍ଡାର ନିକଟରେ ବଣଭୋଜି କରିବା ପାଇଁ ଉପଯୁକ୍ତ ସ୍ଥାନ । କେବଳ ଜିଲ୍ଲାର ଦେଶୀୟ ପର୍ଯ୍ୟଟକ ନୁହନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରୁ ମଧ୍ୟ ଏଠାକୁ ପର୍ଯ୍ୟଟକ ଆସି ସମୟ ବିତାଇଥାନ୍ତି । ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏହାର ବିକାଶ କଲେ ଏହା ଆଗାମୀ ଦିନରେ ଭଲ ପର୍ଯ୍ୟଟନସ୍ଥଳୀ ହୋଇପାରିବ।

ସୌନ୍ଦର୍ଯ୍ୟର ଗନ୍ତାଘର ବିଶ୍ୱଘାତ୍

ପ୍ରସିଦ୍ଧ ଶୈବପୀଠ ଘୋଘରେଶ୍ୱର । ମନ୍ଦିରା, କାଂସବାହାଲ ଡ୍ୟାମ୍ । ଏଭଳି ଏକାଧିକ ପର୍ଯ୍ୟଟନସ୍ଥଳୀକୁ ନେଇ ସମୃଦ୍ଧ ରାଜଗାଙ୍ଗପୁର । ହେଲେ ଆହୁରି ଅନେକ ପର୍ଯ୍ୟଟନ ସ୍ଥଳୀ ଅମାପ ସମ୍ଭାବନା ସତ୍ତେ୍ୱ ପ୍ରସିଦ୍ଧି ଲାଭ କରିନି । ଘଞ୍ଚ ଜଙ୍ଗଲ ଭିତରେ ଥିବା ବିଶ୍ୱଘାତ ଓ ଦେମୁଲଝରନ ଜଳପ୍ରପାତ ଏହାର ଉଦାହରଣ । ରାଜଗାଙ୍ଗପୁର ସହର ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ବୁଢ଼ାଆମ୍ ପଞ୍ଚାୟତ ଅନ୍ତର୍ଗତ ବନଖମନ ଗାଁ । ସେଠାରୁ ମାତ୍ର ୩ କିମି ଦୂରରେ ରହିଛି ବିଶ୍ୱଘାତ ଜଳପ୍ରପାତ । ବନଖମନ ପର୍ଯ୍ୟନ୍ତ ଚାରିଚକିଆ ଗାଡ଼ି ଯାଉଛି । ସେଠାରୁ ମାଟି ରାସ୍ତାରେ ୩ କିମି ଗଲେ ବନ ବିଭାଗର ଯାଞ୍ଚ ଫାଟକ । ଯାହା ବନ୍ଦ ପଡ଼ିଛି । ସେହିସ୍ଥାନରୁ ପାହାଡ଼ିଆ ପାଦଚଲା ରାସ୍ତାରେ ପ୍ରାୟ ୫୦୦ ମିଟର ଗଲେ ବିଶ୍ୱଘାତ ଜଳ ପ୍ରପାତ । ଛୋଟିଆ ବନଝରଣାରୁ ସୃଷ୍ଟି ଏହି ଜଳପ୍ରପାତରେ ୨୦ ଫୁଟ୍ ଉଚ୍ଚତାରୁ ପାଣି ଖସୁଛି । ସବୁଠାରୁ ଚମତ୍କାର କଥା ହେଉଛି, ଭୂଇଁକୁ ଛୁଉଁଥିବା ଜଳରାଶି ବିଚ୍ଛୁରିତ ହୋଇ ସୂର୍ଯ୍ୟ କିରଣରେ ଇନ୍ଦ୍ରଧନୁ ସୃଷ୍ଟି କରିଥାଏ । ଖରାଦିନେ ଜଳଧାରା ଶୁଖି ଯାଉଥିବାବେଳେ ବର୍ଷାଦିନେ ପାହାଡ଼ିଆ ପାଣି ସ୍ରୋତରେ ଉଗ୍ରରୂପ ଧାରଣ କରିଥାଏ । ଅଦ୍ୟାବଧି ଏହି ଜଳପ୍ରପାତର ପ୍ରଚାରପ୍ରସାର ହୋଇପାରିନାହିଁ । ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟକମାନେ ଏଠାରେ ବଣଭୋଜି କରିଥାଆନ୍ତି । ରାଜଗାଙ୍ଗପୁର ବନାଞ୍ଚଳ ମହୁଲଡ଼ିହି ସେକ୍ସନ ସଂରକ୍ଷିତ ଜଙ୍ଗଲ ଭିତରେ ଜଳପ୍ରପାତ ରହିଛି । ବନ ବିଭାଗର ଅଧୀନରେ ଥିବାରୁ ସ୍ଥାନୀୟ ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ବିକାଶ ଦିଗରେ ପଦକ୍ଷେପ ନିଆଯାଇନାହିଁ । ପ୍ରାକୃତିକ ପରିବେଶକୁ କ୍ଷତି ନ ପହଞ୍ଚାଇ ଏଠାରେ ଇକୋ ଟୁରିଜିମ୍ କରାଗଲେ ଏହା ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ହୋଇପାରିବ ।

