ନୀଳଗିରି,୧୬/୨(ଆ.ପ୍ର):ଶିବରାତ୍ରୀରେ ଶୈବପୀଠରେ ଦେଖାଦେଇଛି ଆଲୌକିକ ଘଟଣା। ପାହାଡ଼ ଗୁମ୍ଫାରୁ ଆସି ଭକ୍ତଙ୍କ ସମର୍ପିତ କ୍ଷୀରକୁ ପିଇଲେ ନାଗରାଜ ।ଏଭଳି ଚିତ୍ର ଦେଖିବାକୁ ମିଳିଛି ଦେବଗିରି ପାହାଡ଼ ପାଦଦେଶରେ ଥିବା ଶଙ୍ଖେଶ୍ୱର ଶୈବପୀଠରେ।
ସୂଚନାଯୋଗ୍ୟ ରବିବାର ଶିବରାତ୍ରିରେ ସମସ୍ତ ଶୈବପୀଠ ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଥିଲା ପୂଜାର୍ଚ୍ଚନା।ହେଲେ ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚାୟତ ଅଧିନ ତେଣ୍ଡା ଅଞ୍ଚଳରେ ଦେବଗିରି ପାହାଡ଼କୁ ଲାଗି ଶଙ୍ଖେଶ୍ୱର ମହାଦେବ ମନ୍ଦିର ଭିତରେ ସ୍ୱୟଂ ଦର୍ଶନ ଦେଇଥିଲେ ନାଗରାଜ। ବିଶାଳକାୟ ପର୍ବତର ପଥର ଚତିରି ତଳେ ଥିବା ମନ୍ଦିର ମଧ୍ୟକୁ ଗୋଟିଏ ସୁଡଙ୍ଗ ରହିଛି।ଏହା ଭିତରେ ସୁଡଙ୍ଗ ରେ ମହାଦେବଙ୍କ ନାଗରାଜ ରହିଛନ୍ତି।ପ୍ରତ୍ୟେକ ବର୍ଷ ଜାଗର ଦିନ ରାତିରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ନାଗରାଜ।ଚଳିତ ବର୍ଷ ମଧ୍ୟ ଭକ୍ତମାନେ ଏହି ଦର୍ଶନ ପାଇବା ପାଇଁ ଅନାଇ ରହିଥିଲେ।ଦୀପଜାଳି ଭକ୍ତମାନେ ପୂଜାର୍ଚନା କରୁଥିବା ବେଳେ ରାତିରେ ନାଗରାଜ ସୁଡ଼ଙ୍ଗ ଭିତରୁ ବାହାରିଥିଲେ।ଭକ୍ତଙ୍କ ଦ୍ଵାରା କ୍ଷୀର ସମର୍ପଣ କରିବା ପରେ ନାଗରାଜ ମଧ୍ୟ ପିଇଥିଲେ।ଏପରିକି ସକାଳ ୫ଟା ପର୍ଯନ୍ତ ଦର୍ଶନ ମଧ୍ୟ ଦେଇଥିଲେ ଭକ୍ତଙ୍କୁ। ନାଗ ସାପ ବାହାରକୁ ଆସିବା ଖବର ପାଇ ଶ୍ରଦ୍ଧାଳୁମାନେ ନାଗଙ୍କ ଦର୍ଶନ ପାଇଁ ଭିଡ଼ ଲାଗି ରହିଥିଲା। ପର୍ବ ପର୍ବାଣିରେ ପୂଜାର୍ଚନା ସମୟରେ ଏହି ନାଗ ଦର୍ଶନ ଦେଇଥାଏ।
ସୂଚନାଯୋଗ୍ୟ ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚାଗତ ଅଧୀନ ତେଣ୍ଡା ଗାଁର ନିକଟ କୁଳଡିହା ଅଭୟାରଣ୍ୟର ପାଦଦେଶରେ ଗୋଟିଏ ବିରାଟ ପଥର ଚତିରି ତଳେ ପ୍ରାୟ ୧୩୩ ବର୍ଷ ପୂର୍ବେ ଅର୍ଥାତ ୧୮୯୩ ମସିହାରୁ ପୂଜା ପାଇଆସୁଛନ୍ତି ବାବା ଶଙ୍ଖେଶ୍ୱର ମହାଦେବ। ତେଣ୍ଡା ଅଞ୍ଚଳର ବାସିନ୍ଧା ଦୁନ୍ଦୁ ସିଂ ସପ୍ନାଦେଶ ପାଇ ପ୍ରଥମ ସେବକ ଭାବେ ପୂଜାର୍ଚ୍ଚନା କରି ଆସୁଥିଲେ । ପରେ ସେହି ଅଞ୍ଚଳର ସ୍ବର୍ଗତ କଡେ ସିଂ ଦ୍ବାରା ମହାଦେବ ପୂଜା ପାଉଥିବାବେଳେ ୧୯୭୭ ମସିହା ପରେ ସ୍ବର୍ଗତ ଗଣେଶ୍ବର ନାୟକ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସୋହଯୋଗରେ ଏକ ମନ୍ଦିର ନିର୍ମାଣ ହୋଇଥିଲା।