ନୂଆଦିଲ୍ଲୀ,୨୭/୦୯: ଆଉ ଏକ ରବିବାର । ଆଉ ଏକ ମୁକାବିଲା । କିଏ ହେବ ଏସିଆ କପ କିଙ୍ଗ୍ ? କିଏ ପିନ୍ଧିବ ବିଜୟ ମୁକୁଟ ? ଫାଇନାଲରେ ଜୋରଦାର ହେବ ଲଢେଇ । ପୁଣି ଥରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବିନ୍ଦୀ । ଇତିହାସରେ ପ୍ରଥମ ଥର ଏସିଆ କପ୍ ଟ୍ରଫି ଟକ୍କରରେ ଲଢିବେ ଭାରତ-ପାକିସ୍ତାନ । ୪୧ ବର୍ଷର ଅପେକ୍ଷା ସେପ୍ଟେମ୍ବର ୨୮ରେ ଅନ୍ତ ହେବ । ଏସିଆ କପ୍‌ ଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ହେବ । ଏହାକୁ ନେଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରାମର୍ଶ ଦେଇଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ପାକିସ୍ତାନ ବିପକ୍ଷରେ ଗେମ୍ ପ୍ଲାନ କ'ଣ ହେବ ସେ ବାବଦରେ କହିଛନ୍ତି ।

ଏସିଆ କପ୍ ଫାଇନାଲରେ ପାକିସ୍ତାନ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କୁ ତାଙ୍କର ସ୍ୱାଭାବିକ ଖେଳ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର । ଏବେ ଯାଏ ଟୁର୍ଣ୍ଣାମେଣ୍ଟ ୩୫ ବର୍ଷୀୟ ସୂର୍ଯ୍ୟକୁମାର ୫ ପାଳିରେ ମାତ୍ର ୭୧ ରନ୍ କରିଛନ୍ତି । ୨୩.୬୬ ଆଭରେଜ ଏବଂ ୧୦୭.୫୭ ଷ୍ଟ୍ରାଇକ ରେଟ ରହିଛି । ତାଙ୍କ ସ୍କୋର ୭ ନଟ୍ଆଉଟ, ୪୭ ନଟ୍ଆଉଟ୍, ୦, ୫ ଏବଂ ୧୨ ରହିଛି । ସୁନୀଲ ଗାଭାସ୍କର ସୂର୍ଯ୍ୟକୁମାରଙ୍କୁ ପରାମର୍ଶ ଦେଇ କହିଛନ୍ତି, ସେ ଜଣେ କ୍ଲାସ ଖେଳାଳି । ମୋର କେବଳ ଏତିକି ପରାମର୍ଶ ରହିବ ସେ ମଝିରେ ୨ରୁ୪ଟି ବଲ୍ ଖେଳନ୍ତୁ ଏବଂ ସ୍ଥିତି ପରଖନ୍ତୁ । ପାକିସ୍ତାନ ବିପକ୍ଷରେ ସ୍ୱାଭାବିକ ଖେଳ ପ୍ରଦର୍ଶନ କରନ୍ତୁ ।

ଆସନ୍ତା ରବିବାର ଫାଇନାଲ୍‌ ମୁକାବିଲା ଖେଳାଯିବ । ଏହା ବର୍ଷର ସବୁଠାରୁ ବଡ଼ କ୍ରିକେଟ ଯୁଦ୍ଧ ହେବ । ଲିଗକୁ ନେଇ ଫାଇନାଲ ମ୍ୟାଚ ଯାଏ ଭାରତ ଅପରାଜେୟ ରହିଛି । ପାକିସ୍ତାନ ବିପକ୍ଷରେ ଦୁଇଟି ମ୍ୟାଚରେ ଜବରଦସ୍ତ ବିଜୟ ହାସଲ କରିଛି ସୂର୍ଯ୍ୟସେନା । ଲିଗରେ ୭ ୱିକେଟ  ଓ ସୁପର ଫୋର ରାଉଣ୍ଡ ମ୍ୟାଚରେ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଥିଲା ଭାରତ । ଫାଇନାଲରେ ବି ପଡୋଶୀ ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ହରାଇ ଭାରତ ଏସିଆ କପ କିଙ୍ଗ୍‌ ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।