ଭୁବନେଶ୍ଵର, ୫/୧୨ : "ଓଡ଼ିଆ ଅସ୍ମିତା"ର ଅର୍ଥ କ'ଣ ? ବିଧାନସଭାରେ ବୁଝାଇଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମନ୍ତ୍ରୀ କହିଛନ୍ତି ଯେ, ଅସ୍ମିତା ମୁଁ ପଣ, ଅହଂ ଜ୍ଞାନ, ମୁଁ ଭାବ, ମୁଁ ଅଛି- ଏହି ଭାବ, ଆତ୍ମ ପରିଚିତି। ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ କରିବା, ଓଡ଼ିଶାର କଳା, ସ୍ଥାପତ୍ୟ, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟର ପ୍ରଚାର ପ୍ରସାରକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାରେ ସ୍ବତନ୍ତ୍ର ପାଣ୍ଠି (Corpus Fund)ଗଠନ କରାଯାଇଛି। ରାଜ୍ୟରେ ଓଡ଼ିଆ ଅସ୍ମିତା ଭବନ ନିର୍ମାଣ ନିମନ୍ତେ ସରକାରଙ୍କ ସଦୟ ଅନୁମୋଦନ କ୍ରମେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଂ (OB&CC) ଦ୍ବାରା ଏ ସଂକ୍ରାନ୍ତରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

"ଓଡ଼ିଆ ଅସ୍ମିତା" କହିଲେ କ'ଣ ବୁଝନ୍ତି, ଓଡ଼ିଆ ଅସ୍ମିତା ପାଇଁ ଗତ ଦେଢ଼ ବର୍ଷରେ କେତେ ଟଙ୍କା ଆବଣ୍ଟିତ ହୋଇଛି ଏବଂ ଏହି ଟଙ୍କା କେଉଁ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ "ଓଡ଼ିଆ ଅସ୍ମିତା" ପାଇଁ ଆଗାମୀ କାର୍ଯ୍ୟପନ୍ଥା ଅବା ଯୋଜନା କଣ ରହିଛି ? ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରଶ୍ନ କରିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାର ଉତ୍ତର ରଖିଛନ୍ତି।