ନୂଆଦିଲ୍ଲୀ,୦୮/୧୨: ମଧ୍ୟପ୍ରାଚ୍ୟ ଦେଶ ସିରିଆକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଆଲୋଚନା ଲାଗି ରହିଛି। ସିରିଆର ବିଦ୍ରୋହୀମାନେ ରାଜଧାନୀ ଦମିସ୍କ ଦଖଲ କରିଛନ୍ତି। ବର୍ତ୍ତମାନ ଦେଶରେ ପ୍ରାୟ ସମ୍ପୂର୍ଣ୍ଣ କ୍ଷମତା ପରିବର୍ତ୍ତନ ହୋଇଛି। ଯେଉଁଠାରେ ଗୋଟିଏ ପଟେ ବିଦ୍ରୋହୀମାନେ ଦେଶକୁ ସମ୍ପୁର୍ଣ୍ଣ ଦଖଲ କରିଥିବା ବେଳେ ସେପଟେ ସବୁ ଦିଗରୁ ବିଦ୍ରୋହୀମାନେ ରାଜଧାନୀରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡି ପଳାୟନ କରିଛନ୍ତି। ତମାମ ଘଟଣା ଭିତରେ, ଆସନ୍ତୁ ଜାଣିବା ସିରିଆରେ କ୍ଷମତା ପରିବର୍ତ୍ତନ ପଛରେ କିଏ କିଏ ଅଛନ୍ତି?  ଏହି କ୍ଷମତା ପରିବର୍ତ୍ତନ ହଠାତ୍‌ ହେଲା ନା ଏହି ଉଦ୍ଦେଶ୍ୟ ପୂରା କରିବାକୁ ବର୍ଷ ବର୍ଷ ଧରି ପ୍ରସ୍ତୁତି ଚାଲିଥିଲା?

ସିରିଆରେ ଏହି କ୍ଷମତା ପରିବର୍ତ୍ତନ କରିଥିବା ନେତା ହେଉଛନ୍ତି ଅବୁ ମହମ୍ମଦ ଅଲ୍‌ ଜୁଲାନି। ଜୁଲାନି ବିଦ୍ରୋହୀ ଦଳର ହାୟାତ୍ ତାହିର ଅଲ-ଶାମ୍‌ର ନେତା। ବର୍ତ୍ତମାନ, ଏହି ବିଦ୍ରୋହୀ ଗୋଷ୍ଠୀ ଏଚ୍‌ଟିଏସ୍‌ ହେଉଛି ସିରିଆର ସବୁଠାରୁ ଶକ୍ତିଶାଳୀ ଗୋଷ୍ଠୀ, ଯାହା ସିରିଆ ସରକାରଙ୍କ କ୍ଷମତା ପରିବର୍ତ୍ତନ କରିଛି। ଏଥିସହ ଆମେରିକା ୨୦୧୭ ରେ ଜୁଲାନି ଉପରେ ୮୪ କୋଟି ୬୭ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା।

କିଏ ଏହି ଅବୁ ମହମ୍ମଦ ଅଲ୍‌ ଜୁଲାନୀ: 

ହୟାତ୍ ତହିରର ଅଲ-ଶାମ୍‌ ନେତା ଅବୁ ମହମ୍ମଦ ଅଲ-ଜୁଲାନି ୧୯୮୨ ମସିହାରେ ସାଉଦି ଆରବର ରିୟାଦରେ ଜନ୍ମଗ୍ରହଣ କରିଥିଲା। ଅଲ ଜୁଲାନି ଜନ୍ମ ପରେ ତାଙ୍କ ନାଁ ଅହମ୍ମଦ ହୁସେନ୍ ଅଲ-ଶାରା ରଖାଯାଇଥିଲା। ଜୁଲାନୀଙ୍କ ପିତା ସାଉଦିରେ ପେଟ୍ରୋଲିୟମ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ। ଯେତେବେଳେ ଜୁଲାନିକୁ ୭ ବର୍ଷ ହୋଇଥିଲା, ତାଙ୍କ ପରିବାର ସିରିଆର ରାଜଧାନୀ ଦମ୍ମିସ୍କକୁ ଚାଲିଯାଇଥିଲେ। ସେ ବଡ଼ ହେବା ପରେ ୨୦୦୩ରେ ୨୧ ବର୍ଷ ବୟସରେ ଜୁଲାନି ଇରାକ୍‌ ଚାଲିଯାଇଥିଲା ଏବଂ ସେଠାକୁ ଯାଇ ସେ ଅଲ୍‌ କାଏଦାରେ ସାମିଲ ହୋଇଥିଲା। ଜୁଲାନି ବାଗଦାଦୀର ଅତି ନିକଟତର ଥିଲା ଏବଂ ବାଗଦାଦୀର କ୍ୟାମ୍ପରେ ଟେନିଂ ନେବା ପରେ ପୁଣିଥରେ ସିରିଆ ଫେରିଥିଲା। 

ଜୁଲାନୀକୁ ବଡ଼ ଦାୟିତ୍ବ ଦେଇଥିଲା ବାଗଦାଦୀ: 

୨୦୦୬ରେ ଇରାକରେ ଆମେରିକା ସେନା ଜୁଲାନୀକୁ ଗିରଫ କରିଥିଲା ଏବଂ ତାକୁ ୫ ବର୍ଷ ପାଇଁ ହେପାଜତରେ ରଖିଥିଲା। ଜୁଲାନୀ ବାଗଦାଦୀର ଅତି ନିଟକତର ଥିଲା, ଫଳରେ ପରବର୍ତ୍ତି ସମୟରେ ସିରିଆରେ ଅଲ୍‌ କାଏଦା ଶାଖା, ଅଲ୍‌ ନୁସ୍‌ରା ଫ୍ରଣ୍ଟ୍‌ ପ୍ରତିଷ୍ଠା କରିବାକୁ ଦାୟିତ୍ବ ଦିଆଯାଇଥିଲା। ୨୦୧୩ ରେ, ଅଲ ବାଗଦାଦୀ ନିଜର ଶକ୍ତି ବୃଦ୍ଧି କରିବାକୁ ଏବଂ ନିଜେ ସିରିଆରେ ନିଜର ଗୋଷ୍ଠୀ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଥିଲା। ଏପ୍ରିଲ୍ ୨୦୧୩ ରେ, ଅଲ-ବାଗଦାଦୀ ହଠାତ୍ ଘୋଷଣା କଲା ଯେ ତାଙ୍କ ଗୋଷ୍ଠୀ ଅଲ-କାଏଦା ସହ ସମ୍ପର୍କ ଭାଙ୍ଗିଛି ଏବଂ ସିରିଆରେ ନିଜର ଆଧିପତ୍ୟ ବଢ଼ାଇବ ଏବଂ ଅଲ-ନସ୍ରା ଫ୍ରଣ୍ଟକୁ ଆଇଏସ୍‌ଆଇଏଲ୍‌ ନାମକ ଏକ ନୂଆ ଗୋଷ୍ଠୀରେ ସାମିଲ କରିବ। ଏହି ଘୋଷଣା ପରେ ଅଲ-ଜୁଲାନି ଅଲ-କାଏଦାରେ ମିଶିବାକୁ ସ୍ଥିର କଲା ଏବଂ ଏହି ପରିବର୍ତ୍ତନକୁ ପ୍ରତ୍ୟାଖ୍ୟାନ କଲା।