ଭୁବନେଶ୍ୱର ୦୪/୦୧(ବିଜୟ ମିଶ୍ର): କଥାରେ ଅଛି ବାର ମାସରେ ତେର ପର୍ବ । ହେଲେ ଏକାମ୍ରକ୍ଷେତ୍ରର ସୁନ୍ଦରପଦା-କପିଳପ୍ରସାଦ ଗ୍ରାମରେ ୧୨ ମାସରେ ୫୨ ପର୍ବ । ବର୍ଷତମାମ ଏହି ଗ୍ରାମଟି ବିଭିନ୍ନ ଉତ୍ସବରେ ଚଳଚଞ୍ଚଳ । ପ୍ରତି ଉତ୍ସବ ଓ ମହୋତ୍ସବରେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ମାର୍ଜିତ ଢଙ୍ଗରେ ଦେଖିବାକୁ ମିଳେ । ଏକାମ୍ରକ୍ଷେତ୍ର ତଥା ରାଜଧାନୀ ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ଯେତେ ଗ୍ରାମ, ଜନବସତି ଅଛି ସବୁଠାରୁ ସଂସ୍କୃତି ସମ୍ପନ୍ନ ଗ୍ରାମ ଭାବେ ଉପରୋକ୍ତ ୨ଟି ଜନବସତି ଖ୍ୟାତି ଅର୍ଜନ କରିଛି । ବାଦିପାଲାଠୁ ଆରମ୍ଭ କରି କାଞ୍ଜିଅଁଳା ପୂଜା ପର୍ଯ୍ୟନ୍ତ ସବୁକିଛି ନିଷ୍ଠାର ସହିତ ଏଇଠି ପାଳନ ହୁଏ । ଏହି ଗ୍ରାମ ୨ଟିକୁ ଏକାମ୍ରକ୍ଷେତ୍ରର ସାଂସ୍କୃତିକ ରାଜଧାନୀ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ସୁନ୍ଦରପଦା-କପିଳପ୍ରସାଦ ଐତିହ୍ୟ ସମ୍ପନ୍ନ ଗ୍ରାମ । ସମ୍ରାଟ କପିଳେନ୍ଦ୍ର ଦେବ ଏହି ଜନବସତି ପ୍ରତିଷ୍ଠା କରିଥିଲେ ବୋଲି ଇତିହାସ କହୁଛି । କପିଳେନ୍ଦ୍ରଦେବଙ୍କ କୀର୍ତ୍ତିଭାବେ ଦଧିବାମନ ମନ୍ଦିର ଏଠି ବିଦ୍ୟମାନ । ସେହିଭଳି ଗୋଖିବାବା ପୀଠ, କାଳିଆଶନି ପୀଠ, ସିଦ୍ଧ ମହାବୀର ମନ୍ଦିର, ପୁରୁଣା ମସଜିଦ୍ ଭଳି ଅନେକ ପୁରାତନ କୀର୍ତ୍ତିରାଜି ପ୍ରତିଷ୍ଠିତ । ଯାହାର ପ୍ରଭାବରେ ଆବହମାନ କାଳରୁ ଏହି ୨ଟି ଗ୍ରାମ ସଂସ୍କୃତିକୁ ପୁଞ୍ଜି କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।
ତିନିଟି ପର୍ବକୁ ଏଠାରେ ମହୋତ୍ସବ ଭାବେ ପାଳନ କରାଯାଏ । ମକର ସଂକ୍ରାନ୍ତି ତିଥିରୁ ଆରମ୍ଭ ହୋଇଯାଏ ମକର ମେଳା । ୧୧ ଦିନ ବ୍ୟାପୀ ଏହି ମହୋତ୍ସବ ଅବସରରେ ଆଧ୍ୟାତ୍ମିକ, ସାଂସ୍କୃତିକ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ ଦିନରାତି ଏକାକାର ହୋଇଯାଏ । ଅନ୍ୟତମ ମହୋତ୍ସବ ଯାହାକୁ ଆଜିକାଲି ଦେଖିବାକୁ ବିରଳ ହୋଇଗଲାଣି । ତାହା ହେଉଛି ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେଉଥିବା ବାଦି ପାଲା ପ୍ରତିଯୋଗିତା । ଆବହମାନ କାଳରୁ ଥିବା ଐତିହ୍ୟସମ୍ପନ୍ନ ପାଲା ମଣ୍ଡପରେ ଓଡ଼ିଶାର ଖ୍ୟାତନାମା ପାଲା ଗାୟକ ଗଣ ନିମନ୍ତ୍ରିତ ହୁଅନ୍ତି । ସପ୍ତାହେ ବ୍ୟାପୀ ଏହି ଅନନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନେକ ପଣ୍ଡିତ, ବୁଦ୍ଧିଜୀବୀ ଦର୍ଶକ ଭାବେ ଯୋଗଦିଅନ୍ତି । ସଂସ୍କୃତି ଜ୍ଞାନର ପରାକାଷ୍ଠା ଦେଖାଇବାକୁ ଏହି ମଣ୍ଡପ ହେଉଛି