ଭୁବନେଶ୍ଵର, ୧୮/୧୧ : ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ କଂସ ଚୟନ। ଦକ୍ଷତା ପରୀକ୍ଷାରେ ପାସ୍ ହେଲେ ଭେଡେନ୍‌ର ସୁଶୀଲ ମେହେର। ୨୦୨୫-୨୬ ଧନୁଯାତ୍ରାରେ ସେ କଂସ ଭୂମିକାରେ ଅଭିନୟ କରିବେ। ୩୬ ଜଣ କଳାକାରଙ୍କୁ ପଛ​‌ରେ ପକାଇ ସେ କଂସ ଭୂମିକା ପାଇଁ ଚୟନ ହୋଇଛନ୍ତି। ଧନୁଯାତ୍ରା ମହୋତ୍ସବ ସମିତି ଉପସଭାପତି ତଥା ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କଂସଙ୍କ ନାମ ଘୋଷଣା କରିଛନ୍ତି। ଏହି ସମୟରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶର ଶତପଥୀ ମଧ୍ୟ ଉପସ୍ଥିତ ଥିଲେ। 

​​​​​​​

ଗତ ତିନି ଦିନ ଧରି କଳାକାର ଚୟନ ପ୍ରକ୍ରିୟା ହେବା ପରେ କଂସଙ୍କ ସମେତ ୧୧ଟି ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ ହୋଇଛନ୍ତି। ବରଗଡ଼ ଜିଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ବାସିନ୍ଦା ସୁଶୀଲ ମେହେର କଂସ ଭୂମିକା ପାଇଁ ଚୟନ ହୋଇଛନ୍ତି। ପୂର୍ବରୁ ବିଭିନ୍ନ ମଞ୍ଚରେ ସେ କଂସ, ରାବଣ, ଜରାସନ୍ଧ ଭଳି ରାକ୍ଷସ ଚରିତ୍ରରେ ଅଭିନୟ କରିଥିବା ବେଳେ ବରଗଡ ଧନୁଯାତ୍ରାରେ ପ୍ରଥମ ଥର ପାଇଁ ମନୋନୀତ ହୋଇଛନ୍ତି। ସେହିପରି ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ଅମ୍ବାଭୋନାର ହେମନ୍ତ ପ୍ରଧାନ ସେନାପତି, ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ, ମୁଗ୍ଧା ଦାଶ ଦେବକୀ ଚରିତ୍ର ପାଇଁ ଚୟନ ହୋଇଛନ୍ତି। 

ପ୍ରକାଶ ଥାଉକି, ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଧନୁଯାତ୍ରା ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ହେବାକୁ ଥିବା ଯାତ୍ରା ଜାନୁଆରୀ ୩ ତାରିଖରେ ଉଦଯାପିତ ହେବ। ତେବେ ନୂଆ କଂସଙ୍କୁ ନେଇ ବରଗଡ଼ ଯାତ୍ରାପ୍ରେମୀ ମହଲରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି।