ନୂଆଦିଲ୍ଲୀ, ୨୨।୧: ଭାରତୀୟ ବାୟୁସେନାର ସୂର୍ଯ୍ୟ କିରଣ ଏରୋବେଟିକ୍ ଦଳର ୨ ଦିନିଆ ମେଗା ଏୟାର ସୋ । ଜାନୁଆରୀ ୨୨ ଏବଂ ୨୩ ତାରିଖରେ ନାସିକ୍ ସହର ଉପକଣ୍ଠରେ ଥିବା ଗଙ୍ଗାପୁର ଅଞ୍ଚଳରେ ଏହି ଏୟାର ସୋ ଆୟୋଜିତ ହୋଇଛି, ଯେଉଁଥିରେ ଆକାଶରେ ତ୍ରିରଙ୍ଗା ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମ ଉଭୟ ଦିନ ସକାଳ ୧୦ଟାରୁ ମଧ୍ୟାହ୍ନ ମଧ୍ୟରେ ସ୍ଥିର କରାଯାଇଛି । କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହୋଇଛି ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ କଭଲ ସାନ୍ଧୁ କାର୍ଯ୍ୟକ୍ରମର ଲାଇଭ୍ ଭାଷଣ ପ୍ରଦାନ କରିବେ । ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା କଲେକ୍ଟରେଟ୍ ଅଡିଟୋରିୟମରେ ସୂର୍ଯ୍ୟ କିରଣ ଏରୋବେଟିକ୍ ’ର ବିବରଣୀ ପ୍ରଦାନ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଜିଲ୍ଲା କଲେକ୍ଟର ଆୟୁଷ ପ୍ରସାଦ, ଆଇଏଏଫ୍ ସ୍କ୍ୱାଡ୍ରନ ଲିଡର ଗୌରବ ପଟେଲ, ଅଧିକାରୀ ସନ୍ଦୀପ ଦୟାଲ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ କଭଲ ସାନ୍ଧୁ, ରେସିଡେଣ୍ଟ ଡେପୁଟି କଲେକ୍ଟର ରୋହିତକୁମାର ରାଜପୁତ ଏବଂ ଦକ୍ଷିଣ କମାଣ୍ଡ ପିଆରଓ ଅଙ୍କୁଶ ଚଭନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

୧୯୯୬ ମସିହାରେ ପ୍ରତିଷ୍ଠା ହୋଇଥିବା ସୂର୍ଯ୍ୟ କିରଣ ଟିମ୍ ଏସିଆର ସର୍ବୋତ୍ତମ ଏରୋବେଟିକ୍ ଦଳ ମଧ୍ୟରୁ ଗୋଟିଏ । ଏହା ଭାରତ ଏବଂ ବିଦେଶରେ ୭୫୦ରୁ ଅଧିକ ଏୟାର ସୋରେ ପ୍ରଦର୍ଶନ କରିଛି । ଏହି ସ୍କ୍ୱାଡ୍ରନରେ ପ୍ରାୟ ୧୫୦ ଜଣ ସଦସ୍ୟ ଅଛନ୍ତି, ଯେଉଁଥିରେ ଦକ୍ଷ ଲଢ଼ୁଆ ପାଇଲଟ୍, ଇଞ୍ଜିନିୟର ଏବଂ ବୈଷୟିକ ବିଶେଷଜ୍ଞ ଅନ୍ତର୍ଭୁକ୍ତ । ଏହି ପ୍ରଦର୍ଶନୀ ପାଇଁ ବ୍ୟବହୃତ ବିମାନଗୁଡ଼ିକ ହେଉଛି ସ୍ୱଦେଶୀ ହକ୍ ଏମକେ-୧୩୨ ଉନ୍ନତ ତାଲିମ ଜେଟ୍, ଯାହାକୁ ୨୦୧୫ ମସିହାରେ ଦଳରେ ସାମିଲ କରାଯାଇଥିଲା । ଏହି ବିମାନଗୁଡ଼ିକୁ ନାସିକରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି ଯାହା ଦ୍ୱାରା ଏରୋବେଟିକ୍ ପ୍ରଦର୍ଶନ ସମୟରେ ଏଥିରୁ ନାରଙ୍ଗୀ, ଧଳା ଏବଂ ସବୁଜ ଧୂଆଁ ବାହାରିବ । ଫଳରେ ଆକାଶରେ ଭାରତୀୟ ତ୍ରିରଙ୍ଗାର ତିନି ରଙ୍ଗ ଦୃଶ୍ୟମାନ ହେବ ।

