ଦାମାସ୍କସ,୦୯/୦୩: ପୁଣି ଅଶାନ୍ତ ହୋଇଛି ସିରିୟା ।  ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଘମାଘୋଟ ସଂଘର୍ଷ ଚାଲିଛି । ଏହି ସଂଘର୍ଷରେ ଚାଲିଗଲାଣି ଅନେକ ନୀରିହ ଜୀବନ । ସିରିୟାରେ ସୁରକ୍ଷା ବାହିନୀ ଓ ଗାଦିଚ୍ୟୁତ ରାଷ୍ଟ୍ରପତି ବସର ଅଲ ଆସାଦଙ୍କ ସମର୍ଥକଙ୍କ ମଧ୍ୟରେ ଗତ ଦୁଇଦିନ ହେବ ବିବାଦ ଚାଲିଛି । ବିବାଦ ସଂଘର୍ଷର ରୂପ ନେବା ପରେ ୧୦୦୦ରୁ ଅଧିକ ଲୋକ ନିହତ ହୋଇଛନ୍ତି । ଦିନକୁ ଦିନ ସିରିୟାରେ ସ୍ଥିତି ବିଗିଡିବାରେ ଲାଗିଛି । ଚାଲିଥିବା ସଂଘର୍ଷକୁ ଗତ ୧୪ ବର୍ଷ ମଧ୍ୟରେ ସବୁଠୁ ବଡ ହିଂସା କୁହାଯାଉଛି ।

ସିରିୟା ସୁରକ୍ଷା ବହିନୀ ଓ ଗାଦିଚ୍ୟୁତ ରାଷ୍ଟ୍ରପତି ବସର ଅଲ ଆସାଦଙ୍କ ମଧ୍ୟରେ ସଂଘର୍ଷ ଚାଲିଛି ।  ଗତ ଶୁକ୍ରବାର ସିରିୟାର ନୂଆ ସରକାରଙ୍କ ସମର୍ଥିତ ସୁନ୍ନି ମୁସଲିମ ଗୋଷ୍ଠୀ ପକ୍ଷରୁ ବନିୟା ସହର ଓ ତାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଆସାଦଙ୍କ ଅଲୱିଟ୍ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ । ଏହା ପରେ ସଂଘର୍ଷ ଆରମ୍ଭ ହୋଇଥିଲା । ଦୁଇ ଦିନ ହେବ ଲାଗି ରହିଥିବା ହିଂସାରେ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ନିହତଙ୍କ ମଧ୍ୟରେ ୭୪୫ଜଣ ନାଗରିକ, ୧୨୫ଜଣ ସୁରକ୍ଷାବଳ, ୧୪୮ ଜଣ ଆତଙ୍କବାଦୀ ରହିଛନ୍ତି ।

ଅଧିକ ପଢନ୍ତୁ...Greece: ୨୦୨୩ରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଗ୍ରୀସରେ ହିଂସା; ସଂସଦ ବାହାରେ ବମମାଡ କଲେ ହିଂସାକାରି

ଗତ ୧୪ ବର୍ଷ ମଧ୍ୟରେ ସିରିୟାରେ ଏହା ସବୁଠୁ ବଡ ସଂଘର୍ଷ ବୋଲି କୁହାଯାଉଛି । ବନ୍ଧୁକ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ସହ ସୁନ୍ନି ଗୋଷ୍ଠୀର ସଦସ୍ୟମାନେ ଘରକୁ ଘର ବୁଲି ଖୋଜି ଖୋଜି ଅଲୱିଟ ଲୋକମାନଙ୍କୁ ଗୁଳି କରି ଓ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ଏପରିକି ଘରୁ ଟାଣି ଆଣି ରାସ୍ତାରେ ଠିଆ କରି ଅନେକ ଲୋକଙ୍କୁ ଗୁଳି ମାରିଥିଲେ । କେବଳ ସେତିକି ନୁହେଁ ସେମାନଙ୍କ ଘରେ ଲୁଟପାଟ କରିବା ପରେ ନିଆଁ ଲଗାଇ ଦେଇଥିଲେ । ଭୟରେ ଅଲୱିଟ ଲୋକମାନେ ନିକଟସ୍ଥ ପାହଡକୁ ଯାଇ ଆତ୍ମଗୋପନ କରିଥିବା ଜଣାପଡିଛି । ସେହିଭଳି ସୁନ୍ନି ଗୋଷ୍ଠୀ ରହୁଥିବା କେତେକ ଅଞ୍ଚଳରେ ମଧ୍ୟ ଅଲୱିଟ୍ ଲୋକମାନେ ଆକ୍ରମଣ କରିଥିବା ସୂଚନା ମିଳିଛି ।ଏହି ହିଂସାକୁ ନେଇ ସିରିୟାର ନୂଆ ସରକାର କହିଛନ୍ତି ଆମେ କେବଳ ବସର ଅଲ ଆସାଦଙ୍କ ସମର୍ଥକଙ୍କ ବିରୋଧରେ ଆକ୍ସନ ନେଇଛୁ ।