ନୂଆଦିଲ୍ଲୀ,୧୦।୩: କୋଭିଡ୍-୧୯ ଭ୍ୟାକସିନ୍ ସମ୍ପର୍କିତ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ମାମଲା ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର କୋର୍ଟ ସରକାରଙ୍କୁ ଏକ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା କୋଭିଡ୍-୧୯ ଟିକା ଗ୍ରହଣ କରିବା ପରେ ଯଦି କୌଣସି ବ୍ୟକ୍ତିଙ୍କ ଗମ୍ଭୀର କ୍ଷତି ହୁଏ ତେବେ ତାଙ୍କୁ ନୋ-ଫଲ୍ଟ କ୍ଷତିପୂରଣ ଦିଆଯାଇ ହେବ। ଜଷ୍ଟିସ୍ ବିକ୍ରମନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେତାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ବର୍ତ୍ତମାନ ଟୀକାକରଣ ପରେ ପାର୍ଶ୍ୱ ପ୍ରତିକ୍ରିୟା ତଦାରଖ ପାଇଁ ଯେଉଁ ବ୍ୟବସ୍ଥା ରହିଛି, ତାହା ଜାରି ରହିବ। ଏଥିପାଇଁ କୌଣସି ନୂଆ କୋର୍ଟଙ୍କ ଦ୍ବାରା ନିଯୁକ୍ତି ସ୍ବତନ୍ତ୍ର ପ୍ୟାନେଲଙ୍କର ଦରକାର ପଡିବନି।
ଏହା ସହ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କୁ ଭ୍ୟାକସିନ୍ କାରଣରୁ କ୍ଷତି ହୁଏ ତେବେ ସେ ଆଇନ ଅନୁସାରେ, ଉପଲବ୍ଧ ଅନ୍ୟ ଆଇନଗତ ରାସ୍ତାକୁ ମଧ୍ୟ ବ୍ୟବହାର କରିପାରନ୍ତି। ଏହା ସହ କୋର୍ଟ କହିଛନ୍ତି, ନୋ ଫଲ୍ଟ କ୍ଷତିପୂରଣ ନୀତି ଗଠନ କରିବା ସରକାରଙ୍କ ଭୁଲ କିମ୍ବା ଦାୟିତ୍ବକୁ ମାନିବା ଭଳି ନୁହେଁ।
କୋର୍ଟରେ ବହୁ ଆବେଦନ ଦାଖଲ କରାଯାଇଥିଲା। ଏଥିରୁ ଗୋଟିଏ ଆବେଦନରେ ଅଭିଯୋଗ ରହିଛି ଯେ, ୨୦୨୧ରେ କୋଭିଶିଲ୍ଡ ଭ୍ୟାକସିନ୍ର ପ୍ରଥମ ଡୋଜ୍ ନେବାପରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଆବେଦନରେ ଦର୍ଶାଯାଇଥିଲା ଯେ ଟୀକାକରଣ ପରେ ଉଭୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଥିଲେ। ଏହି ଆବେଦନଗୁଡ଼ିକର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୂତନ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଆହୁରି ପଢନ୍ତୁ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ସରକାରଙ୍କ ବଡ଼ ପଦକ୍ଷେପ; ଦେଶବ୍ୟାପୀ ଲାଗୁ କଲେ ଏସମା, ଜାଣନ୍ତୁ ଏହା କ'ଣ