ନୂଆଦିଲ୍ଲୀ,୧।୯:  ଶିକ୍ଷା ଜଗତ ପାଇଁ ବଡ଼ ଖବର। ଶିକ୍ଷକଙ୍କୁ ନେଇ ସୋମବାର ସୁପ୍ରିମକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। ଏବେ ଶିକ୍ଷକଙ୍କୁ ଟିସର୍ଚ ଏଲିଜିବିଲିଟି ଟେଷ୍ଟ ବା ଟିଇଟି ପାସ୍ କରିବା ବାଧ୍ୟତାମୂଳକ। ଏହା ପାସ୍ କରିବା ପରେ ଯାଇ କୌଣସି ଶିକ୍ଷକ ନିଜର ପ୍ରମୋଶନ୍ ପାଇପାରିବେ। ଯେଉଁ ଶିକ୍ଷକଙ୍କର ୫ ବର୍ଷରୁ କମ୍ ଚାକିରୀ ରହିଛି,ସେମାନେ ଟିଇଟି ପାସ୍‌ ନକରି ମଧ୍ୟ ପଢାଇ ପାରିବେ, କିନ୍ତୁ ଏହି ସମୟରେ ତାଙ୍କୁ ପ୍ରମୋସନ୍ ମିଳିବନି। ଯେଉଁ ଶିକ୍ଷକଙ୍କ ଚାକିରୀ ୫ ବର୍ଷରୁ ଅଧିକ ରହିଛି, ତାଙ୍କୁ ୨ ବର୍ଷ ଭିତରେ ଟିଇଟି ପାସ୍ କରିବାକୁ ହେବ। ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ଶିକ୍ଷାଦାନ ପାଇଁ ବାଧ୍ୟତାମୂଳକ TET ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି।

ବାର୍ ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ, ଜଷ୍ଟିସ୍ ଦୀପଙ୍କର ଦତ୍ତା ଓ ଜଷ୍ଟିସ୍ ଅଙ୍ଗଷ୍ଟିନ୍‌ ଜର୍ଜ ମସିହଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।  କୋର୍ଟ  କହିଛନ୍ତି, ବହୁ ଶିକ୍ଷକ ଗତ ୨୦ ବର୍ଷ ହେବ ଟିଇଟି ପାସ୍ ନକରି ପଢାଉଛନ୍ତି। ତାଙ୍କ ଉପରେ କୌଣସି ଅଭିଯୋଗ ନାହିଁ। କିନ୍ତୁ ଯେଉଁ ଶିକ୍ଷକଙ୍କ ଚାକିରୀ ୫ ବର୍ଷରୁ ଅଧିକ ରହିଛି, ତାଙ୍କୁ ୨ ବର୍ଷ ଭିତରେ ଟିଇଟି ପାସ୍ କରିବା ବାଧ୍ୟତାମୂଳକ। ଯଦି ସେମାନେ ଏଭଳି ନକରନ୍ତି, ତେବେ ତାଙ୍କୁ ଚାକିରୀ ଛାଡିବାକୁ ହେବ କିମ୍ବା ସ୍ବେଚ୍ଛାକୃତ ଅବସର କିମ୍ବା ଟର୍ମିନଲ ବେନିଫିଟ୍‌ ନେବାକୁ ହେବ। ଏହି ନିର୍ଦ୍ଦେଶ ସଂଖ୍ୟାଲଘୁ ସଂସ୍ଥାଗୁଡିକ ଉପରେ ଲାଗୁ ହେବ କି ନାହିଁ, ସେ ନେଇ ରାୟ ପ୍ରଦାନ କରିବାକୁ ମାମଲାକୁ ଦୁଇ ଜଣିଆ ଖଣ୍ଡପୀଠ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। 

TET କ’ଣ  : ଟିଚର ଏଲିଜିବିଲିଟି ଟେଷ୍ଟ ଅର୍ଥାତ୍ TET ହେଉଛି ଏକ ଜାତୀୟ ସ୍ତରୀୟ ଯୋଗ୍ୟତା ପରୀକ୍ଷା, ଯାହା ଦ୍ୱାରା ଜଣେ ପ୍ରାର୍ଥୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶ୍ରେଣୀ (ପ୍ରଥମରୁ ଅଷ୍ଟମ ଶ୍ରେଣୀ) ରେ ଶିକ୍ଷକ ହେବାକୁ ଯୋଗ୍ୟ କି ନାହିଁ ତାହା ନିର୍ଣ୍ଣୟ କରାଯାଏ। ଏହି ପରୀକ୍ଷାକୁ ୨୦୧୦ ମସିହାରେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE) ଦ୍ୱାରା ବାଧ୍ୟତାମୂଳକ କରାଯାଇଥିଲା। 

କ’ଣ ଥିଲା ପୁରା ମାମଲା: ଶିକ୍ଷକ ପଦବୀରେ ନିଯୁକ୍ତ ପ୍ରାର୍ଥୀମାନଙ୍କୁ TET ପାସ୍ କରିବା ପାଇଁ NCTE ୫ ବର୍ଷ ସମୟ ଦେଇଥିଲା, ଯାହାକୁ ପରେ ଆଉ ୪ ବର୍ଷ ବୃଦ୍ଧି କରାଯାଇଥିଲା। NCTEର ନୋଟିସ ବିରୋଧରେ ପ୍ରାର୍ଥୀମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାଡ୍ରାସ ହାଇକୋର୍ଟ ବେଞ୍ଚ ଜୁନ୍ ୨୦୨୫ରେ କହିଥିଲେ ଯେ ୨୯ ଜୁଲାଇ ୨୦୧୧ ପୂର୍ବରୁ ନିଯୁକ୍ତ ଶିକ୍ଷକମାନଙ୍କୁ ଚାକିରିରେ ରହିବା ପାଇଁ TET ପାସ୍ କରିବା ଆବଶ୍ୟକ ନୁହେଁ, କିନ୍ତୁ ପଦୋନ୍ନତି ପାଇଁ TET ପାସ୍ କରିବା ବାଧ୍ୟତାମୂଳକ ହେବ। ଏହି ରାୟ ଉପରେ, ବର୍ତ୍ତମାନ ସୁପ୍ରିମକୋର୍ଟ ଚାକିରିରେ ରହିବା ଏବଂ ପଦୋନ୍ନତି ଉଭୟ ପାଇଁ TET ପାସ୍ କରିବା ବାଧ୍ୟତାମୂଳକ କରିଛନ୍ତି। ତେବେ ସଂଖ୍ୟାଲଘୁ ପ୍ରତିଷ୍ଠାନ ପାଇଁ ରାୟ ଆସିବା ବାକି ଅଛି।