ନୂଆଦିଲ୍ଲୀ: ଦିବଂଗତ ଏନସିପି ନେତା ଅଜିତ ପାଓ୍ବାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସୁନେତ୍ରା ପାୱାର । ଏହି ସମୟରେ ଏକ ବଡ ଖୁଲାସା କରିଛି ଶିବସେନା(ୟୁବିଟି) ମୁଖପତ୍ର ‘ସାମନା’। ସୋମବାର ଶିବସେନା (ୟୁବିଟି) ଦାବି କରିଛି ଯେ ଏନସିପି ନେତା ସୁନେତ୍ରା ପାୱାରଙ୍କୁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଇବା ପଛରେ ବିଜେପି ନେତୃତ୍ୱର ହାତ ଅଛି। ଶିବସେନା (ୟୁବିଟି) ମୁଖପତ୍ର "ସାମନା"ର ଏକ ସମ୍ପାଦକୀୟରେ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ, ବିଜେପି ନେତୃତ୍ୱ ଏବଂ ଏନସିପି ନେତା ସୁନୀଲ ତଟକାରେ ଏବଂ ପ୍ରଫୁଲ ପଟେଲ ଏନସିପିର ଦୁଇ ଗୋଷ୍ଠୀର ମିଶ୍ରଣ ଚାହୁଁନାହାଁନ୍ତି।

"ସାମନା" ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି ଯେ, ଉପମୁଖ୍ୟମନ୍ତ୍ରୀ ଭାବରେ ସୁନେତ୍ର ପାୱାରଙ୍କ ପଦବୀ କେବଳ ଏକ ଆନୁଷ୍ଠାନିକ ହେବା ଉଚିତ୍ ନୁହେଁ ଏବଂ ସେ ଏକ "ଗୁଙ୍ଗି ଝିଅ " ଭାବରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିପାରିବେ ନାହିଁ ବୋଲି ମତ ଦିଆଯାଇଛି। ସମ୍ପାଦକୀୟରେ ଦାବି କରାଯାଇଛି ଯେ, ଏନସିପି ବିଜେପି ସହିତ ମେଣ୍ଟ କରିଛି, ଯାହାର ଏକ ସନାତନୀ ଚିନ୍ତାଧାରା ଅଛି, ଏବଂ ତାଙ୍କ ସ୍ୱାମୀଙ୍କ ଶବଦାହ ପୂର୍ବରୁ ସୁନେତ୍ରା ପାୱାରଙ୍କ ଶପଥ ଗ୍ରହଣ ହିନ୍ଦୁତ୍ୱ ନୀତି ସହିତ ଅସଙ୍ଗତ।

ସୁନେତ୍ରା ପାୱାର କାହାର ଇଚ୍ଛାରେ ଶପଥ ନେଇଥିଲେ ?

ଶିବସେନା ମୁଖପତ୍ରରେ କୁହାଯାଇଛି ଯେ ମହାରାଷ୍ଟ୍ର ଏହି ପ୍ରଶ୍ନର ସମ୍ମୁଖୀନ ହେଉଛି ଯେ ସୁନେତ୍ରା ପାୱାର କାହାର ଇଚ୍ଛାରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ, କାରଣ ଏନସିପି (SP) ଅଧ୍ୟକ୍ଷ ଶରଦ ପାୱାର, ଏହାର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ କିମ୍ବା ପାୱାର ପରିବାରର କୌଣସି ସଦସ୍ୟ ଏ ବିଷୟରେ ଅବଗତ ନଥିଲେ। ସମ୍ପାଦକୀୟରେ ଏହା ମଧ୍ୟ କୁହାଯାଇଛି ଯେ, ସୁନେତ୍ରା ପାୱାର ଶପଥ ଗ୍ରହଣ ସମାରୋହ ପାଇଁ ବାରାମତି ଛାଡି ମୁମ୍ବାଇ ଯିବାର ସାମାନ୍ୟତମ ସୂଚନା ଦେଇ ନଥିଲେ।

ବିଜେପି ନେତୃତ୍ୱ ଏହି ରାଜନୈତିକ ଚାଲବାଜିର ମାଷ୍ଟର ମାଇଣ୍ଡ...

ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଦାବି କରିଥିଲା ଯେ ବିଜେପି ନେତୃତ୍ୱ ଏହି ରାଜନୈତିକ ଚାଲବାଜିର ମାଷ୍ଟରମାଇଣ୍ଡ। ଅଜିତ ପାୱାରଙ୍କ ମୃତ୍ୟୁ ପାୱାର ପରିବାର ଏବଂ ମହାରାଷ୍ଟ୍ର ରାଜନୀତି ଭିତରେ ଜଟିଳତା ବୃଦ୍ଧି କରିଛି । ଅନେକ ଚାହାଁନ୍ତି ଯେ, ଏହି ପ୍ରସଙ୍ଗ ଗୁଡ଼ିକ ଅସମାହିତ ରହୁ। ଅଜିତ ପାୱାରଙ୍କ ମୃତ୍ୟୁ ପରେ NCP ମଧ୍ୟରେ ଅସ୍ଥିରତାର ବାତାବରଣ ରହିଛି, କାରଣ କିଛି ନେତା ଅଧିକ ମହତ୍ୱାକାଂକ୍ଷୀ ହୋଇଯାଇଛନ୍ତି ଏବଂ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦଳ ମଧ୍ୟରେ ପ୍ରତିଯୋଗିତା ଚାଲିଛି।

ସୁନେତ୍ର ପାୱାରଙ୍କୁ ଦଳର ଦାୟିତ୍ୱ ଦିଆଯାଇଛି, କିନ୍ତୁ ଏହାର ଇଞ୍ଜିନ ଏବଂ ନିୟନ୍ତ୍ରଣ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ହାତରେ ରହିଛି । ଶିବସେନା (UBT) ଅଭିଯୋଗ କରିଛି ଯେ ସୁନେତ୍ର ପାୱାର ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଉଭୟ କେବଳ ଫଡନଭିସଙ୍କ ଦୟାରେ ବଞ୍ଚିପାରିବେ । 

ଏହା ସହ ପଢନ୍ତୁ : ପୁଣି ଏକାଠି ହେବେ କି NCP ର ଦୁଇ ଗୋଷ୍ଠୀ ? ଫେବୃଆରୀ ୧୨ ତାରିଖର ମିଶ୍ରଣ ପର୍ବକୁ ନେଇ ଏମିତି କହିଲେ ଶରଦ ପାଓ୍ବାର…