ନୂଆଦିଲ୍ଲୀ,୩୧/୧୨: ଜରୁରୀକାଳିନ ଅବତରଣ କଲା ସ୍ୱିସ୍ ଏୟାରଲାଇନ୍ସ ବିମାନ। ବୁଖାରେଷ୍ଟରୁ ଜୁରିଚକୁ ଯାଉଥିବା ବିମାନରେ ମଝି ଆକାଶରେ ନିଆଁ ଲାଗିଯିବାରୁ ଅଷ୍ଟ୍ରିଆରେ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡ଼ିଛି । ସେହିପରି ଏହି ଧୂଆଁ ଯୋଗୁଁ ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଏୟାରଲାଇନ୍ସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛି ।
ସୂଚନା ଅନୁଯାୟୀ, ଡିସେମ୍ବର ୨୩ ରେ ବିମାନଟି ଏୟାରବସ୍ ଏ୨୨୦-୩୦୦ ଜେଟ ବୁଖାରେଷ୍ଟରୁ ଜୁରିଚ ଅଭିମୁଖେ ଯାଉଥିଲା । ବିମାନରେ ୭୪ ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟ ଥିଲେ । ହଠାତ୍ ବିମାନର ଇଞ୍ଜିନରେ ନିଆଁ ଲାଗିଥିଲା । ଏହି କାରଣରୁ ବିମାନଟି ଅଷ୍ଟ୍ରିଆର ଗ୍ରାଜରେ ଜରୁରୀକାଳୀନ ଅବତରଣ କରିଥିଲା । ଏହା ପରେ ଜଣେ କ୍ରୁ ସଦସ୍ୟଙ୍କୁ ହେଲିକପ୍ଟର ଯୋଗେ ସେଠାରେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ସ୍ୱିସ୍ ଏୟାରଲାଇନ୍ସ କହିଛି ଯେ ଆମର ଜଣେ ଯୁବ ସହକର୍ମୀ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି । ବିମାନରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଲିଭର ବୁଖୋଫର ଗ୍ରାଜରେ ଜରୁରୀକାଳୀନ ଅବତରଣ ସମୟରେ ସୁବିଧା ପାଇଁ ବିମାନବନ୍ଦର ପରିଚାଳନାକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହା ଆମ ପାଇଁ ଏକ ଦୁଃଖଦ ଦିନ । ଆମର ସହକର୍ମୀଙ୍କ ମୃତ୍ୟୁ ଯୋଗୁଁ ଅତ୍ୟନ୍ତ ଦୁଃଖିତ ଥିବା ବେଳେ ଘଟଣାର ତଦନ୍ତ କରାଯିବ ।