ବାଣ ବ୍ୟାନ୍ ସତ୍ତ୍ବେ କେମିତି ବଢ଼ିଲା ପ୍ରଦୂଷଣ ? ଦିଲ୍ଲୀର ଆପ୍ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
Published By :
Tapas
- Prameya Bureau |
October 11, 2025 05:17 PM
ନୂଆଦିଲ୍ଲୀ: ଦୀପାବଳିରେ ବାଣ ବ୍ୟାନ ହେବା ସତ୍ତ୍ବେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି । ଏନେଇ ଆମିକସ୍ କ୍ୟୁରି ସୁପ୍ରିମକୋର୍ଟରେ ଜଣାଛନ୍ତି । ବାଣ ଉପରେ ବ୍ୟାନ ଲାଗିଥିବା ସତ୍ତ୍ବେ କାହିଁକି ପ୍ରଦୂଷଣ ବଢ଼ିଲା ବୋଲି ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ବାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ କାହିଁକି ସଠିକ ଢ଼ଙ୍ଗରେ ଲାଗୁ କରାଗଲା ନାହିଁ ବୋଲି ଦିଲ୍ଲୀର ପୋଲିସ କମିଶନରଙ୍କୁ ନୋଟିସ କରି ଜବାବ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପଟେ ପ୍ରଦୂଷଣ କାହିଁକି ବଢ଼ିଲା ଦିଲ୍ଲୀ ସରକାରଙ୍କ ତୁରନ୍ତ ଜବାବ ଦିଅନ୍ତୁ ବୋଲି କୋର୍ଟ କହିଛନ୍ତି ।
ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିବା ସହ ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ପାଳନ ଦିଗରେ ସରକାର ବିଫଳ ହୋଇଥିବା ନେଇ ମିଡିଆ ରିପୋର୍ଟସରୁ ଜାଣିବାକୁ ମିଳିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଦିଲ୍ଲୀରେ ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ ରୂପେ ରୋକ ଲଗାଇବାରେ ବିଫଳ ହୋଇଥିବା ଦିଲ୍ଲୀ ପୋଲିସ କମିଶନରଙ୍କୁ ନୋଟିସ କରାଯାଇଛି । ଦୀପାବଳି ଦିନ ଦିଲ୍ଲୀରେ ବାୟୁର ମାନ ଖରାପ ଥିଲା । ଏହା ପରେ ଲୋକେ ବାଣ ଫୁଟଇବା ଦ୍ବାରା ଦିଲ୍ଲୀର ବାୟୁ ଆହୁରି ପ୍ରଦୂଷିତ ହୋଇଛି । ବାୟୁ ପ୍ରଦୂଷଣ ଲାଗି ଦିଲ୍ଲୀ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ସେନେଇ ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ନଭେମ୍ବର ୧୪ରେ ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ । ଆଜି ମାମଲାରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ପଞ୍ଜାବ ଏବଂ ହରିୟାଣାରେ ଗତ ୧୦ ଦିନ ମଧ୍ୟରେ ନଡ଼ା ଜାଳିବା ମାମଲା ବୃଦ୍ଧି ପାଇଛି । ଏଣୁ ଦୁଇ ରାଜ୍ୟ ସରକାର ଜବାବ ଦିଅନ୍ତୁ ବୋଲି ସୁପ୍ରମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।