• I-PAC ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ଝଟକା
  • ଇଡି ବିରୋଧରେ ଏଫ୍‌ଆଇଆର ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
  • ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପୁଲିସ ଡିଜିପିଙ୍କୁ ନୋଟିସ୍
  • ଦୁଇ ସପ୍ତାହ ମଧ୍ୟରେ ଜବାବ୍ ଦାଖଲ କରିବାକୁ ନିର୍ଦେଶ
  • କହିଲେ-ଏଜେନ୍ସିର ତଦନ୍ତରେ ହସ୍ତକ୍ଷେପ କରିହେବନି

ନୂଆଦିଲ୍ଲୀ,୧୫।୧: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଥିବା ରାଜନୈତିକ ପରାମର୍ଶଦାତା I-PAC କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ  ହୋଇଥିବା ଚଢାଉ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି।  ଏହି ଲଢେଇ ଏବେ ଇଡି ବନାମ ମମତା ବାନାର୍ଜୀ ହୋଇଯାଇଛି। ତେବେ ଏହି ମାମଲାରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ଲାଗିଛି ବଡ଼ ଝଟକା। ଇଡି ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR କୁ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହା ସହିତ ତଦନ୍ତରେ 'ବାଧା' ସୃଷ୍ଟି କରିବା ଅଭିଯୋଗରେ ଇଡିର ଆବେଦନ ଉପରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାର, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, DGP ରାଜୀବ କୁମାର ଏବଂ ଅନ୍ୟମାନଙ୍କ ନିକଟକୁ ନୋଟିସ୍ ଜାରି କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି। ଏହା ସହ କହିଛନ୍ତି ଏଜେନ୍ସିର ତଦନ୍ତରେ ହସ୍ତକ୍ଷେପ କରାଯାଇପାରିବ ନାହିଁ। ଫେବୃଆରୀ ୩ରେ ମାମଳାର ପରବର୍ତ୍ତୀ ଶୁଣାଣି ରହିଛି। 

ଜଷ୍ଟିସ୍ ପିକେ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ଇଡି ଅଧିକାରୀଙ୍କ ବିରୁଦ୍ଧରେ ଦାଖଲ ଏଫ୍ଆଇଆର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ। ଏହାସହ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ପୋଲିସକୁ I-PAC ପରିସରରେ ଚଢାଉର CCTV ଫୁଟେଜ୍ ସଂରକ୍ଷଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।​​​​​​​ ସୁପ୍ରିମକୋର୍ଟ କହିଛନ୍ତି, ‘ଇଡିର ଆବେଦନ ଅନେକ ଗମ୍ଭୀର ପ୍ରଶ୍ନ ଉଠାଇଛି; ଯଦି ଏଗୁଡ଼ିକର ଉତ୍ତର ନ ଦିଆଯାଏ, ତେବେ ବିଶୃଙ୍ଖଳା ସୃଷ୍ଟି ହେବ। ରାଜ୍ୟ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ଆଡ଼ରେ ଅପରାଧୀମାନଙ୍କୁ ସୁରକ୍ଷା ନ ମିଳିବା ପାଇଁ ଏହି ଘଟଣାର ତଦନ୍ତ କରିବା ଆବଶ୍ୟକ।’  

