ନୂଆଦିଲ୍ଲୀ,୧୫।୭: ସର୍ବୋଚ୍ଚ ନ୍ୟାୟାଳୟରୁ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ AIMIM କୁ ଆଶ୍ବସ୍ଥି। ମାନ୍ୟତା ରଦ୍ଧ ପାଇଁ ହୋଇଥିବା ଆବେଦନର ଶୁଣାଣି କରିବାକୁ ମନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଆବେଦନକାରୀ ଓୱେସିଙ୍କ ଦଳକୁ ଧାର୍ମିକ ଆଧାରରେ ଗଠିତ ବୋଲି ଦର୍ଶାଇଥିଲେ। ତେବେ କୋର୍ଟ କହିଥିଲେ, ଯଦି ଆବେଦନକାରୀ ଧାର୍ମିକ କିମ୍ବା ଜାତି ଆଧାରରେ ଭୋଟ୍ ମାଗୁଥିବା ଦଳଗୁଡ଼ିକ ବିରୁଦ୍ଧରେ କହିବାକୁ ଚାହାଁନ୍ତି, ତେବେ ବ୍ୟାପକ ଆବେଦନ ଦାଖଲ କରନ୍ତୁ।
AIMIMର ମାନ୍ୟତା ବାତିଲ କରିବା ପାଇଁ ହୋଇଥିବା ଆବେଦନରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ। ଶିବସେନା ନେତା ତିରୁପତି ନରସିଂହ ମୁରାରି ଏହି ଆବେଦନ ଦାଖଲ କରିଥିଲେ। ପୂର୍ବରୁ, ଦିଲ୍ଲୀ ହାଇକୋର୍ଟ ୧୬ ଜାନୁଆରୀ ୨୦୨୫ ରେ ଏହାକୁ ଖାରଜ କରିଦେଇଥିଲେ। ଏହି ମାମଲା ସୁପ୍ରିମକୋର୍ଟରେ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ମୁଖରେ ଉଠିଥିଲା। ଶୁଣାଣି ଆରମ୍ଭରେ ଖଣ୍ଡପୀଠ କହିଥିଲେ ଯେ AIMIM କହୁଛି ଏହା ସମସ୍ତ ପଛୁଆ ଲୋକଙ୍କ ପାଇଁ ସ୍ବର ସାଜିଛି।
ଆବେଦନକାରୀଙ୍କ ଓକିଲ ବିଷ୍ଣୁ ଜୈନ୍ କହିଛନ୍ତି, AIMIM ଧାର୍ମିକ ଆଧାରରେ ଗଠିତ ଏକ ଦଳ। ଏହା ଇସଲାମିକ୍ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଭଳି ଅନେକ କଥା କୁହେ। ଯାହାକି ସ୍ପଷ୍ଟ ଭାବରେ ଧର୍ମ ନାମରେ ଭୋଟ୍ ମାଗୁଥାଏ। ଏହା ଉପରେ କୋର୍ଟ କହିଛନ୍ତି ଯେ ଅନେକ ଦଳ ଧର୍ମ କିମ୍ବା ଜାତି ଆଧାରରେ ଭୋଟରଙ୍କୁ ପ୍ରଭାବିତ କରନ୍ତି। କିନ୍ତୁ ବର୍ତ୍ତମାନ ଆଇନରେ ଏକମାତ୍ର ବ୍ୟବସ୍ଥା ହେଉଛି ଯେ ଧାର୍ମିକ ଆଧାରରେ ଭୋଟ ମାଗୁଥିବା ପ୍ରାର୍ଥୀଙ୍କ ବିରୁଦ୍ଧରେ ଆବେଦନ ଦାୟର କରାଯାଇପାରିବ।