ପ୍ରକୃଷ୍ଟ ସ୍ଥାନ । ତେବେ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ସବୁଠାରୁ ବଡ଼ ମହୋତ୍ସବ ହେଉଛି ଭାଦ୍ରବ ମାସରେ ଖୁଦୁରୁକୁଣି ପୂଜା । ପ୍ରାୟ ୫୦ ହେବ ଖୁଦୁରୁକୁଣି ମେଢ଼ରେ ଅଞ୍ଚଳ ପରିପୂର୍ଣ୍ଣ ହୋଇଯାଏ । ମାସେ କାଳ ଗ୍ରାମଦ୍ୱୟ ଚଳଚଞ୍ଚଳ ହୋଇଉଠେ । ସାତସାଧବଙ୍କ ଦରିଆ ପାରି ଯାତ୍ରାଠୁ ଆରମ୍ଭ କରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ମାସତମାମ ଆନନ୍ଦଉଲ୍ଲାସରେ ବିତିଯାଏ ।
ଓଡ଼ିଆ ମାସ ଆଧାରରେ ବୈଶାଖରେ ସାବିତ୍ରୀ ଅମାବାସ୍ୟା, ବୁଦ୍ଧ ପୂର୍ଣ୍ଣିମା, ଭଉଁରୀ ଯାତ୍ରା, ମୁସଲିମଙ୍କ ପର୍ବ ଇଦ୍ ଉଲ ଜୁହା ଆଦି ପର୍ବ ମହାସମାରୋହରେ ପାଳନ କରାଯାଏ । ଜ୍ୟେଷ୍ଠ ମାସରେ ରଜ ମହୋତ୍ସବ, ଶୀତଳ ଷଷ୍ଠୀ, ଗଙ୍ଗା ଦଶହରା, ଦେବସ୍ନାନ ପୂର୍ଣ୍ଣିମା, ନବଯୌବନ ବେଶ, ମହରମ୍ ପର୍ବ ବିଧିମତେ ନିର୍ବାହ କରନ୍ତି । ଆଷାଢ଼-ଶ୍ରାବଣରେ ବୋଲବମ୍, ଝୁଲଣ, ରାକ୍ଷୀ ପୂର୍ଣ୍ଣିମା, ଚିତାଲାଗି ଅମାବାସ୍ୟା ଆଦି ଉତ୍ସବରେ ଗ୍ରାମବାସୀ ଏକାଠି ହୁଅନ୍ତି । ଭାଦ୍ରବ-ଆଶ୍ୱିନ ମାସରେ ଜନ୍ମାଷ୍ଟମୀ, ବାଲି ତୃତୀୟା, ବୁଧେଇ ଓଷା, ଗଣେଶ ପୂଜା, ଷଠୀ ପୂଜା, ମହମ୍ମଦଙ୍କ ଜୟନ୍ତୀ, ଗୁରୁଦିବସ, ଦୁର୍ଗାପୂଜା, ମହାଳୟା, ବିଶ୍ୱକର୍ମା ପୂଜା, ଅଁଳା ନବମୀ ଆଦି ପର୍ବରେ ପରମ୍ପରାର ନିଚ୍ଛକ ଝଲକ ଦେଖିବାକୁ ମିଳେ । କାର୍ତ୍ତିକ ମାର୍ଗଶିର ମାସରେ ପ୍ରଥମାଷ୍ଟମୀ, ବଡ଼ ଓଷା, ଗଜଲକ୍ଷ୍ମୀ ପୂଜା, ମାଣବସା, କାର୍ତ୍ତିକେଶ୍ୱର ପୂଜା ନିଷ୍ଠାପର ଓ ହର୍ଷଉଲ୍ଲାସରେ ପାଳନ କରନ୍ତି । ପୌଷ-ମାଘରେ ପଣ୍ଡୁ ଓଷା, ଦାଣ୍ଡ ପହରା, ଧନୁ ସଂକ୍ରାନ୍ତି, ବକୁଳ ଅମାବାସ୍ୟା, ଶାମ୍ବ ଦଶମୀ ଆଦି ପର୍ବରେ ପରସ୍ପର ମଧ୍ୟରେ ମୁଆଁ, ପିଠା ବଣ୍ଟନ କରି ପଡ଼ୋଶୀଙ୍କ ସହିତ ସମ୍ପର୍କ ବଢ଼ାନ୍ତି । ଫାଲଗୁନ-ଚୈତ୍ରରେ ଶ୍ରୀକପିଳେଶ୍ୱର ଦେବଙ୍କ ଗଡ଼ଯାତ୍ରା, ହୋଲି, ଅଗ୍ନି ଉତ୍ସବ, ଅକ୍ଷୟ ତୃତୀୟା, ରାମଲୀଳା, ଚୈତ୍ର ପୂର୍ଣ୍ଣିମାରେ ପ୍ରାଚୀନ ସଂସ୍କୃତିର ଭାବଧାରା ଅନୁଭବ କରିହୁଏ ।
ଖାଲି ଏତିକି ନୁହେଁ ଗ୍ରାମବାସୀଙ୍କ ଆୟୋଜନରେ ଏଠି ପ୍ରତିବର୍ଷ ୩ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଏକାଧିକ ଯାତ୍ରା ପାର୍ଟିର ପରିବେଷଣ ଅନୁଷ୍ଠିତ ହୁଏ । ସବୁଠାରୁ ବଡ଼କଥା ହେଲା ଉତ୍ସବର ପ୍ରସ୍ତୁତି ପୂର୍ବରୁ ଗ୍ରାମବାସୀ ଛତିଶା ବୈଠକ ଡାକନ୍ତି । ଏହି ଛତିଶା କମିଟିରେ ଜାତି, ଧର୍ମ ନିର୍ବିଶେଷରେ ସମସ୍ତ ସଦସ୍ୟ ଏକାଠି ହୋଇ ପରବର୍ତ୍ତୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରନ୍ତି ।