“‘ସଦୈବ ସର୍ବୋତ୍ତମ’ ଅର୍ଥାତ୍ ସର୍ବଦା ଶ୍ରେଷ୍ଠ ହେଉଛି ସୂର୍ଯ୍ୟ କିରଣର ଟିମ୍ର ମୂଳ ମନ୍ତ୍ର । ଏହା ଦ୍ୱାରା ପରିଚାଳିତ ହୋଇ ଆମେ ଜାନୁଆରୀ ୨୨ ଏବଂ ୨୩ ତାରିଖରେ ଗଙ୍ଗାପୁର ଡ୍ୟାମ୍ରେ ସର୍ବୋତ୍ତମ ଏରୋବେଟିକ୍ ପ୍ରଦର୍ଶନ କରିବୁ” ଏନେଇ ଫ୍ଲାଇଟ୍ ଲେପ୍ଟନାଣ୍ଟ କଭଲ୍ ସାନ୍ଧୁ କହିଛନ୍ତି । କଲେକ୍ଟର ଆୟୁଷ ପ୍ରସାଦ କହିଛନ୍ତି ଯେ, ଏହି ଏରୋବେଟିକ୍ ସୋ ଯୁପିଢ଼ିଙ୍କ ମଧ୍ୟରେ ଦେଶପ୍ରେମକୁ ପ୍ରେରଣା ଦେବ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବ । ସୂର୍ଯ୍ୟ କିରଣ ଟିମ୍ରେ ସ୍କ୍ୱାଡ୍ରନ୍ ଲିଡର ଗୌରବ ପଟେଲ, ଗ୍ରୁପ୍ କ୍ୟାପ୍ଟେନ୍ ଅଜୟ ଦାଶରଥୀ, ଡେପ୍ୟୁଟି ଲିଡର ଗ୍ରୁପ୍ କ୍ୟାପ୍ଟେନ ସିଦ୍ଧେଶ କାର୍ତ୍ତିକ, ସ୍କ୍ୱାଡ୍ରନ୍ ଲିଡର ଜସଦୀପ ସିଂହ, ସଞ୍ଜେଶ ସିଂହ, ଅଙ୍କିତ ବଶିଷ୍ଠ, ଦିବାକର ଶର୍ମା, ଏଡୱାର୍ଡ ପ୍ରିନ୍ସ, ଲଳିତ ବର୍ମା, ୱିଙ୍ଗି କମାଣ୍ଡର ରାଜେଶ କାଜଲା ଏବଂ ତେଜେଶ୍ୱର ସିଂହ ଅଛନ୍ତି । ଟେକ୍ନିକାଲ ଡିଭିଜନରେ ୱିଙ୍ଗ କମାଣ୍ଡର ଅଭିମନ୍ୟୁ ତ୍ୟାଗ, ସ୍କ୍ୱାଡ୍ରନ୍ ଲିଡର ସନ୍ଦୀପ ଦୟାଲ ଏବଂ ଫ୍ଲାଇଟ୍ ଲେପ୍ଟନାଣ୍ଟ ମନିଲ ଶର୍ମା ଅଛନ୍ତି । ଆକାଶରେ ଏରୋବେଟିକ୍ ପ୍ରଦର୍ଶନ ସମୟରେ ବିମାନଗୁଡ଼ିକ ଗଙ୍ଗାପୁର ଡ୍ୟାମ୍ ଉପରେ ବିଭିନ୍ନ ସମନ୍ୱିତ କାର୍ଯ୍ୟକଳାପ ପ୍ରଦର୍ଶନ କରିବା ସମୟରେ ପରସ୍ପରଠାରୁ ସର୍ବନିମ୍ନ ୫ ମିଟର ଦୂରତା ବଜାୟ ରଖିବେ । ବିମାନଗୁଡ଼ିକ ଜାନୁଆରୀ ୨୧ ସକାଳେ ନାସିକରେ ପହଞ୍ଚିଥିଲେ ।

ଆହୁରି ପଢ଼ନ୍ତୁ... ​​​​​​​​​​​​​​ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ହେବ ଆତ୍ମଘାତୀ ବିସ୍ଫୋରଣ, ହିମାଳଚ ପ୍ରଦେଶ ମୁଖ୍ୟମନ୍ତ୍ରୀ ଧମକପୂର୍ଣ୍ଣ ଇମେଲ