ନୂଆଦିଲ୍ଲୀ, ୨୪/୦୪ : ସୁରଟ ସଡ଼କରେ ଏବେ ଏକ ନିଆରା ସାଇକେଲ ସବୁରି ଧ୍ୟାନ ଆକର୍ଷଣ କରୁଛି । ଚାଳକ ବିନା ରାସ୍ତାରେ ଗଡୁଥିବା ଏହି ସାଇକେଲକୁ ଦେଖି ଲୋକେ ‘ଭୂତ ସାଇକେଲ’ କହୁଛନ୍ତି । ବିଟେକ୍ ଛାତ୍ର ତଥା ଉଦ୍ଭାବକ ଶିବମ୍ ମୌର୍ଯ୍ୟ ନିଜର ସାଥୀ ଗୁରପ୍ରୀତ ଅରୋରାଙ୍କ ସହ ମିଶି ଏହି ଅଭିନବ ସାଇକେଲ ପ୍ରସ୍ତୁତ କରିଛନ୍ତି । ପ୍ରାୟ ୩ ମାସର ପରିଶ୍ରମରେ ଏହି ସାଇକେଲ ପ୍ରସ୍ତୁତ ହୋଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ପଦ୍ଧତିରେ ଏହା କାମ କରୁଛି । ଚାଳକ ବିନା ଗଡୁଥିବାରୁ କୌଣସି ଅଦୃଶ୍ୟ ଶକ୍ତି ଏହାକୁ ଚଳାଉଥିବା ଭ୍ରମ ସୃଷ୍ଟି ହେଉଛି ।
ସାଇକେଲରେ ମଣିଷ ଗୋଡ଼ ଭଳି ଢାଞ୍ଚା ସଂଲଗ୍ନ ହୋଇଛି, ଯାହା ଗଡ଼ିବା ସମୟରେ ପ୍ରାକୃତିକ ରୂପେ ପେଡାଲ ମାରୁଥିବା ଦେଖାଯାଉଛି । ଏହି ପ୍ରୋଜେକ୍ଟ ପୂରଣ କରିବାରେ ପ୍ରାୟ ୩୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ସାଇକେଲକୁ ୩ ଭିନ୍ନ ଭିନ୍ନ ଉପାୟରେ ନିୟନ୍ତ୍ରିତ କରାଯାଇପାରେ । ପ୍ରଥମତଃ ସ୍ମାର୍ଟଫୋନ୍ ଆପ୍ । ଏହା ଜରିଆରେ ମୋବାଇଲ ଫୋନ୍ ମାଧ୍ୟମରେ ଏହାର ଦିଗ ଓ ନିୟନ୍ତ୍ରଣ କରାଯାଇପାରିବ । ୨ୟତଃ ରିମୋଟ୍ କଣ୍ଟ୍ରୋଲ, ଯାହା ମାଧ୍ୟମରେ ସାଇକେଲକୁ ପଛକୁ- ଆଗକୁ ଓ ବୁଲାଯାଇ ପାରୁଛି । ୩ୟ ତଥା ସବୁଠୁ ଖାସ୍ ତରିକା ହେଉଛି ଅଟୋମେଟେଡ୍ ମୋଡ୍ । ଏଥିରେ ମାର୍ଗର କୋଡିଂ କରି ସାଇକେଲକୁ ସମ୍ପୂର୍ଣ୍ଣ ସେଲ୍ଫ-ଡ୍ରାଇଭ୍ ମୋଡ୍ରେ ଚଲାଯାଇ ପାରିବ । ଏହାର ସେନ୍ସର ଓ ସର୍କିଟ ରାସ୍ତାର ବାଧାବିଘ୍ନଗୁଡ଼ିକୁ ଚିହ୍ନଟ କରି ଦିଗ ବଦଳାଇବାରେ ସାହାଯ୍ୟ କରେ । ଏହି ଟେକ୍ନୋଲୋଜି ଏହାକୁ ସ୍ୱତନ୍ତ୍ର କରେ ।
ସାଇକେଲରେ ବ୍ୟାଟେରୀ, କଣ୍ଟ୍ରୋଲର, ରାସ୍ପବେରୀ ପାଇ ଓ ଅନ୍ୟ ଛୋଟ ଛୋଟ ଉପକରଣ ଲାଗିଛି, ଯାହା ପୂରା ସିଷ୍ଟମ୍କୁ ନିୟନ୍ତ୍ରଣ କରୁଛି । ପୁରୁଣା ସାଇକେଲ ବ୍ୟବହାର କରି ଏହାକୁ ପ୍ରସ୍ତୁତ କରାଯାଇଛି । ଏହାର ସନ୍ତୁଳନ ପଦ୍ଧତି ଉପରେ ସ୍ୱତନ୍ତ୍ର ଅଧ୍ୟୟନ କରାଯାଇଛି । ସାଇକେଲର ଆଗ ଚକରେ ମୋଟର ଲାଗିଛି, ଯାହା ତାକୁ ଆଗ-ପଛକୁ ଗଡ଼ାଇବା ଏବଂ ବେଗ ନିୟନ୍ତ୍ରଣ କାମ କରୁଛି । ହ୍ୟାଣ୍ଡେଲର ଦିଗ ବଦଳାଇବା ପାଇଁ ଲିନିୟର ଆକ୍ଚୁଏଟର ଲାଗିଛି, ଯାହା ଷ୍ଟିଅରିଂକୁ ବାମ-ଡାହାଣକୁ ମୋଡୁଛି । ଶିବମ୍ ମୌର୍ଯ୍ୟ ଏହା ପୂର୍ବରୁ ଚାଳକ-ବିହୀନ ‘ଗରୁଡ଼ ଏଆଇ ବାଇକ୍’ ପ୍ରସ୍ତୁତ କରି ଚର୍ଚ୍ଚାର ବିଷୟ ହୋଇଥିଲେ । ତାଙ୍କ ସଂସ୍ଥା ଗତ ୮-୧୦ ବର୍ଷ ହେଲା ୱାନ୍-ଟାୟର ସ୍କୁଟର, ରୋବୋ ରିକ୍ସା ଓ କ୍ୟାପ୍ସୁଲ କାର୍ ଭଳି ଅଭିନବ ଯାନ ଉପରେ କାମ କରୁଛି । ଏହି ପ୍ରୋଜେକ୍ଟ ମଧ୍ୟ ସେହି ବିଚାରଧାରାର ଅଂଶ ।
ଏହି ଖବରଟିକୁ ପଢନ୍ତୁ- ଇଟାଲି ମୁହାଁ ହେଲେଣି ଧନୀ, ବିଦେଶୀଙ୍କୁ ଆକର୍ଷିତ କରୁଛି ଫ୍ଲାଟ୍ ଟିକସ ଏବଂ ସହଜ ନିୟମ