ନୂଆଦିଲ୍ଲୀ,୮।୯:  ବିହାର ନିର୍ବାଚନ କମିଶନ ପକ୍ଷରୁ ଚାଲିଥିବା ଏସ୍‌ଆଇଆର ବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନରେ ଏବେ ଆଧାରକୁ ମାନ୍ୟତା ଦିଆଯିବ। ସୋମବାର ସୁପ୍ରିମେକୋର୍ଟ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି, ୧୧ ଅନ୍ୟ ଦସ୍ତାବିଜ ଭଳି ଆଧାରକୁ ଦ୍ବାଦଶତମ ଦସ୍ତାବିଜ ଭାବରେ ମାନ୍ୟତା ଦିଆଯିବ। କୋର୍ଟ ସ୍ପଷ୍ଟ କରିଛନ୍ତି, ଏସଆଇଆର ପାଇଁ ଆଧାର କାର୍ଡକୁ ଚିହ୍ନଟ ଓ ଠିକଣାର ପ୍ରମାଣ ଭାବରେ ସ୍ବୀକାର କରାଯିବ।  ନିର୍ବାଚନ କମିଶନଙ୍କ ପାଖରେ ଅଧିକାର ରହିବ ସେ ଆଧାର କାର୍ଡର ସତ୍ୟାସତ୍ୟ ବିଷୟରେ ଯାଞ୍ଚ କରିବେ।

ଏଭଳି ଭାବରେ ଆଧାର କାର୍ଡକୁ ଜନ୍ମ ପ୍ରମାଣ ପତ୍ର, ପାସପୋର୍ଟ, ରାସନ କାର୍ଡ ସହିତ ୧୧ଟି ଦସ୍ତାବିଜ ଭଳି ମାନ୍ୟତା ମିଳିବ। ଏହା ମଧ୍ୟ କହିଛନ୍ତି ଯେ, ଆଧାର କାର୍ଡ କେବଳ ପରିଚୟ ପତ୍ର। ଏହାକୁ ନାଗରିକତାର ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ। ନିର୍ବାଚନ କମିଶନ ଏହି ନିର୍ଦ୍ଦେଶର ସୂଚନା ତାଙ୍କ ୱେବସାଇଟରେ ସାର୍ବଜନୀନ କରିବା ଉଚିତ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

​​​​​​​ସୁପ୍ରିମକୋର୍ଟରେ ଆରଜେଡି ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ଯୁକ୍ତି ଦେଇଥିଲେ। କପିଲ ସିବଲ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ, ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏବଂ ବିଏଲଓ ଆଧାରକୁ ଏକମାତ୍ର ଡକ୍ୟୁମେଣ୍ଟ ଭାବରେ ଗ୍ରହଣ କରୁନାହାଁନ୍ତି। ସିବଲ କୋର୍ଟରେ ସେହି ଭୋଟରମାନଙ୍କର ସତ୍ୟପାଠ ମଧ୍ୟ ଦାଖଲ କରିଥିଲେ ଯେଉଁମାନଙ୍କର ଆଧାର ଗ୍ରହଣ କରାଯାଇ ନଥିଲା। ସେ କହିଥିଲେ, 'ଆଧାର ସବୁଠାରୁ ସାର୍ବଜନୀନ ଡକ୍ୟୁମେଣ୍ଟ। ଯଦି ସେମାନେ ଏହାକୁ ଗ୍ରହଣ କରିବେ ନାହିଁ, ତେବେ ସେମାନେ କି ପ୍ରକାରର ଅନ୍ତର୍ଭୁକ୍ତିକରଣ ପ୍ରକ୍ରିୟା କରୁଛନ୍ତି? ସେମାନେ ଗରିବମାନଙ୍କୁ ବାଦ ଦେବାକୁ ଚାହୁଁଛନ୍ତି।' ଶୁଣାଣି ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ଓକିଲ ଥିବା ବରିଷ୍ଠ ଆଇନଜୀବି ରାକେଶ ତ୍ରିବେଦୀ କହିଛନ୍ତି ଯେ, ଏସଆଇଆର ବେଳେ ଏଭଳି ଲୋକ ମଧ୍ୟ ମିଳିଛନ୍ତି,ଯେଉଁମାନେ ଏଠାର ଭୋଟର ଥିଲେ। କିନ୍ତୁ ବାସ୍ତବରେ ସେମାନେ ଅନୁପ୍ରବେଶକାରୀ ଓ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିଲେ। ଏହାକୁ ନେଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଏହା ଏକ ସମସ୍ୟା। ଏହାକୁ ନେଇ ଆଧାର କାର୍ଡ ଭେରିଫିକେସନ୍‌ ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇପାରେ।