ନୂଆଦିଲ୍ଲୀ: ଭାରତର ରେକର୍ଡ ଗୋଲ ସ୍କୋରର ଏବଂ ପୂର୍ବତନ ଅଧିନାୟକ ସୁନୀଲ ଛେତ୍ରୀ ତାଙ୍କ ଅବସର ପ୍ରତ୍ୟାହାର କରିଛନ୍ତି। ୪୦ ବର୍ଷ ବୟସରେ, ସୁନୀଲ ଛେତ୍ରୀ ପୁଣି ଥରେ ଭାରତ ପାଇଁ ଫୁଟବଲ୍ ଖେଳିବେ । ଛେତ୍ରୀ ଗତ ବର୍ଷ ଜୁନ୍ ମାସରେ ଫିଫା ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟରେ କୁଏତ ସହ ଗୋଲ ଶୂନ୍ୟ ଡ୍ର ପରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଥିଲେ । ଛେତ୍ରୀ ପୁଣି ଥରେ ଭାରତ ପାଇଁ ଖେଳିବାକୁ ଯାଉଛନ୍ତି । ସମ୍ଭବତଃ ସେ AFC ଏସିଆନ୍ କପ୍ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିବେ । ଦେଶର ସର୍ବୋଚ୍ଚ ଫୁଟବଲ୍ ସଂସ୍ଥା ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (AIFF) ଗୁରୁବାର ଏହି ସୂଚନା ଦେଇଛି।

ଭାରତୀୟ ଫୁଟବଲ୍ ଦଳ ପକ୍ଷରୁ ଏକ ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଛି ଯେ, ସୁନୀଲ ଛେତ୍ରୀ ଫେରୁଛନ୍ତି । ପ୍ରାୟ ୧୯ ବର୍ଷର କ୍ୟାରିୟରରେ, ସେ ଅନ୍ତର୍ଜାତୀୟ ସ୍ତରରେ ୧୫୦ଟି ମ୍ୟାଚରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ସୁନୀଲ ଛେତ୍ରୀଙ୍କୁ ୨୦୧୧ରେ ଅର୍ଜୁନ ପୁରସ୍କାର ଏବଂ ୨୦୧୯ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ୨୦୨୧ରେ ସେ ଭାରତର ସର୍ବୋଚ୍ଚ କ୍ରୀଡା ସମ୍ମାନ, ଖେଳ ରତ୍ନ ପୁରସ୍କାର ପାଇବାରେ ପ୍ରଥମ ଫୁଟବଲ୍ ଖେଳାଳି ହୋଇଥିଲେ । ନିକଟରେ ଏକ ସାକ୍ଷାତକାରରେ, ପୂର୍ବତନ ଭାରତୀୟ ଅଧିନାୟକ ବାଇଚୁଙ୍ଗ ଭୂତିଆ ଷ୍ଟ୍ରାଇକରଙ୍କ ଅଭାବ ପାଇଁ ଦୁଃଖ ପ୍ରକାଶ କରିଥିଲେ ଏବଂ ସୁନୀଲ ଛେତ୍ରୀଙ୍କୁ ପ୍ରଶଂସା କରିଥିଲେ।
ସୁନୀଲ ଛେତ୍ରୀଙ୍କୁ ଭାରତର ସର୍ବଶ୍ରେଷ୍ଠ ଫୁଟବଲ୍ ଖେଳାଳି ଭାବରେ ବିବେଚନା କରାଯାଏ। ସେ ୧୫୧ଟି ଅନ୍ତର୍ଜାତୀୟ ମ୍ୟାଚ୍ରେ ୯୪ଟି ଗୋଲ ଦେଇଛନ୍ତି, ଯାହା କୌଣସି ଭାରତୀୟ ଖେଳାଳିଙ୍କ ଦ୍ୱାରା ସର୍ବାଧିକ । ସେ ପୁରୁଷ ଅନ୍ତର୍ଜାତୀୟ ଫୁଟବଲରେ ସର୍ବକାଳୀନ ସର୍ବାଧିକ ଗୋଲ ସ୍କୋରରଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି । କେବଳ କ୍ରିଷ୍ଟିଆନୋ ରୋନାଲ୍ଡୋ, ଲିଓନେଲ୍ ମେସି ଏବଂ ଅଲି ଦାଏଇଙ୍କ ପରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଗତ ବର୍ଷ ଅବସର ପରେ ମଧ୍ୟ ସୁନୀଲ ଛେତ୍ରୀ ଇଣ୍ଡିଆନ୍ ସୁପର ଲିଗ୍ (ISL) ରେ ବେଙ୍ଗାଲୁରୁ FC ପାଇଁ ଖେଳିବା ଜାରି ରଖିଥିଲେ । ସେ ISL ୨୦୨୪-୨୫ରେ ୧୨ଟି ଗୋଲ୍ କରିଛନ୍ତି।