ନୂଆଦିଲ୍ଲୀ, ୧୫।୧ : ଗତ ୧୨ ବର୍ଷ ଧରି କୋମାରେ ଅଛନ୍ତି ୩୧ ବର୍ଷୀୟ ହରିଶ । ଯାହାଙ୍କୁ ଇଚ୍ଛାମୃତ୍ୟୁ ପ୍ରଦାନ ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାକୁ ଯାଉଛି । ମଙ୍ଗଳବାର କୋର୍ଟର କମିଟି ରୁମ୍ ରେ ଜଷ୍ଟିସ ଜେବି ପାରଦିୱାଲା ଏବଂ ଜଷ୍ଟିସ କେଭି ବିଶ୍ୱନାଥନ ଗାଜିଆବାଦର ହରିଶ ରାଣାଙ୍କ ବାପାମାଆଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ । ଗତ ଶୁଣାଣି ସମୟରେ ଖଣ୍ଡପୀଠ କହିଥିଲେ ଯେ, ନିଷ୍ପତ୍ତି ନେବା ପୂର୍ବରୁ ସେ ପରିବାର ସହିତ ସାକ୍ଷାତ କରି ପରିସ୍ଥିତି ନିର୍ଣ୍ଣୟ କରିବାକୁ ଚାହାଁନ୍ତି । ଖଣ୍ଡପୀଠ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଗଠିତ ଦୁଇଟି ମେଡିକାଲ ବୋର୍ଡର ରିପୋର୍ଟକୁ ମଧ୍ୟ ବିଚାର କରିଥିଲେ ।

୧୨ ବର୍ଷ ଧରି ଶଯ୍ୟାଶାୟୀ:

କୋର୍ଟ ଦୁଇଟି ଭିନ୍ନ ଡାକ୍ତରୀ ମେଡିକାଲ୍ ବୋର୍ଡର ରିପୋର୍ଟକୁ ଦୃଷ୍ଟିରେ । ସେହି ରିପୋର୍ଟ ଅନୁସାରେ ହରିଶ ସୁସ୍ଥ ହେବାର ସମ୍ଭାବନା ବହୁତ କମ୍ । ରାଣା ପରିବାରର ଓକିଲ ମନୀଷ ଜୈନଙ୍କ ଅନୁଯାୟୀ, ହରିଶ ଗତ ସାଢ଼େ ୧୨ ବର୍ଷ ଧରି ଶଯ୍ୟାଶାୟୀ ଅଛନ୍ତି । ତାଙ୍କୁ ଏକ ଖାଦ୍ୟ ଟ୍ୟୁବ୍ ମାଧ୍ୟମରେ ତରଳ ପଦାର୍ଥ ଖାଇବାକୁ ଦିଆଯାଏ । ସେ କଥା କହି ବି ପାରୁନାହାଁନ୍ତି । ବିଛଣାରେ ସବୁ ସମୟରେ ଶୋଇବା ରହିବା ଯୋଗୁଁ ତାଙ୍କ ପିଠିରେ ଘା’ ହୋଇଗଲାଣି ।

ମସ୍ତିଷ୍କରେ ଗମ୍ଭୀର ଆଘାତ:

ହରିଶ ଚଣ୍ଡିଗଡ଼ରେ ବି.ଟେକ୍ ଡିଗ୍ରୀ ପାଇଁ ଅଧ୍ୟୟନ କରୁଥିବା ସମୟରେ ୨୦୨୩ ଅଗଷ୍ଟ ୨୦ରେ ଚତୁର୍ଥ ମହଲାରୁ ପଡ଼ିଯାଇଥିଲେ । ଯାହା ପରେ ତାଙ୍କ ମସ୍ତିଷ୍କରେ ଗଭୀର ଲାଗିଥିଲା । ମସ୍ତିଷ୍କ ଆଘାତ ଲାଗିବା ଯୋଗୁଁ ତାଙ୍କର ଏପରି ଅବସ୍ଥା ହୋଇଛି । ତାଙ୍କ ବାପାମାଆ ୩ ବର୍ଷ ପୂର୍ବେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଯେ, ଯଦି ସେ ଏକ ସମ୍ମାନଜନକ ଜୀବନ ପାଇପାରିବେ ନାହିଁ, ସମ୍ମାନଜନକ ମୃତ୍ୟୁ ପାଇପାରିବେ ।

ଇଚ୍ଛାମୃତ୍ୟୁର ଅର୍ଥ କ'ଣ ?

ଇଚ୍ଛାମୃତ୍ୟୁ ହେଉଛି ଜଣେ ବ୍ୟକ୍ତିଙ୍କୁ ନିଜ ଇଚ୍ଛାରେ ମୃତ୍ୟୁ ପାଇଁ ଅନୁମତି ଦେବା । ଏଥିରେ ଜଣେ ବ୍ୟକ୍ତିଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଡାକ୍ତରଙ୍କ ସହାୟତାରେ ତାଙ୍କ ଜୀବନ ଶେଷ କରିବାକୁ ପଡ଼ିଥାଏ । ଇଚ୍ଛାମୃତ୍ୟୁ ଦୁଇଟି ଉପାୟରେ କରାଯାଏ, ତାହା ହେଉଛି ସକ୍ରିୟ ଇଚ୍ଛାମୃତ୍ୟୁ, ଏବଂ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ।ସକ୍ରିୟ ଇଚ୍ଛାମୃତ୍ୟୁରେ, ଡାକ୍ତରମାନେ ରୋଗୀଙ୍କୁ ଏକ ବିଷାକ୍ତ ଔଷଧ କିମ୍ବା ଇଞ୍ଜେକ୍ସନ ଦିଅନ୍ତି, ଯାହା ଫଳରେ ତାଙ୍କର ମୃତ୍ୟୁ ହୁଏ । ନିଷ୍କ୍ରିୟ ଇଚ୍ଛାମୃତ୍ୟୁରେ, ରୋଗୀଙ୍କ ଚିକିତ୍ସା ବନ୍ଦ କରିଦିଆଯାଏ । ଯଦି ସେମାନେ ଭେଣ୍ଟିଲେଟରରେ ଥାଆନ୍ତି ତେବେ ତାଙ୍କଠୁ ଭେଣ୍ଟିଲେଟର ଦୂରେଇ ଦିଆଯାଏ ଏବଂ ସେମାନଙ୍କର ଔଷଧ ବନ୍ଦ କରିଦିଆଯାଏ । ୨୦୧୮ ମସିହାରେ, ସୁପ୍ରିମକୋର୍ଟ ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ ମଞ୍ଜୁରୀ ଦେଇଥିଲେ ।