ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସମ୍ବିଧାନର ଶକ୍ତି ଏବଂ ଗୁରୁତ୍ୱ ବିଷୟରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଆମ ସମ୍ବିଧାନ ଉପରେ ଆମେ ଗର୍ବ କରିବା ଉଚିତ କାରଣ ଏହା ଜନତାଙ୍କ ଅଧିକାରକୁ ସୁରକ୍ଷା ଦିଏ ଏବଂ ଗଣତନ୍ତ୍ରକୁ ସୁଦୃଢ଼ ​​କରେ। ଏକ ଶୁଣାଣି ସମୟରେ ଚଳିତ ସପ୍ତାହରେ ନେପାଳରେ ହିଂସା ଏବଂ ଗତ ବର୍ଷ ଜୁଲାଇରେ ବାଂଲାଦେଶରେ ହୋଇଥିବା ହିଂସାତ୍ମକ ପ୍ରତିବାଦର ଉଲ୍ଲଖ କରିଛନ୍ତି ସିଜେଆଇ । ମୁଖ୍ୟ ବିଚାରପତି ବି.ଆର. ଗାଭାଇ କହିଛନ୍ତି ଯେ, ଆମର ସମ୍ବିଧାନ ରାଷ୍ଟ୍ରପତିଙ୍କୁ ଯେକୌଣସି ଆଇନ ସହିତ ଜଡିତ ସାର୍ବଜନୀନ ଗୁରୁତ୍ୱର ଯେକୌଣସି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପରାମର୍ଶ ନେବାର ଅଧିକାର ଦେଇଛି, ଯାହା ଏହାକୁ ଆହୁରି ମଜବୁତ କରିଥାଏ।

ସୂଚନା ମୁତାବକ ଚଳିତ ସପ୍ତାହରେ ନେପାଳରେ ଏବଂ ଗତ ବର୍ଷ ଜୁଲାଇରେ ବାଂଲାଦେଶରେ ହୋଇଥିବା ହିଂସାତ୍ମକ ପ୍ରତିବାଦକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଉଲ୍ଲେଖ କରାଯାଇଥିଲା, ଯେଉଁଠାରେ ସୁପ୍ରିମକୋର୍ଟ ଏପ୍ରିଲ ୧୨ ତାରିଖର ଆଦେଶ ଉପରେ ରାଷ୍ଟ୍ରପତିଙ୍କ ସନ୍ଦର୍ଭର ଶୁଣାଣି କରିଥିଲେ। କୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ରାଜ୍ୟପାଳ ମାନଙ୍କୁ ରାଜ୍ୟ ଗୁଡ଼ିକର ବିଲ୍ ଅନୁମୋଦନ କରିବା ପାଇଁ ଏକ ସମୟସୀମା ଧାର୍ଯ୍ୟ କରିଥିଲେ।

ପ୍ରକୃତରେ, ଶୁଣାଣି ସମୟରେ,ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ପରିସଂଖ୍ୟାନ ମାଧ୍ୟମରେ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ ଯେ,ଗତ ୭୦ ବର୍ଷରେ ରାଜ୍ୟପାଳ ମାନଙ୍କ ଦ୍ୱାରା କେବଳ ୨୦ ଟି ବିଲ୍ ଅନୁମୋଦନ କରାଯାଇ ନାହିଁ। ମାତ୍ର ଗୋଟିଏ ମାସରେ ୯୦ ପ୍ରତିଶତ ବିଲ୍ ମଞ୍ଜୁର କରାଯାଇଥିଲା।

ତଥାପି, କୋର୍ଟ ଏହି ଯୁକ୍ତିରେ ସନ୍ତୁଷ୍ଟ ନଥିଲେ। କୋର୍ଟ କହିଥିଲେ ଯେ ଆମେ ଏହି ସଂଖ୍ୟାର ବିତର୍କରେ ଯିବୁ ନାହିଁ। ଯେତେବେଳେ ଅନ୍ୟ ପକ୍ଷ କିଛି ରାଜ୍ୟରେ ପଡ଼ି ରହିଥିବା ବିଲ୍ ର ତଥ୍ୟ ଦେଉଥିଲେ, ସେତେବେଳେ ସରକାରଙ୍କ ପକ୍ଷରୁ ଏସଜି ମେହେଟ୍ଟା ନିଜେ ଏହାର ବିରୋଧ କରିଥିଲେ। ତେଣୁ ସଂଖ୍ୟା ବଦଳରେ, ସେ ସାମ୍ବିଧାନିକ ଦିଗ ଗୁଡ଼ିକ ଉପରେ ତାଙ୍କର ମତ ରଖିବା ଉଚିତ। ଖଣ୍ଡପୀଠର ସଦସ୍ୟ ଜଷ୍ଟିସ୍ ବିକ୍ରମ ନାଥ କହିଛନ୍ତି ଯେ ଦେଶ ଗତ ୭୫ ବର୍ଷ ଧରି ଗଣତନ୍ତ୍ର ଏବଂ ସମ୍ବିଧାନ ମାଧ୍ୟମରେ ଆଗକୁ ବଢ଼ୁଛି। ଏହି ସମୟ ମଧ୍ୟରେ କେତେ ବିଲ୍ ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ କରାଯାଇଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ।

ଭାରତୀୟ ସମ୍ବିଧାନକୁ ଉଲ୍ଲେଖ କରି ପ୍ରଧାନ ବିଚାରପତି ବି.ଆର. ଗାଭାଇ କହିଛନ୍ତି, 'ଆମେ ଆମ ସମ୍ବିଧାନ ଉପରେ ଗର୍ବିତ।' ସେ ଆହୁରି କହିଛନ୍ତି ଯେ ରାଷ୍ଟ୍ରପତିଙ୍କର ଯେକୌଣସି ଆଇନଗତ ପ୍ରସଙ୍ଗରେ ସୁପ୍ରିମକୋର୍ଟରୁ ପରାମର୍ଶ ନେବାର ଅଧିକାର ଅଛି ଯାହା ସାର୍ବଜନୀନ ଗୁରୁତ୍ୱର କିମ୍ବା ଯେକୌଣସି ଭାବରେ ଜନସାଧାରଣଙ୍କୁ ପ୍ରଭାବିତ କରେ।'

ନେପାଳରେ ୪୮ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନକୁ ଉଲ୍ଲେଖ କରି ପ୍ରଧାନ ବିଚାରପତି କହିଛନ୍ତି, 'ଆମର ପଡ଼ୋଶୀ ଦେଶ ଗୁଡ଼ିକରେ କ'ଣ ଘଟୁଛି ଦେଖନ୍ତୁ। ନେପାଳରେ ଯାହା ଘଟିଲା ଆମେ ତାହା ଦେଖିଲୁ।' ଏହି ସମୟରେ, ଜଷ୍ଟିସ୍ ବିକ୍ରମ ନାଥ କହିଛନ୍ତି,'ହଁ, ବାଂଲାଦେଶରେ ମଧ୍ୟ।'