ନ୍ୟୁୟର୍କ,୭।୧୦: ମାତ୍ର ୮ ଦିନ ପାଇଁ ଯାଇ ମହାକାଶରେ ମାସ ମାସ ଧରି ଫଶି ରହିଛନ୍ତି ସୁନିତା ଓ୍ବିଲିୟମ୍ସ। ଆସନ୍ତା ବର୍ଷ ଫେବୃଆରୀ ମାସରେ ଫେରିବାର ଚର୍ଚ୍ଚା ହେଉଛି। ସେପଟେ ନଭେମ୍ବରରେ ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ହେଲେ ସେ ପର୍ଯ୍ୟନ୍ତ ସୁନିତା ପୃଥିବୀ ପୃଷ୍ଠକୁ ଫେରିବା ସମ୍ଭାବନା କମ୍। ଏହାପ‌ରେ ବି ସେ ନିଜ ଦେଶ ପାଇଁ ନେତା ନିର୍ବାଚିତ କରିପାରିବେ। କୁହାଯାଉଛି ଯେ, ସୁନିତା ଏଥର ମହାକାଶରୁ ଭୋଟ୍ ଦେବେ। ସ୍ପେସ୍‌ରୁ ମହାକାଶ ଯାତ୍ରୀଙ୍କୁ ଭୋଟ୍ ଦେବାର ପ୍ରଥା ୧୯୯୭ରୁ ଆରମ୍ଭ ହୋଇଛି।

ଆଇଏସ୍ଏସ୍  ଅର୍ଥାତ ଇଣ୍ଟର ନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍ର କମାଣ୍ଡର ଓ୍ବିଲିୟମ୍ସ ସ୍ପେସ୍‌ରୁ ହିଁ ମତଦାନ ପାଇଁ ପ୍ରସ୍ତୁତ ଅଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଦୂରରୁ ଭୋଟିଂରେ ସାମିଲ ହେବେ। ସେ ସ୍ପେସ୍‌ ମତାତାଙ୍କ ଏକ ସିଲେକ୍ଟ ଗ୍ରୁପରେ ସାମିଲ ହେବେ। ଇତିହାସରେ ସବୁଠାରୁ ପ୍ରଥମେ ଭୋଟ ଦେଇଥିବା ମହାକାଶଚାରୀ ହେଉଛନ୍ତି ଆମେରିକାର ଡେଭିଡ୍ ଉଫ୍। ସେଭଳି ନିକଟରେ ଏହି ଉପଲବ୍ଧି ପାଇଥିଲେ କେଟ୍ ରୁବିନ୍ସ। ସେ ୨୦୨୦ ନିର୍ବାଚନରେ ଭୋଟ୍ ଦେଇଥିଲେ।

ଯେଉଁଭଳି ଭାବରେ ବିଦେଶରେ ବସିଥିବା ଆମେରିକା ନାଗରିକ ମତଦାନରେ ସାମିଲ ହୋଇଥାନ୍ତି,ସେଭଳି ସମାନ ପକ୍ରିୟା ଦେଇ ଓ୍ବିଲିୟମ୍ସ ମଧ୍ୟ ଯିବେ। ତେବେ ଏଥିରେ ଆହୁରି ଅନେକ କଥା ରହିଛି। ସବୁଠାରୁ ପ୍ରଥମେ ତାଙ୍କୁ ଏବସେଣ୍ଟି ବାଲେଟ୍‌ ହାସଲ କରିବା ପାଇଁ ଫେଡରାଲ ପୋଷ୍ଟ କାର୍ଡ ଆପ୍ଲିକେସନ୍ ପୁରା କରିବାକୁ ହେବ। ଏହାକୁ ହାସଲ କରିବା ପରେ ସେ ଆଏସଏସ୍‌ର କମ୍ପ୍ୟୁଟର ସିଷ୍ଟମରେ ଇଲୋକ୍ଟୋରାଲ ବାଲେଟ୍ ଭରିବେ।

ଗଣମାଧ୍ୟମରି ରିପୋର୍ଟ ଅନୁସାରେ, ଏହି ଭୋଟିଂ ପକ୍ରିୟା SCaN ଅର୍ଥାତ ସୋଫିଷ୍ଟିକେଟେଡ୍ ସ୍ପେସ୍‌ କମ୍ୟୁନିକେସନ୍ ଆଣ୍ଡ ନାଭିଗେସନ୍ ଉପରେ ନିର୍ଭର କରେ। ଓ୍ବିଲିୟମ୍ସଙ୍କ ବାଲାଟ୍ ଏଜେନ୍ସି ନିକଟରେ ସ୍ପେସ୍ ନେଟଓ୍ବର୍କ ଜରିଆରେ ଆଗକୁ ବଢିବ। ଏହାପରେ ନାସାର ନ୍ୟୁ ମେକ୍ସିକୋ ସ୍ଥିତ ହ୍ବାଇଟ୍ ସ୍ୟାଣ୍ଡସ୍‌ ଟେଷ୍ଟ ଫାସିଲିଟି ଗ୍ରାଉଣ୍ଡ ଏଣ୍ଟିନା ପର୍ଯ୍ୟନ୍ତ ପହଁଞ୍ଚିବ। ଏହାପରେ ତାକୁ ହୁଷ୍ଟନ ସ୍ଥିତ ଜନସନ୍‌ ସ୍ପେସ୍ ସେଣ୍ଟରର ମିଶନ୍ କନଟ୍ରୋଲ ସେଣ୍ଟର ପଠାଯିବ। ହୁଷ୍ଟନରୁ ଏନକ୍ରିପଟେଡ୍ ବାଲେଟ୍ କାଉଣ୍ଟି କ୍ଲର୍କ ନିକଟକୁ ପଠାଯିବ। ସବୁଠାରୁ ଖାସ୍ କଥା ଏହାଯେ, କେବଳ ଓ୍ବିଲିୟମ୍ସ ଓ କାଉଣ୍ଟି କ୍ଲର୍କ ନିକଟରେ ହିଁ ମତପତ୍ର ପହଁଞ୍ଚିବ।