ଦେମୁଲ ଝରନ୍..

ରାଜଗାଙ୍ଗପୁର ବ୍ଲକ ଜରେଇକେଲା ପଞ୍ଚାୟତ ଚାନ୍ଦିପୋଷ ଗ୍ରାମ ନିକଟରେ ରହିଛି ଛୋଟିଆ, ସୁନ୍ଦର ଜଳପ୍ରପାତ ଦେମୁଲ ଝରନ । ସ୍ଥାନୀୟ ଭାଷାରେ ଦେମୁଲ ଅର୍ଥ ପୂଜାସ୍ଥଳୀ ଏବଂ ଝରନ ଅର୍ଥ ଝର ବା ଝରଣା । ଦୁଇପଟେ ଉଚ୍ଚ ଚଟାଣ ମଧ୍ୟରେ ପାହାଡ଼କୁ କଣା କରି ଝରଣାର ଶୀତଳ ଜଳ ତଳକୁ ଆସୁଛି । ଭୂଇଁରେ ପଡ଼ି କୁଳୁକୁଳୁ ନାଦରେ ବହି ଚାଲିଛି । ଝରଣାର ଉପର ପଟେ ଯିବାକୁ ହେଲେ ବିପଦପୂର୍ଣ୍ଣ ରାସ୍ତାରେ ଓହଳ ସାହାଯ୍ୟରେ ବଡ଼ ବଡ଼ ଚଟାଣ ଦେଇଯିବାକୁ ପଡିଥାଏ । ସେଠାରେ ପହଞ୍ଚିବା ପରେ ପାହାଡ଼ର ପାଦ ଦେଶରେ ପଡୁଥିବା କାଚ କେନ୍ଦୁ ପରି ସ୍ୱଚ୍ଛ ଓ ଶୀତଳ ଝରଣା ପାଣି ପର୍ଯ୍ୟଟକଙ୍କ ସବୁ କ୍ଲାନ୍ତି ଦୂର କରିଦିଏ । କରୋନା ମହାମାରୀ ସମୟରେ ଏହି ଲୁକ୍କାୟିତ ଜଳପ୍ରପାତ ଲୋକଲୋଚନକୁ ଆସିଥିଲା । ଏବେ ବର୍ଷତମାମ ୟୁଟ୍ୟୁବର, ପ୍ରକୃତିପ୍ରେମୀଙ୍କ ଭିଡ଼ ଲାଗୁଛି ।

ରିପୋର୍ଟ: ରାଉରକେଲାରୁ ସୁଶାନ୍ତ ସାହୁ, ସୁନ୍ଦରଗଡ଼ରୁ ଜଗମୋହନ ରାଉତ, ବିଶ୍ରାରୁ ସୁଜ୍ଞାନୀ ରାୟ, ଗୁରୁଣ୍ଡିଆରୁ ଦିଲ୍ଲୀପ ଭାରତୀ, ରାଜଗାଙ୍ଗପୁରରୁ ସୁଧୀର ଦାସ, ବଣାଇଁରୁ ଜିତେନ୍ଦ୍ର ଆଚାର୍ଯ୍ୟ ।