ହାଇଦ୍ରାବାଦ, ୨୯/୦୭ : ହସ୍ପିଟାଲରେ ଛୁଆ ଅଦଳବଦଳ ଏବଂ ଶିଶୁ ବିକ୍ରି ପରେ ଏବେ ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଖବର। ଆଇଭିଏଫ୍ ସେଣ୍ଟରରେ ଚାଲିଥିଲା ସରୋଗେସୀ ଘୋଟାଲା ଓ ସ୍ପର୍ମ ତସ୍କରୀ। ଡାକ୍ତରାଣୀଙ୍କ ସମେତ ୧୦ ଜଣଙ୍କୁ ବାନ୍ଧିଲା ପୁଲିସ। ସିକନ୍ଦରାବାଦରୁ ଏଭଳି ରାକେଟ୍ରେ ପର୍ଦ୍ଦାଫାସ୍ କରିଛି ହାଇଦ୍ରାବାଦ ପୁଲିସ।
ସୂଚନାନୁଯାୟୀ, ସିକନ୍ଦରାବାଦ ରେଜିମେଣ୍ଟାଲ ବଜାର ସ୍ଥିତ ଏକ ଆଇଭିଏଫ୍ ସେଣ୍ଟରରେ ସରୋଗେସୀ ଘୋଟାଲା ଏବଂ ସ୍ପର୍ମ ତସ୍କରୀ ଚାଲିଥିବା ନେଇ ଏକ ରାଜସ୍ଥାନୀ ଦମ୍ପତି ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ହାଇଦ୍ରାବାଦ ପୁଲିସ ଆଇଭିଏଫ୍ ସେଣ୍ଟରରେ ଚଢାଉ କରିଥିଲା। ଚଢାଉ ବେଳେ ସରୋଗେସୀ ଘୋଟାଲାର ପର୍ଦ୍ଦାଫାସ୍ ହୋଇଥିଲା। ପୁଲିସ ଏହି ମାମଲାରେ ଆଇଭିଏଫ୍ ଡାକ୍ତରାଣୀଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି। ଦମ୍ପତିଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଗତବର୍ଷ ସରୋଗେସୀ ପ୍ରକ୍ରିୟା ପାଇଁ ଉକ୍ତ କ୍ଲିନିକ୍କୁ ୩୫ ଲକ୍ଷ ଟଙ୍କା ଦେଇଥିଲେ। ଏଥିପାଇଁ ଜଣେ ମହିଳାଙ୍କୁ ବିଶାଖାପାଟଣାରୁ ପ୍ଲେନ୍ ଯୋଗେ ହାଇଦ୍ରାବାଦ ଅଣାଯାଇଥିଲା। ଛୁଆ ଜନ୍ମ ହେବା ପରେ ଉକ୍ତ ଦମ୍ପତି ଛୁଆର ଡିଏନଏ ଟେଷ୍ଟ କରିଥିଲେ। ରିପୋର୍ଟରେ ଭୟଙ୍କର ଖୁଲାସା ହୋଇଥିଲା। ଶିଶୁ ସହ ସେମାନଙ୍କର କୌଣସି ବାୟୋଲୋଜିକାଲ୍ ଲିଙ୍କ୍ ନଥିବା ଜଣାପଡ଼ିଥିଲା। ଡିଏନଏ ରିପୋର୍ଟ ଧରି ପତି-ପତ୍ନୀ ଦୁହେଁ ଆଇଭିଏଫ୍ ଡାକ୍ତରାଣୀଙ୍କ ନିକଟରେ ପହଞ୍ଚିଥିଲେ। ଏଥିରେ ଗଡ଼ବଡ଼ ହୋଇଥିବା ହୋଇଥିବା ଖୋଦ୍ ଡାକ୍ତରାଣୀ ମାନିଥିଲେ ଏବଂ ଏହାକୁ ସୁଧାରିବାକୁ ଆଶ୍ଵସନା ଦେଇଥିଲେ। ହେଲେ ପରେ ଡାକ୍ତରାଣୀ ଧରାଛୁଆଁ ଦେଇନଥିଲେ। ଯାହାଫଳରେ ଦମ୍ପତି ଥାନାର ଦ୍ଵାରସ୍ଥ ହୋଇଥିଲେ।
ହାଇଦ୍ରାବାଦର ନର୍ଥ ଜୋନ୍ ଡେପୁଟି କମିଶନର ରଶ୍ମୀ ପେରୁମଲଙ୍କ କହିବା ଅନୁଯାୟୀ, ଗରିବ ମହିଳାଙ୍କୁ ଟଙ୍କା ଲୋଭ ଦେଖାଇ ସେମାନଙ୍କୁ ସରୋଗେଟ୍ ମଦର ହେବା ପାଇଁ ରାଜି କରାଯାଉଥିଲା। ଅନ୍ୟ ରାଜ୍ୟରୁ ଏହି ମହିଳାମାନଙ୍କୁ ଅଣା ଯାଉଥିଲା। ଏପରିକି ଗୁଜରାଟ ଏବଂ ମଧ୍ୟପ୍ରଦେଶରୁ ସ୍ପର୍ମ ଯୋଗାଡ଼ କରି ଏହି କ୍ଲିନିକ୍କୁ ପଠାଯାଉଥିଲା। ଏହି ରାକେଟ୍ର ଏବେ ପର୍ଦ୍ଦାଫାସ୍ ହୋଇଛି। ପୁଲିସ ଡାକ୍ତରାଣୀଙ୍କ ସମେତ ୧୦ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।