କୋଲକାତା: କୋଲକାତା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳମାନଙ୍କରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଗତ ସୋମବାର ରାତିରେ ଏକାଧିକ ଅନଧିକୃତ ଡ୍ରୋନ ଭଳି ବସ୍ତୁ ମୁକ୍ତାକାଶରେ ଦୃଶ୍ୟମାନ ହୋଇଥିଲା। କୋଲକାତା ପୋଲିସ ବୁଧବାର ଏନେଇ ଚିନ୍ତାବ୍ୟକ୍ତ କରିବା ସହ ଘଟଣାର ଛାନଭିନ ଜାରି ରଖିଛି। ଏହି ସନ୍ଧିଗ୍ଧ ବସ୍ତୁର ଉଡାଣ ପଛରେ କାହାର ହାତ ରହିଛି ଓ ଏହା ପଛର କାରଣ କଣ ସେନେଇ ତଦନ୍ତ ଜାରି ରହିଛି।
ମିଳିଥିବା ସୂଚନା ମୁତାବକ, ଗତ ସୋମବାର ମଧ୍ୟରାତ୍ରରେ ୮ରୁ ୧୦ଟି ସନ୍ଧିଗ୍ଧ ବସ୍ତୁ କୋଲକାତାର ହସଟିଙ୍ଗ, ବିଦ୍ୟାସାଗର ସେତୁ ଓ ମଇଦାନ ଅଞ୍ଚଳରେ ଦେଖିବାକୁ ମିଲିଥିଲା। ଏହାକୁ ନେଇ କୋଲକାତାରେ ଥିବା ପ୍ରତିରକ୍ଷା ମୁଖପାତ୍ର ସହରର ବିଭିନ୍ନ ସ୍ଥାନରେ ଏହିଭଳି ଅଜଣା ବସ୍ତୁ ଉଡାଣ ଭରୁଛନ୍ତି ବୋଲି ରିପୋର୍ଟ କରିଥିଲେ। ଏହି ଖବର ମିଳିବା ପରେ ଭାରତର ଅନେକ ଏଜେନ୍ସି ଏହା ପଛର କାରଣ ଖୋଜିବାକୁ ଖୋଳତାଡ ଆରମ୍ଭ କରିଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ଆଦେଶ ଦିଆଯାଇଛି ବୋଲି ପ୍ରଶାସନିକ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଏହାସହ ଜଣେ ପ୍ରତିରକ୍ଷା ଅଧିକାରୀ ଏନେଇ ମନ୍ତବ୍ୟ ଦେଇ କହିଛନ୍ତି ଯେ “କୋଲକାତା ଆକାଶରେ ଅନେକ ସନ୍ଧିଗ୍ଧ ବସ୍ତୁ ନଜରକୁ ଆସିଛନ୍ତି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି।”
ହସଟିଙ୍ଗ ପୋଲିସ ଥାନା ପକ୍ଷରୁ ଆକାଶରେ ଡ୍ରୋନ ଭଳି ଦେଖାଯାଉଥିବା ଅଜଣା ସନ୍ଧିଗ୍ଧ ବସ୍ତୁ ଉଡୁଥିବା ନେଇ ରିପୋର୍ଟ କରାଯାଇଥିଲା। ଏନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ “ଡ୍ରୋନ ଭଳି ଦେଖାଯାଉଥିବା ଏହି ସନ୍ଧିଗ୍ଧ ବସ୍ତୁ ଗୁଡିକ ମହେଶତାଲାରୁ ଦକ୍ଷିଣ ୨୪ ପରଗଣା ଅଞ୍ଚଳ ଆଡେ ଯାଉଥିବା ସୋମବାର ମଧ୍ୟରାତ୍ରୀରେ ଦୃଷ୍ଟି ଗୋଚର ହୋଇଥିଲା। ଏହାସହ ହସଟିଙ୍ଗ, ହୁଗୁଳି ବ୍ରିଜ ଓ ସେନାର ପୂର୍ବ କମାଣ୍ଡ ହେଡକ୍ୱାଟର ଅଞ୍ଚଳରେ ମଧ୍ୟ ଏହିଭଳି ବସ୍ତୁ ଦେଖାଦେଇଥିଲା। ପୂର୍ବ କୋଲକାତାର ପାର୍କ ସର୍କସ ଅଞ୍ଚଳରେ ମଧ୍ୟ ଏଭଳି ଡ୍ରୋନ ଦେଖିବାକୁ ମିଳିଥିଲା।”
ଏହି ଘଟଣା ସାମ୍ନାକୁ ଆସିବା ପରେ କୋଲକାତା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଓ ଡିଟେକ୍ଟିଭ ଡିପାର୍ଟମେଣ୍ଟ ଏକ ଫୁଲ-ସ୍କେଲ ତଦନ୍ତ ଆରମ୍ଭ କରିଛନ୍ତି।