ସଲିସିଟର ଜେନେରାଲ ତୁଷାର ମେହେଟା ଇଡି ପକ୍ଷରୁ ଲବି କରି କୋର୍ଟରେ ଦାବି କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପୁଲିସ ସହ ମିଶି ଯାଞ୍ଚ ବେଳେ ପ୍ରମାଣ ଚୋରି କରିଛନ୍ତି। ଏହାଛଡା ମମତା ଇଡିର ଜଣେ ଅଧିକାରୀଙ୍କ ଫୋନ୍ ମଧ୍ୟ ନେଇଯାଇଛନ୍ତି। ଇଡିର ଅଭିଯୋଗ ଯେ, ଚଢାଉ ବେଳେ ମୁଖ୍ୟମନ୍ତ୍ରୀ ନିଜେ ଘଟଣାସ୍ଥଳରେ ପହଁଞ୍ଚିଥିଲେ ଓ ତଦନ୍ତକାରୀ ଅଧିକାରୀଙ୍କ ଲାପଟପ୍, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ମୋବାଇଲ ଫୋନ୍ ବଳପୂର୍ବକ ଛଡାଇ ନେଇଥିଲେ। ଏହି ଘଟଣାକୁ ନେଇ ଇଡି ପଶ୍ଚିମବଙ୍ଗର ଡିଜିପି ରାଜୀବ କୁମାର ଓ କୋଲକାତା ପୁଲିସ କମିଶନର ମନୋଜ କୁମାର ବର୍ମାଙ୍କୁ ତୁରନ୍ତ ନିଲମ୍ବିତ କରିବା ଓ ତାଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିବାର ଦାବି କରିଛି।

ଉଭୟ ପକ୍ଷର ଓକିଲଙ୍କ କଥା ଶୁଣିବା ପରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ଆବେଦନଟି ଇଡି ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦ୍ୱାରା ତଦନ୍ତ ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା କଥିତ ହସ୍ତକ୍ଷେପ ସମ୍ପର୍କରେ ଏକ ଗମ୍ଭୀର ପ୍ରସଙ୍ଗ ଉଠାଇଛି। କୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ଆଇନର ଶାସନ ବଜାୟ ରଖିବା ଏବଂ ପ୍ରତ୍ୟେକ ଏଜେନ୍ସିକୁ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦେବା ପାଇଁ, ରାଜ୍ୟ ସୁରକ୍ଷା ଆଳରେ ଅପରାଧୀମାନଙ୍କୁ ସୁରକ୍ଷା ନ ଦେବା ପାଇଁ ମାମଲାର ତଦନ୍ତ କରାଯିବା ଆବଶ୍ୟକ। ଖଣ୍ଡପୀଠ କହିଛନ୍ତି ଏଥିରେ ଆଇନର ଗମ୍ଭୀର ପ୍ରଶ୍ନ ରହିଛି। ସେଗୁଡ଼ିକୁ ସମାଧାନ ନକରି ଛାଡ଼ି ଦେବା ଦ୍ୱାରା ପରିସ୍ଥିତି ଆହୁରି ଖରାପ ହୋଇପାରେ, ଯାହା ଗୋଟିଏ କିମ୍ବା ଅଧିକ ରାଜ୍ୟରେ ଅରାଜକତା ସୃଷ୍ଟି କରିପାରେ।

କୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ କୌଣସି ଏଜେନ୍ସିଙ୍କ ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ, କିନ୍ତୁ ଯେତେବେଳେ ଏକ କେନ୍ଦ୍ରୀୟ ଏଜେନ୍ସି ଏକ ଗୁରୁତର ଅପରାଧର ତଦନ୍ତ ପାଇଁ ସଚ୍ଚୋଟତାର ସହିତ କାର୍ଯ୍ୟ କରୁଛି, ସେତେବେଳେ ଦଳୀୟ କାର୍ଯ୍ୟର ରୂପ ଦେଇ ଏହାର କ୍ଷମତା ବାଧାପ୍ରାପ୍ତ ହେବା ଉଚିତ୍ ନୁହେଁ। ଇଡି ପକ୍ଷରୁ ଦିଆଯାଇଥିବା ଦଲିଲ୍‌ରେ କୁହାଯାଇଛି ରାଜ୍ୟର ମେସିନାରୀକୁ ବ୍ୟବହାରକରି କେନ୍ଦ୍ରୀୟ ଏଜେନ୍ସିର କାମରେ ବାଧା ଦେବାର କାମ ଏକ ପାର୍ଟନ ଭଳି କରାଯାଉଛି।ଇଡି ଅଭିଯୋଗକୁ ଦୃଷ୍ଟିରେ ରଖି କୋର୍ଟ ଏବେ ଏହି ମାମଲାରେ ସମ୍ବିଧାନିକ ମର୍ଯ୍ୟାଦା ଓ ଆଇନଗତ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରୁଛନ୍ତି।

