ଭୁବନେଶ୍ୱର : ଓଡ଼ିଶା ସରକାର ଆଜି ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ଉତ୍ସବରେ 'ନାରୀ ଶକ୍ତି'କୁ କେନ୍ଦ୍ର କରି ଏକ ଆକର୍ଷଣୀୟ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିଛନ୍ତି। ମହାତ୍ମା ଗାନ୍ଧୀ ମାର୍ଗରେ ପ୍ରଦର୍ଶିତ ଏହି ପ୍ରଜ୍ଞାପନ ମେଢର ବିଷୟବସ୍ତୁ ଥିଲା 'ପରିବହନ କ୍ଷେତ୍ରରେ ମହିଳାମାନେ'। ଏହାର ମୁଖ୍ୟ ଆକର୍ଷଣ ଥିଲେ ସୁନ୍ଦରଗଡ଼ ଜିଲ୍ଲାର ହାତିବାରି ଗ୍ରାମର ୪୧ ବର୍ଷୀୟା ମୁନ୍ନି ଟିଗା , ଯିଏ ପୁରୁଷ ପ୍ରଧାନ କ୍ଷେତ୍ରରେ ଏକ ପ୍ରେରଣାଦାୟୀ ଉଦାହରଣ ସ୍ଥାପନ କରିଛନ୍ତି।
ଏହାସହ ମଧ୍ୟ ପଢନ୍ତୁ : ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
ଗତ ୧୪ ବର୍ଷ ଧରି ମାଲବାହୀ ଟ୍ରେନ୍( freight train) ଚଳାଇ ଆସୁଥିବା ମୁନ୍ନି ଟିଗାଙ୍କ ଜୀବନ କାହାଣୀ ହେଉଛି ସଂଘର୍ଷ, ଦାରିଦ୍ର୍ୟ ଓ ବାଧାବିପତ୍ତିକୁ ଜୟ କରିବାର ଏକ ଜ୍ୱଳନ୍ତ ଉଦାହରଣ। ଏକ ଏକ ସାଧାରଣ କୃଷକ ପରିବାରରେ ଜନ୍ମିତ ମୁନ୍ନି ୨୦୦୨ ମସିହାରେ କୁମଝରିଆ ବାଳିକା ଉଚ୍ଚ ବିଦ୍ୟାଳୟରେ ନିଜ ବ୍ୟାଚ୍ରେ ପ୍ରଥମ ହୋଇଥିଲେ। କିନ୍ତୁ ଆର୍ଥିକ ଅସୁବିଧା ଯୋଗୁଁ ତାଙ୍କ ପିତା ମୁନ୍ନିଙ୍କ ସମେତ ସାତଜଣ ସନ୍ତାନଙ୍କୁ ପାଳନ କରି, ଉଚ୍ଚ ଶିକ୍ଷା ପାଇଁ ଖର୍ଚ୍ଚ ବହନ କରିବାକୁ ଅସମର୍ଥ ଥିଲେ। ହତାଶ ହୋଇ ମୁନି ପିତାଙ୍କ ସହ ଛୋଟ ଜମିରେ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ଆରମ୍ଭ କଲେ। ଘରର ଖର୍ଚ୍ଚ ବହନ ଚଳେଇବା ପାଇଁ ସେ ୧୩-୧୪ କିଲୋମିଟର ଦୂରରେ ଥିବା ଏକ ପ୍ରାଇଭେଟ୍ ଫାକ୍ଟ୍ରିରେ ମଜୁରି କାମ କରିବାକୁ ଲାଗିଲେ। ସେଦିନର କଥାକୁ ମନେପକାଇ ମୁନ୍ନି ଟିଗା କୁହନ୍ତି , କେମିତି ତାଙ୍କ ମାଆ ଚାଙ୍କୁ ପ୍ରତିଦିନ ଭୋର ୨ଟାରେ ନିଦରୁ ଉଠାଇ ଦିଅନ୍ତି ଏବଂ ସେ ସାଇକେଲରେ କାମକୁ ବାହାରି ପଡ଼ନ୍ତି। ଖରାପ ରାସ୍ତାରେ ସେ ସାହସର ସହ କାମ କରି ସନ୍ଧ୍ୟାରେ ଫେରନ୍ତି, ଯାହାକି ଏହା ତାଙ୍କର ଅଦମ୍ୟ ସାହସର ପରିଚୟ ଦେଇଥିଲା।
୨୦୦୪ ମସିହାରେ ଯେତେବେଳେ ସେ ତାଙ୍କ ବଡ଼ ଭଉଣୀଙ୍କ ଘରକୁ ରାଉରକେଲା ଯାଇଥିଲେ, ସେଠାରେ ସେ ଦେଖିଲେ ତାଙ୍କର ଜଣେ ସ୍କୁଲ ସାଙ୍ଗ କଲେଜରେ ପଢ଼ୁଛି। ଏହା ତାଙ୍କ ମଧ୍ୟରେ ନୂଆ କୌତୁହଳ ଜାତ କଲା ସେ ଏସଜି ମହିଳା ମହାବିଦ୍ୟାଳୟରେ ପ୍ଲସ୍ ଟୁ ସାଇନ୍ସରେ ନାମ ଲେଖାଇଲେ। କିନ୍ତୁ ବ୍ୟକ୍ତିଗତ କାରଣରୁ ଦୁଇ ବର୍ଷ ପରେ ସେ ପରୀକ୍ଷାରେ ଅସଫଳ ହୋଇ ଥିଲେ।
