ନୂଆଦିଲ୍ଲୀ, ୯।୩: ଟିମ୍ ଇଣ୍ଡିଆର ଐତିହାସିକ ବିଜୟରେ ଏବେ ସାରା ଦେଶ ଉତ୍ସବମୁଖର । ଗତ ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଭାରତ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଟାଇଟଲ୍ ନିଜ ନାମରେ କରିଛି । ଏହି କ୍ରମାଗତ ଦ୍ୱିତୀୟ ବିଜୟ ପରେ କ୍ରିକେଟ ପ୍ରେମୀଙ୍କ ଖୁସି କହିଲେ ନସରେ । କିନ୍ତୁ, ଏସବୁ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚା ସାଉଁଟୁଛି କ୍ରିକେଟ ଜଗତର କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କରଙ୍କ ଡ୍ୟାନ୍ସ । ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କରଙ୍କୁ ଏବେ ୭୬ ବର୍ଷ । କିନ୍ତୁ ଭାରତର ବିଜୟ ପରେ ମୈଦାନରେ ତାଙ୍କର ଯେଉଁ ରୂପ ଦେଖିବାକୁ ମିଳିଥିଲା, ତାହା କୌଣସି ଯୁବକଙ୍କଠାରୁ କମ୍ ନଥିଲା । ବିଶ୍ୱକପ୍ ଜିତିବା କ୍ଷଣି ଗାଭାସ୍କର ନିଜକୁ ଅଟକାଇ ପାରିନଥିଲେ ଏବଂ ଖୁସିରେ ଝୁମିବାକୁ ଲାଗିଥିଲେ । ଷ୍ଟାର୍ ସ୍ପୋର୍ଟସ୍ ପକ୍ଷରୁ ସେୟାର କରାଯାଇଥିବା ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି । ସୂଚନାନୁସାରେ, ଗତବର୍ଷ ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ମଧ୍ୟ ଗାଭାସ୍କର ଏହିପରି ନାଚି ସମସ୍ତଙ୍କ ମନ ଜିଣିଥିଲେ । 

ଏହା ବି ପଢ଼ନ୍ତୁ... 'ମୋ ଦାୟିତ୍ୱ ଡ୍ରେସିଂ ରୁମ୍‌ର ୩୦ ଖେଳାଳିଙ୍କ ପାଇଁ'; ବିଶ୍ୱକପ୍ ଜିତିବା ପରେ ସମାଲୋଚକଙ୍କ ଉପରେ ବର୍ଷିଲେ ଗୌତମ

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୫୫ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା । ସଞ୍ଜୁ ସାମସନ ସର୍ବାଧିକ ୮୯ ରନ୍ କରିଥିଲେ । ଇଶାନ କିଷାନ ୫୪ ରନ୍, ଅଭିଷେକ ଶର୍ମା ୫୨ ରନ୍, ଶିବମ ଦୁବେ ୮ ବଲ୍‌ରେ ବିସ୍ଫୋରକ ୨୬ ରନ୍ କରିଥିଲେ । ୨୫୬ ରନ୍‌ର ପିଛା କରୁଥିବା କିୱି ଦଳ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲା । ନ୍ୟୁଜିଲାଣ୍ଡ ମାତ୍ର ୧୫୯ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଜସପ୍ରୀତ ବୁମରା ୪ଟି ୱିକେଟ୍‌ ଓ ଅକ୍ଷର ପଟେଲ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଭାରତର ଏହି ଦମଦାର ବିଜୟ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଗାଭାସ୍କରଙ୍କ ସେହି ବିଜୟ ଡ୍ୟାନ୍ସ ଏବେ ପ୍ରତିଟି ଭାରତୀୟଙ୍କ ଭାବନାକୁ ପ୍ରତିଫଳିତ କରୁଛି ।

​​​​​​​