ସୁପ୍ରିମକୋର୍ଟରେ ବରିଷ୍ଠ ଓକିଲ କପିଲ ସିବଲ ଯୁକ୍ତି ଦେଇଥିଲେ ଯେ I-PAC ରେ ନିର୍ବାଚନ ସମ୍ବନ୍ଧୀୟ କାଗଜପତ୍ରକୁ ଛାଡି ଇଡିର ତଦନ୍ତ ସମ୍ପର୍କିତ କିଛି ପ୍ରସଙ୍ଗ ନଥିଲା। ସେ ଆହୁରି କହିଛନ୍ତି ଯେ ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ଏବଂ ଜେଡ୍‌- ସୁରକ୍ଷାପ୍ରାପ୍ତ ବ୍ୟକ୍ତି ଭାବରେ ପ୍ରତୀକ ଜୈନଙ୍କ ପରିସରକୁ ପରିଦର୍ଶନ କରିବା ସମୟରେ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକଙ୍କୁ ତାଙ୍କ ସହିତ ରଖିବା ତାଙ୍କର କର୍ତ୍ତବ୍ୟ ଥିଲା। ସୁପ୍ରିମକୋର୍ଟ ଇଡିର ଦଲିଲ ମଧ୍ୟ ରେକର୍ଡ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଇଡି ଅଧିକାରୀମାନେ I-PAC କାର୍ଯ୍ୟାଳୟରେ ଚଢାଉ କରୁଥିବା ସମୟରେ ହସ୍ତକ୍ଷେପ ନକରିବା ପାଇଁ ସ୍ପଷ୍ଟ ଅନୁରୋଧ ସତ୍ତ୍ୱେ କୋଲକାତା ପୋଲିସ ଡେପୁଟି କମିଶନର, ପୋଲିସ କମିଶନର ଏବଂ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରିସରରେ ପ୍ରବେଶ କରିଥିଲେ। 

ଉଲ୍ଲେଖନୀୟ ଯେ, ପଶ୍ଚିମ ବଙ୍ଗରେ I-PAC କାର୍ଯ୍ୟାଳୟ ଏବଂ ଏହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ପରିସରରେ ଚଢାଉ କରିଥିବା ଇଡି ଅଧିକାରୀଙ୍କ ବିରୁଦ୍ଧରେ ଦାୟର ଏଫଆଇଆର ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟରେ ଇଡିର ଆବେଦନ ଜାନୁଆରୀ ୮ ର ଘଟଣା ପରେ ଆସିଛି, ଯେତେବେଳେ କୋଇଲା ଚୋରା ଚାଲାଣ ମାମଲା ସହିତ ଜଡିତ ଆଇ-ପିଏସିର ସଲ୍ଟ ଲେକ୍ କାର୍ଯ୍ୟାଳୟ ଏବଂ ଏହାର ମୁଖ୍ୟ ପ୍ରତୀକ ଜୈନଙ୍କ ବାସଭବନରେ ଚଢାଉ ସମୟରେ ତଦନ୍ତ ସଂସ୍ଥା ଅଧିକାରୀମାନେ ବାଧାପ୍ରାପ୍ତ ହୋଇଥିଲେ। 

ଆହୁରି ପଢନ୍ତୁ :ମାୟାବତୀଙ୍କ ଜନ୍ମଦିନରେ ଅଘଟଣ: ପ୍ରେସ କନଫ୍ରେନ୍ସ ଚାଲିଥିବା ବେଳେ ସର୍ଟ ସର୍କିଟ, ପୁରା ହଲ୍‌ ଧୂଆଁମୟ