ନୂଆଦିଲ୍ଲୀ,୨୧।୧୦: ସୁପ୍ରିମକୋର୍ଟର ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ(ଏନ୍‌ସିପିସିଆର)ର ସୁପାରିଶ ଉପରେ ସୋମବାର ରୋକ ଲଗାଇ ଦିଆଯାଇଛି। ଏହି ରାୟ ଆସିବା ପରେ ଦେଶର ସବୁ ମଦ୍ରାସାକୁ ମଧ୍ୟ ସରକାର ପକ୍ଷରୁ ମିଳୁଥିବା ଫଣ୍ଡିଂ ଜାରି ରହିବ। ଏନ୍‌ସିପିସିଆର ଶିକ୍ଷା ଅଧିକାର ଆଇନର ପାଳନ ନକରିବା ନେଇ ସରକାରୀ ଅର୍ଥ ପୋଷିତ ଓ ସହାୟତା ପ୍ରାପ୍ତ ମଦ୍ରାସାକୁ ମିଳୁଥିବରା ଧନରାଶି ରୋକିବାର ଦାବି କରାଯାଇଛି। 

ଆଜି ସୁପ୍ରିମକୋର୍ଟ ଅଣମାନ୍ୟତା ପ୍ରାପ୍ତ ମଦ୍ରାସାର ଛାତ୍ରଙ୍କୁ ସରକାରୀ ସ୍କୁଲ ପଠାଇବା ସମ୍ପର୍କରେ ଏନ୍‌ସିପିସିଆର ସୁପାରିଶ ମଧ୍ୟ ଖାରଜ କରିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ଜେବି ପାଦରିଓ୍ବାଲ ଓ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଆଜି ଏହି ମାମଲାରେ ରାୟ ପ୍ରକାଶ କରିଛନ୍ତି। ମୁସଲମାନ ସଂଗଠନ ଜମିୟତ ଉଲେମା-ଇ-ହିନ୍ଦର ଓକିଲଙ୍କ ଦଲିଲକୁ ଖଣ୍ଡପୀଠ ଶୁଣାଣି କରିଛନ୍ତି। ଏଥିରେ କହିଛନ୍ତି, ଏନ୍‌ସିପିସିଆର ଓ କିଛି ରାଜ୍ୟର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ଦରକାର। 

ମୁସଲମାନ ସଂଗଠନ ଉତ୍ତର ପ୍ରଦେଶ ଓ ତ୍ରିପୁରା ସରକାର ସେହି ନିର୍ଦେଶକୁ ଚ୍ୟାଲେଞ୍ଜ ଦେଇଛି, ଯେଉଁଥିରେ କୁହାଯାଇଥିଲା ଯେ, ଅଣମାନ୍ୟତାପ୍ରାପ୍ତ ମଦ୍ରାସାର ଛାତ୍ରଙ୍କୁ ସରକାରୀ ସ୍କୁଲ ସ୍ଥାନନ୍ତରିତ କରାଯିବା ଦରକାର। ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ ଚଳିତ ବର୍ଷ ୭ ଜୁନ୍‌ ଓ ୨୫ ଜୁନ୍‌ରେ ଜାରି ଏନ୍‌ସିପିସିଆରର ସୁପାରିଶ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବା ଊଚିତ ନୁହେଁ।  ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏହି କାରଣରୁ ବହୁ ରାଜ୍ୟର ନି‌ର୍ଦେଶ ମଧ୍ୟ ସ୍ଥଗିତ ରହିବ। କୋର୍ଟ ମୁସଲମାନ ସଂସ୍ଥାକୁ ଉତ୍ତର ପ୍ରଦେଶ ଓ ତ୍ରିପୁରା ବ୍ୟତୀତ ବହୁ ରାଜ୍ୟକୁ ନିଜର ଆବେଦନରେ ପକ୍ଷକାର କରିବାର ଅନୁମତି ଦେଇଛି।