ପୁରୀ, ୨୦/୦୩ : ଆସ ଜୀବନ ଧନ ମୋର ପଖାଳ କଂସା... ସଜନୀରେ ତୋ ବିହୁନେ ଉଡ଼ିଲା ହଂସା... ଆସ ଜୀବନ ଧନ... । କବୀଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ ଏହି ପଲ୍ଲୀଗୀତ ଓଡ଼ିଆଙ୍କର ପଖାଳ ପ୍ରତି ପ୍ରେମକୁ ପ୍ରମାଣ କରିବାରେ ଯଥେଷ୍ଟ । କବି ଭାବନାରେ ପଖାଳକୁ କେତେବେଳେ ‘ଜୀବନ ଧନ’ ଭାବେ ସମ୍ବୋଧନ କରାଯାଇଛି, ତ କେତେବେଳେ ପଖାଳ ପାଇଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟର ପରିଚୟ । ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ । ବର୍ଷକ ବାରମାସ ପ୍ରଭୁଙ୍କୁ ଲାଗିହୁଏ ନାନା ପ୍ରକାର ପଖାଳ । ନିଇତି ବଡ଼ସିଂହାର ଭୋଗରେ ପ୍ରଭୁଙ୍କୁ ଲାଗି ହୁଏ ପଖାଳ । ମହାପ୍ରଭୁଙ୍କୁ ଲାଗି ହେଉଥିବା ପଖାଳ ଅନ୍ୟ ସାଧାରଣ ପଖାଳଠାରୁ ଖୁବ ନିଆରା ।
ମହାପ୍ରଭୁଙ୍କୁ ଭୋଗରେ ଲାଗେ ମିଠା ପଖାଳ, ଘିଅ ପଖାଳ ଓ ନାନାଦି ବ୍ୟଞ୍ଜନ । ବିଭିନ୍ନ ସମୟରେ ନୀତି ଓ ତିଥି ମୁତାବକ ଭିନ୍ନଭିନ୍ନ ପ୍ରକାର ପଖାଳ ଭୋଗ ଲାଗି ହୋଇଥାଏ । ଲାଗି ହେଉଥିବା ବିଭିନ୍ନ ପଖାଳ ମଧ୍ୟରେ ସୁବାସିତ ପଖାଳ, ମିଠା ପଖାଳ, ଟଭା ପଖାଳ, ପାଣି ପଖାଳ, ଚୁପୁଡ଼ା ପଖାଳ, ଦହି ପଖାଳ ଓ ଘିଅ ପଖାଳ ଆଦି ରହିଛି । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ ସୂଚନା ମୁତାବକ, ଶତାବ୍ଦୀ ଶତାବ୍ଦୀ ଧରି ମହାପ୍ରଭୁଙ୍କୁ ପଖାଳ ଭୋଗ ଲାଗି ହେଉଛି । ଏହାର ପ୍ରମାଣ ଏବେ ବି ଜୀବନ୍ତ । ଶ୍ରୀମନ୍ଦିରରେ ଥିବା ବଳି ପାତାଳ ମନ୍ଦିର ବା ପାତାଳେଶ୍ୱର ମନ୍ଦିରରେ ଥିବା ଏକ ଶିଳାଲେଖରେ ଦ୍ୱାଦଶ ଶତାବ୍ଦୀରେ ମହପ୍ରଭୁଙ୍କୁ ପଖାଳ ଭୋଗ ଲାଗି ହେବା ସଂପର୍କିତ ତଥ୍ୟ ଉଲ୍ଲେଖ ଅଛି । ଗଙ୍ଗ ବଂଶ ରାଜତ୍ୱ ସମୟରେ ପାଢ଼ୀ ସଂଜ୍ଞାଧାରୀ ଜଣେ ସେବାୟତଙ୍କ ମାର୍ଫତ୍ରେ ଦହି, ଚାଉଳ ଆଦି ପଖାଳ ପାଇଁ ଆବଶ୍ୟକୀୟ ଦ୍ରବ୍ୟ ଖଞ୍ଜା ଯାଉଥିଲା ବୋଲି ଶିଳାଲେଖରେ ବର୍ଣ୍ଣନା ହୋଇଛି ।
ଏହି ଖବରଟିକୁ ପଢନ୍ତୁ- ଆଜି ବିଶ୍ୱ ପଖାଳ ଦିବସ: ପାନ୍ଥନିବାସରେ ଜମିବ ପଖାଳ ପରବ, ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଭୋଗ ସୁଆର ବିଶ୍ୱନାଥ ସାମନ୍ତରାଙ୍କ ସୂଚନା ମୁତାବକ, ମଧ୍ୟାହ୍ନ ଧୂପରେ ମହାପ୍ରଭୁଙ୍କୁ ୧୧ ଓଳି ସୁବାସ ପଖାଳ ଲାଗି ହୋଇଥାଏ । ସନ୍ଧ୍ୟା ଧୂପରେ ୨୩ ଓଳି ପାଣି ପଖାଳ ଓ ସାନ ଓଳି ପଖାଳ ୨ ଓଳି ପରସା ଯାଏ । ସେହିଭଳି ବଡ଼ସିଂହାର ଭୋଗରେ ୧୧ ଓଳି ମିଠା ପଖାଳ ମହାପ୍ରଭୁଙ୍କୁ ଭୋଗଲାଗେ । ବିଭିନ୍ନ ନିଯୋଗ ପକ୍ଷରୁ ଦହି ପଖାଳ ବରାଦ ହେଲେ ମଧ୍ୟ ଭୋଗ ଲାଗି ହୁଏ । ରଥଯାତ୍ରା ପୂର୍ବ ଦିନଠୁ ପ୍ରସ୍ତୁତ ହୋଇଥିବା ମହାପ୍ରଭୁଙ୍କୁ ଲାଗି ହେଉଥିବା ଦହି ପଖାଳରେ ଲଙ୍କା ବ୍ୟବହାର କରାଯାଏ ନାହିଁ । ଦହି, ଅଦା ଏବଂ ଘିଅରେ ଭଜା ହୋଇଥିବା ଜିରା ଦହି ପଖାଳର ସ୍ୱାଦ ବଢ଼ାଇଥାଏ । ଏହି ସମସ୍ତ ପଖାଳ ଭୋଗ ମହାପ୍ରଭୁଙ୍କୁ ମାଟି ଓଳିରେ ପରସା ଯାଏ । ପଖାଳ ସହ ମହାପ୍ରଭୁଙ୍କୁ କାଞ୍ଜି ଓ କଦଳି ବଡା ମଧ୍ୟ ପରସା ଯାଏ । ପଖାଳ ପ୍ରସ୍ତୁତି ପାଇଁ ରୋଷଘରେ ରହିଛି ୩ଟି ପଖାଳ କୁଣ୍ଡ । ଅନ୍ନ ରନ୍ଧା ପରେ ପଖାଳ କୁଣ୍ଡରେ ପଡ଼ିଥାଏ । ପଖାଳ ଦିବସ କିଛିବର୍ଷ ହେଲା ପାଳନ ହେଉଛି ହେଲେ ଭୋଜନ ପ୍ରିୟ ମହାପ୍ରଭୁଙ୍କ ପାଇଁ ବର୍ଷକ ବାରମାସ ପଖାଳ ଦିବସ ବୋଲି ଶ୍ରୀ ସାମନ୍ତରା କହିଛନ୍ତି ।