ନୂଆଦିଲ୍ଲୀ,୧୩/୧୨: ଦେଶର ବିଭିନ୍ନ  ସ୍ଥାନରେ ଚାଲିଥିବା ମନ୍ଦିର-ମସ୍‌ଜିଦ ବିବାଦ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏଭଳି  ମାମଲାରେ ଅଦାଲତଗୁଡ଼ିକ କୌଣସି ଆଦେଶ ନ  ଦେବାକୁ ତଥା କୌଣସି ମନ୍ଦିର-ମସ୍‌ଜିଦ୍‌ର ସର୍ଭେ  ନିର୍ଦ୍ଦେଶ ଜାରି ନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ  ପ୍ଲେସେସ୍‌ ଅଫ୍‌ ଓରସିପ୍‌ ଆକ୍ଟ ବା ପୂଜାସ୍ଥଳ ଆଇନ  (ବିଶେଷ ପ୍ରାବଧାନ) ୧୯୯୧ର କିଛି ଧାରାର ବୈଧତା  ଉପରେ ଆଗତ ପିଟିସନଗୁଡ଼ିକର ଶୁଣାଣି କରୁଛନ୍ତି ।  ଏହି ଆକ୍ଟ ବିରୋଧରେ ସିପିଆଇଏମ୍‌, ଇଣ୍ଡିଆନ୍‌  ମୁସ୍‌ଲିମ ଲିଗ୍‌, ଏନସିପି (ଶରଦ ପାୱାର),  ଆର୍‌ଜେଡି ସାଂସଦ ମନୋଜ କୁମାର, ଡିଏମ୍‌କେ  ସମେତ ୬ ପାର୍ଟି ପକ୍ଷରୁ ପିଟିସନ ହୋଇଛି ।   

ଶୁଣାଣି ବେଳେ ସିଜେଆଇ ସଞ୍ଜୀବ ଖାନ୍ନାଙ୍କ  ଖଣ୍ଡପୀଠ କହିଥିଲେ, ଆମେ ଏହି ଆଇନର  ପରିସୀମା, ଏହାର ଶକ୍ତି ଏବଂ ଢାଞ୍ଚାକୁ ଯାଞ୍ଚ କରୁଛୁ ।  ଏଭଳି ସ୍ଥିତିରେ ଏହା ହିଁ ଉଚିତ ହେବ ଯେ ବାକି  ସମସ୍ତ ଅଦାଲତ ପଡ଼ି ରହିଥିବା ମନ୍ଦିର-ମସ୍‌ଜିଦ୍‌  ମାମଲାରେ କୌଣସି ନିର୍ଦ୍ଦେଶ ଜାରି ନ କରନ୍ତୁ ।  ମଥୁରା ଶାହି ଇଦ୍‌ଗାହ, ଜ୍ଞାନବାପୀ ମସ୍‌ଜିଦ, ସମ୍ଭଲ  ମସ୍‌ଜିଦ ବାବଦରେ ହିନ୍ଦୁ ପକ୍ଷରୁ ପିଟିସନ ହୋଇ  ସେଠାରେ ଏକଦା ହିନ୍ଦୁ ମନ୍ଦିର ଥିଲା ବୋଲି ଦାବି  କରାଯାଇଛି । ଏହା ସହ ଦେଶର ବିଭିନ୍ନ ଅଦାଲତରେ  ଏଭଳି ୧୮ରୁ ଅଧକ ମାମଲା ପଡ଼ି ରହିଛି । ସେଥିମଧ୍ୟରେ ୧୦ଟି ମସ୍‌ଜିଦ୍‌ ସହ ଜଡ଼ିତ ବୋଲି  ସୁପ୍ରିମକୋର୍ଟ କହିଥିଲେ । ଏଥିସହ ଏଭଳି ପିଟିସନ  ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ  ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେ  ପର୍ଯ୍ୟନ୍ତ କେନ୍ଦ୍ର ସରକାର ଜବାବ ରଖିନାହାନ୍ତି ସେ  ପର୍ଯ୍ୟନ୍ତ ଶୁଣାଣି ହୋଇପାରିବନି ବୋଲି ଖଣ୍ଡପୀଠ  କହିଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୋର୍ଟରେ  ଏଭଳି ନୂଆ ମାମଲା ଦାଖଲ ନ କରାଯିବାକୁ ମଧ୍ୟ  ନିର୍ଦ୍ଦେଶ ରହିଛି । ଖଣ୍ଡପୀଠରେ ସିଜେଆଇ ଖାନ୍ନାଙ୍କ  ସମେତ ଜଷ୍ଟିସ୍‌ ସଞ୍ଜୟ କୁମାର ଏବଂ ଜଷ୍ଟିସ୍‌ କେଭି  ବିଶ୍ୱନାଥନ ରହିଛନ୍ତି । 

ଦ ପ୍ଲେସେସ୍‌ ଅଫ୍‌ ଓରସିପ୍‌ ଆକ୍ଟ-୧୯୯୧  ଅନୁସାରେ, ଦେଶ ସ୍ୱାଧୀନତା ପାଇବାବେଳେ  ଅର୍ଥାତ ୧୯୪୭ ଅଗଷ୍ଟ ୧୫ ପର୍ଯ୍ୟନ୍ତ ପୂଜାସ୍ଥଳଗୁଡ଼ିକ  ଯେଉଁ ସ୍ଥିତିରେ ଥିଲା ତାହା ସେମିତି ହିଁ ରହିବ ।  ବିଜେପି ନେତା ତଥା ଆଡ୍‌ଭୋକୋଟ୍‌ ଅଶ୍ୱିନୀ  ଉପାଧ୍ୟାୟ, ସୁବ୍ରମଣ୍ୟମ ସ୍ୱାମୀ, କଥାବାଚକ  ଦେବକୀନନ୍ଦନ ଠାକୁର, କାଶୀର ରାଜକୁମାର  କୃଷ୍ଣ ପ୍ରିୟା, ଧର୍ମଗୁରୁ ସ୍ୱାମୀ ଜିତେନ୍ଦ୍ରାନନ୍ଦ  ସରସ୍ୱତୀଙ୍କ ସମେତ ଅନେକ ବ୍ୟକ୍ତି ଏହି ଆକ୍ଟକୁ  ଅସମ୍ବିଧାନିକ ଘୋଷଣା କରିବାକୁ ଦାବି କରିଛନ୍ତି।