ହତାଶା ଭାଙ୍ଗି ପଡ଼ିଥିବା ସମୟରେ ମୁନ୍ନି ଭଉଣୀଙ୍କ ଘର ନିକଟରେ ରହୁଥିବା କିଛି ଛାତ୍ରଛାତ୍ରୀ, ଯେଉଁମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ, ତାଙ୍କୁ ହାର ନ ମାନିବାକୁ ଉତ୍ସାହିତ କଲେ ଏବଂ ରେଲୱେ ପରୀକ୍ଷା ଦେବାକୁ ପରାମର୍ଶ ଦେଲେ। ଏହି ପରାମର୍ଶକୁ ଗ୍ରହଣ କରି ୨୦୦୬ରେ ସେ ବରଗଡ଼ର ସରକାରୀ ଆଇଟିଆଇ କଲେଜରେ ଭର୍ତ୍ତି ହେଲେ। ସଫଳତାର ସହ ପାଠପଢା ଶେଷ କରି ବିଭିନ୍ନ ଜୋନ୍ରେ ରେଲୱେ ପରୀକ୍ଷା ଦେଲେ। ତାଙ୍କର କଠିନ ପରିଶ୍ରମର ଫଳସ୍ୱରୂପେ ୨୦୧୧ ନଭେମ୍ବରରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ଭାବେ ଯୋଗ ଦେଲେ। ୨୦୧୬ରେ ପ୍ରମୋସନ୍ ପାଇ ପୂର୍ଣ୍ଣ ଲୋକୋ ପାଇଲଟ୍ ହେଲେ। ୨୦୧୩ରେ ବିବାହ କରିଥିବା ମୁନିଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି।
ବର୍ତ୍ତମାନ ସେ ଆନ୍ଧ୍ରପ୍ରଦେଶର ପାଲାସାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଗୁଡ଼ସ୍ ଟ୍ରେନ୍ ଚଳାଉଛନ୍ତି। ଗଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢରେ 'ପାଇଲଟ୍ ସିଟ୍'ରେ ବସି ତାଙ୍କ ଉପସ୍ଥିତି ମହିଳାମାନଙ୍କର ପରିବହନ କ୍ଷେତ୍ରରେ ବଢ଼ିବାର ଭୂମିକାକୁ ଉଜ୍ଜ୍ୱଳ କରିଛି। ସୂଚନା ଆଧାରରେ ଇଷ୍ଟ୍ କୋଷ୍ଟ ରେଲୱେରେ ୩୫ ଜଣ ମହିଳା ଲୋକୋ ପାଇଲଟ୍ ଓ ୧୨୬ ଜଣ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ରହିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ଓଡ଼ିଶାର।
ମୁନ୍ନି କୁହନ୍ତି -ମୋ ପିଲାମାନଙ୍କୁ ଶିକ୍ଷା ଦେବା ମୋର ପ୍ରଥମ ଅଗ୍ରାଧିକାର। ମୁଁ ଚାହୁଁଛି ସେମାନେ ସ୍ୱାଧୀନ ବ୍ୟକ୍ତି ଭାବେ ବଞ୍ଚନ୍ତୁ। ବିଭିନ୍ନ ସାମାଜିକ ପ୍ରଭାବକୁ ନମାନି ନିଜ ସ୍ୱପ୍ନକୁ ପୂରଣ କରନ୍ତୁ ବୋଲି ସେ ସବୁ ମହିଳାମାନଙ୍କୁ ଉପଦେଶ ଦେଇଛନ୍ତି । ମୁନ୍ନି ଟିଗାଙ୍କ ଏହି ଯାତ୍ରା ଓଡ଼ିଶାର ଅନେକ ମହିଳାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ପାଲଟିଛି।