ନୂଆଦିଲ୍ଲୀ – ସିରିଆର ରାଜଧାନୀ ଡାମାସ୍କସରେ ଏକ ହୋଟେଲ ବାହାରେ ଗୋଟେ ପରେ ଗୋଟେ ଦୁଇଟି ବିସ୍ଫୋରଣ ହେବାର ଖବର ଆସିଛି। ଏହି ହୋଟେଲରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରହିଛନ୍ତି। ସିରିଆ ରାଷ୍ଟ୍ରପତି ଅଲ୍-ଶାରାଙ୍କ ନିମନ୍ତ୍ରଣରେ ମାକ୍ରୋନ୍ ଡାମାସ୍କସକୁ ଆସିଛନ୍ତି। ବୋମା ବିସ୍ଫୋରଣରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ସିରିଆ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଯେଉଁଠାରେ ଉଗ୍ରବାଦୀମାନେ ବିସ୍ଫୋରଣ ଘଟାଇ ଥିଲେ, ସେଠାରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ। ମୃତକଙ୍କ ମଧ୍ୟରୁ ଅଧିକାଂଶ ପୁଲିସ କର୍ମଚାରୀ ଯେଉଁମାନେ ମାକ୍ରୋନଙ୍କ ସୁରକ୍ଷାରେ ନିୟୋଜିତ ଥିଲେ।
ଅଲ ଆରାବିଆ ମୁତାବିକ , ଯେଉଁ ସମୟରେ ମାକ୍ରୋନ ହୋଟେଲରୁ ବାହାରି ଅଲ ଶାରାଙ୍କୁ ସାକ୍ଷାତ କରିବାକୁ ଯାଉ ଥିଲେ, ସେହି ସମୟରେ ହୋଟେଲ ବାହାରେ ଏକ ଜୋରଦାର ବିସ୍ଫୋରଣର ଶବ୍ଦ ଶୁଣାଯାଇ ଥିଲା। ମାକ୍ରୋନଙ୍କ ସହ ଥିବା ମିଡିଆକର୍ମୀମାନେ ଏହି ଖବର ଦେଇ ଥିଲେ। ମାକ୍ରୋନଙ୍କ ହୋଟେଲ ବାହାରେ ଯେଉଁ ବିସ୍ଫୋରଣ ହେଲା, ତାହା ଏକ କାର ଦ୍ୱାରା କରା ଯାଇ ଥିଲା। ହୋଟେଲ ବାହାରେ ଏକ ଲାଲ କାର ରଖା ଯାଇ ଥିଲା ଏବଂ ତା'ପରେ ବିସ୍ଫୋରଣ କରାଯାଇ ଥିଲା। ଫ୍ରାନ୍ସ ରାଷ୍ଟ୍ରପତି ଭବନ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରି ନାହିଁ, କିନ୍ତୁ କୁହାଯାଉଛି ଯେ, ବିସ୍ଫୋରଣର ତୁରନ୍ତ ପରେ ମାକ୍ରୋନ ଅଲ ଶାରାଙ୍କ ସହ ସାକ୍ଷାତ୍ କରି ଥିଲେ।
ସିରିଆ ପୁଲିସ ଏହି ମାମଲାର ତଦନ୍ତକୁ ଜୋରଦାର କରିଛି। ମାକ୍ରୋନ୍ ହେଉଛନ୍ତି ଅଲ୍-ଶାରାଙ୍କ ସରକାର ସମୟରେ ସିରିଆ ଗସ୍ତରେ ଯାଇଥିବା ପ୍ରଥମ ୟୁରୋପୀୟ ସଂଘର ନେତା। ସେ ଦୁଇ ଦିନିଆ ଡାମାସ୍କସ୍ ଗସ୍ତରେ ଥିଲେ। ଏହା ତାଙ୍କ ଗସ୍ତର ଶେଷ ଦିନ ଥିଲା। ନ୍ୟୁଜ ଏଜେନ୍ସି ରୟଟର୍ସ ମୁତାବିକ ,ଏହି ବିସ୍ଫୋରଣ ଡାମାସ୍କସର ଖୁବ୍ ପ୍ରସିଦ୍ଧ ଅଞ୍ଚଳରେ ବିସ୍ଫୋରଣ ଘଟି ଥିଲା। ଏକାକାଳୀନ ଦୁଇଟି ବିସ୍ଫୋରଣର ଶବ୍ଦ ଡାମାସ୍କସରେ ଶୁଣାଯାଇ ଥିଲା। ମାକ୍ରୋନ୍ ସେହି ସମୟରେ ନାଗରିକ ସମାଜ ଗୋଷ୍ଠୀଙ୍କ ସହ ହୋଟେଲରେ ବୈଠକ କରି ବାହାରକୁ ଆସୁଥିଲେ। ହେଲେ ସେ ସୁରକ୍ଷିତ ଅଛନ୍ତି।
ସିରିଆର ବଶର ଅଲ ଅସଦଙ୍କ ଯିବା ପରେ ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଅଲ୍-ଶାରାଙ୍କ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ଚଳିତ ବର୍ଷ ଫେବୃଆରୀରେ, ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନେ ଅଲ୍-ଶାରା ସରକାରଙ୍କ ଅନେକ କର୍ମଚାରୀଙ୍କୁ ହତ୍ୟା କରି ଥିଲେ। କେବଳ ଏତିକି ନୁହେଁ , ଅଲାୱି ଓ କୁର୍ଦସ ମଧ୍ୟ ସିରିଆ ସରକାରଙ୍କ ବିରୁଦ୍ଧରେ ମୋର୍ଚ୍ଚା ଖୋଲିଛନ୍ତି। ଗତ ବର୍ଷ ଇସ୍ରାଏଲ ମଧ୍ୟ ଅଲ ଶାରାଙ୍କର ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଇସ୍ରାଏଲ ଏଥିପାଇଁ ରାଷ୍ଟ୍ରପତି ନିବାସ ଉପରେ ଆକ୍ରମଣ ମଧ୍ୟ କରିଥିଲା। ହେଲେ ଏଲ-ଶାରା ଏହି ସମୟରେ ଅଳ୍ପକେ ବଞ୍ଚି ଯାଇଥିଲେ।
ଆହୁରି ମଧ୍ୟ ପଢନ୍ତୁ : PM Modi Indonesia Visit: ଭାରତ-ଇଣ୍ଡୋନେସିଆ ମଧ୍ୟରେ ବ୍ରହ୍ମୋସ ଚୁକ୍ତି, MoU ସ୍ୱାକ୍ଷର କଲେ ପିଏମ୍ ମୋଦୀ