ସୁନ୍ଦରଗଡ଼, ୧୯/୧୧ : ଟ୍ରେଲର ଧକ୍କାରେ ସୁନ୍ଦରଗଡ଼ ଜିଲ୍ଲା ଟ୍ରାନ୍ସପୋର୍ଟ ମ୍ୟାନେଜର ଅମରେଶ ମହାନ୍ତିଙ୍କ ମୃତ୍ୟୁ। ୧୦ ନମ୍ଵର ରାଜ୍ୟ ରାଜପଥ ସଦର ଥାନା ଅନ୍ତର୍ଗତ ଫଗୁଆପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇ ଟ୍ରେଲରଟି ଫେରାର୍ ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଡିଟିଏମ୍ ଅମରେଶ ମହାନ୍ତି ବୁଧବାର ସକାଳେ ଫଗୁଆପଡ଼ା ନିକଟରେ ଚାଲି ଚାଲି ରାସ୍ତା ଅତିକ୍ରମ କରୁଥିଲେ। ଏହି ସମୟରେ ସୁନ୍ଦରଗଡ଼ ପଟୁ ରାଉରକେଲା ଆଡ଼କୁ ଯାଉଥିବା ଏକ ଟ୍ରେଲର ତାଙ୍କୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା। ଦୁର୍ଘଟଣାରେ ଅମରେଶ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରିବା ଲାଗି ଉଦ୍ୟମ ଜାରି ରଖିଛି।