ନୂଆଦିଲ୍ଲୀ, ୧୬/୨ : ଟି-୨୦ ବିଶ୍ବକପରେ କମାଲ କରୁଛି ସୂର୍ଯ୍ୟ ବାହିନୀ । ତିନୋଟି ଯାକ ମ୍ୟାଚରେ ବିଜୟ ହେବା ସହ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି । ରବିବାର ପାକିସ୍ତାନକୁ ବଡ଼ ରନ୍ ବ୍ୟବଧାନରେ ହରାଇବା ପରେ ସମସ୍ତଙ୍କ ହୃଦୟ ଜିତିଛି ଭାରତ । ଅଧିନାୟକ ଭାବେ ନିଜର ଦାୟିତ୍ବ ବହନ କରୁଥିବା ସୂର୍ଯ୍ୟ କୁମାର ଯାଦବ ଏବେ ଏକ ନୂଆ ରେକର୍ଡ କରିଛନ୍ତି । ଆନ୍ତର୍ଜାତୀୟ ଟି-୨୦ରେ ନମ୍ବର ଓ୍ବାନ୍ ଭାରତୀୟ ଅଧିନାୟକ ହୋଇଛନ୍ତି ।

ଟି-୨୦ରେ ଭାରତୀୟ ଦଳକୁ ଅଧିକ ମ୍ୟାଚ୍ ଜିତାଇଥିବା ଅଧିନାୟକ ହେବାର ରେକର୍ଡ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ତାଙ୍କ ଅଧିନାୟକତ୍ବରେ ଭାରତ ୪୬ଟି ମ୍ୟାଚ ଖେଳିଥିବାବେଳେ ୩୭ଟି ବିଜୟ ହାସଲ କରିଛି । ୭ଟି ପରାଜୟ, ୨ଟି ମ୍ୟାଚ୍ ଡ୍ର ରହିଛି । ଏହି ରେକର୍ଡ ପୂର୍ବରୁ ରୋହିତଙ୍କ ନାମରେ ରହିଥିଲା । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ପ୍ରଥମ ୪୬ ମ୍ୟାଚରେ ୩୬ଟି ଜିତିଛି ଏବଂ ୧୦ଟି ପରାଜୟ ବରଣ କରିଛି ।

ସେପଟେ ଆମେ ଯଦି ଭାରତର ପୂର୍ବତନ ଟି-୨୦ ଅଧିନାୟକ ବିରାଟ କୋହଲିଙ୍କ କଥା କହିବା ତାହେଲେ ପ୍ରଥମ ୪୬ ମ୍ୟାଚରେ ତାଙ୍କ ଅଧିନାୟକତ୍ବରେ ଦଳ ୨୯ଟି ବିଜୟ ହାସଲ କରିଛି । ଏହାସହ ୧୫ ପରାଜୟ ରହିଛି । ୨୦୦୭ ଟି-୨୦ ବିଶ୍ବକପ ଜିତାଇଥିବା ଅଧିନାୟକ ଧୋନୀଙ୍କ ନେତୃତ୍ବରେ ଭାରତ ପ୍ରଥମ ୪୬ ମ୍ୟାଚରେ ୨୬ଟି ବିଜୟ ହାସଲ କରିଛି । ଯେଉଁଥିରେ ୧୯ ପରାଜୟ ରହିଛି ।

ସବୁଠାରୁ ଗୁରୁତ୍ପୂର୍ଣ୍ଣ କଥା ହେଉଛି କି, ଭାରତ ୨୦୨୪ ଟି-୨୦ ବିଶ୍ବକପ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଜିତିଛି । ଭାରତ ଏବେ ଦମଦାର ଫର୍ମରେ ରହିଥିବାବେଳେ ଫ୍ୟାନ୍ସମାନେ ଆଶା ରଖିଛନ୍ତି କି, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଭାରତ ଟାଇଟଲ୍ ହାସଲ କରିବ । ଏହାସହ ରୋହିତଙ୍କ ଭଳି ରେକର୍ଡ ମଧ୍ୟ ଅର୍ଜନ କରିବେ ସୂର୍ଯ୍ୟ । କହି ରଖୁଛୁ କି, ଭାରତ ପରବର୍ତ୍ତୀ ମ୍ୟାଚରେ ନେଦରଲ୍ୟାଣ୍ଡକୁ ଭେଟିବ । ପାକିସ୍ତାନ ବିପକ୍ଷ ମ୍ୟାଚ ବିଜୟ ପରେ ଭାରତ ସୁପର-୮ରେ ପହଞ୍ଚିଛି । ଏବେ ସେମି ଆଶାରେ ରହିଛି ଟିମ୍ ଇଣ୍ଡିଆ ।

ଏହାସହ ପଢ଼ନ୍ତୁ : ପାକିସ୍ତାନୀ କ୍ରିକେଟରଙ୍କୁ ଡରାଉଛି ସୋସିଆଲ ମିଡିଆର ଟ୍ରୋଲ୍ ଭୂତ, ନିଜ ଦେଶର ଫ୍ୟାନ୍ସ କହିଲେ...