ନୂଆଦିଲ୍ଲୀ,୧୧/୧୨ : କେନ୍ଦ୍ର ସରକାର ଦେଶରେ ଗରିବ ଲୋକଙ୍କୁ ମାଗଣା ରାସନ ବାଣ୍ଟିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ଟିପ୍ପଣୀ କରିଛନ୍ତି । ପଚାରିଛନ୍ତି କେତେଦିନ ପର୍ଯ୍ୟନ୍ତ ଏଭଳି ମାଗଣା ରାସନ ବାଣ୍ଟୁଥିବ? ସରକାର କାହିଁକି ନିଯୁକ୍ତି ସୁଯୋଗ ସୃଷ୍ଟି କରୁନାହାନ୍ତି? ଏଭଳି ଭାବେ ବିପୁଳ ପରିମାଣର ମାଗଣା ରାସନ ପ୍ରଦାନ ପ୍ରକ୍ରିୟା ଯଦି ଜାରି ରହିବ ତେବେ ରାଜ୍ୟ ସରକାରମାନେ ଲୋକଙ୍କୁ ଖୁସି କରିବାକୁ ଯାଇ କାର୍ଡ ବାଣ୍ଟି ଚାଲିବେ । କାରଣ ସେମାନେ ଭଲ କରି ଜାଣିଛନ୍ତି ଯେ ଖାଦ୍ୟଶସ୍ୟ ଦେବା ଦାୟିତ୍ୱ ହେଉଛି କେନ୍ଦ୍ର ସରକାରଙ୍କର । ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ପ୍ରବାସୀ ଶ୍ରମିକ ଓ ଅଣକୁଶଳୀ ଶ୍ରମିକଙ୍କୁ ରାସନ କାର୍ଡ ପ୍ରଦାନ କରାଯିବା ନେଇ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆଗତ ପିଟିସନ ଉପରେ ଶୁଣାଣି କରିବା ଅବସରରେ ଏହା କହିଛନ୍ତି ।
ସୁପ୍ରିମକୋର୍ଟ ଏକଥା ମଧ୍ୟ କହିଛନ୍ତି କି ଯଦି ରାଜ୍ୟ ସରକାରଙ୍କୁ ମାଗଣା ରାସନ ଦେବା କଥା କୁହାଯିବ ତେବେ ସେମାନେ ମନାକରିବେ । କାରଣ ସେମାନେ ନିଜର ଆର୍ଥିକ ସମସ୍ୟା କଥା କହିବେ । ତେଣୁ ମାଗଣା ରାସନ ଦିଆଯିବା ବଦଳରେ ବରଂ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ଆବଶ୍ୟକ । ଯଦି ରାଜ୍ୟମାନେ ରାସନ କାର୍ଡ ଜାରି କରୁଛନ୍ତି ତେବେ ସେମାନେ ମାଗଣା ରାସନ କାହିଁକି ଦେବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ପଚାରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଓ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟ୍ଟି ଦର୍ଶାଇଥିଲେ କି କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ୨୦୧୩ ଅଧୀନରେ ଦେଶର ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ଦେଉଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସିକ ୫ କି.ଗ୍ରା ଚାଉଳ କିମ୍ବା ଗହମ ଏବଂ ଅନ୍ୟ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି ।
ଜବାବରେ ଖଣ୍ଡପୀଠ କହିଥିଲେ କି ଏହା ଅର୍ଥ ହେଉଛି କେବଳ କରଦାତାମାନେ ହିଁ ଏହି ଯୋଜନାରୁ ବାଦ୍ ପଡ଼ିଛନ୍ତି । ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଗତ ଅକ୍ଟୋବର ୪ ତାରିଖରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଜାରି କରିଥିଲେ । ସେଥିରେ କୁହାଯାଇଥିଲା କି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ସାମିଲ ହେବାକୁ ଯେଉଁ ପ୍ରବାସୀ ଶ୍ରମିକମାନେ ଯୋଗ୍ୟ ସେମାନଙ୍କୁ ନଭେମ୍ବର ୧୯ ତାରିଖ ସୁଦ୍ଧା ରାସନ କାର୍ଡ ପ୍ରଦାନ କରାଯିବା ଆବଶ୍ୟକ । ଗତ ନଭେମ୍ବର ୨୬ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା । ସେଥିରେ କୁହାଯାଇଥିଲା କି କେନ୍ଦ୍ରର ଦାୟିତ୍ୱ ହେଉଛି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ର ବ୍ୟବସ୍ଥା ଅନୁସାରେ ରାସନ କାର୍ଡ ପ୍ରଦାନ କରିବା । ତେଣୁ ସରକାର ଆଇନ ଅନୁସାରେ ଧାର୍ଯ୍ୟ ସୀମା ଉଲ୍ଲଂଘନ କରି ଅଧିକ ରାସନ କାର୍ଡ ପ୍ରଦାନ କରିପାରିବେ ନାହିଁ । ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ କେନ୍ଦ୍ର ସରକାର ୨୦୧୧ ଜନଗଣନା ଅନୁସାରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଯଦି ୨୦୨୧ରେ ଜନଗଣନା ହୋଇଥାନ୍ତା ତେବେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଆହୁରି ଅନେକ ବଢ଼ନ୍ତା ।
ଏବେ ବି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ଆହୁରି ୨-୩ କୋଟି ଲୋକ ବାଦ୍ ପଡ଼ିଛନ୍ତି । ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ସବୁ ଶ୍ରମିକଙ୍କୁ ରାସନ କାର୍ଡ ଦେବାକୁ ସେ ଦାବି କରିଥିଲେ । ଜବାବରେ ଖଣ୍ଡପୀଠ କହିଥିଲେ କି ଆମକୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିଭାଜନ ସୃଷ୍ଟି କରିବା କଥା ନୁହେଁ । ଯାହାଫଳରେ ଏହା ଅନେକ ସମସ୍ୟା ସୃଷ୍ଟି କରିବ । ସଲିସିଟର ଜେନେରାଲ କହିଥିଲେ, ମାଗଣା ରାସନ ଯୋଜନା କୋଭିଡ ମହାମାରୀ ସମୟରୁ ଚାଲିଆସୁଛି । ସେହି ସମୟରେ ସର୍ବୋଚ୍ଚ ଅଦାଲତ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ସେତେବେଳେ ଆଦେଶ ଦେଇଥିଲେ । କିନ୍ତୁ ସରକାର ୨୦୧୩ ଖାଦ୍ୟ ସୁରକ୍ଷା ଆଇନରେ ବନ୍ଧା । ତେଣୁ ବୈଧାନିକ ଯୋଜନା ଅନୁସାରେ ସରକାର ଆଗକୁ ଯାଇପାରିବେ ନାହିଁ । ଆବେଦନକାରୀଙ୍କ ଓକିଲ ଓ ସରକାରୀ ଓକିଲଙ୍କ ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାବର୍ଷ ଜାନୁଆରୀ ୮ରେ କରିବାକୁ ଦିନଧାର୍ଯ୍ୟ କରିଛନ୍ତି ।