ଅହମ୍ମଦାବାଦ, ୨୬/୦୨: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର-୮ ରାଉଣ୍ଡରେ ଆଜି ଦକ୍ଷିଣ ଆଫ୍ରିକା ଓ ୱେଷ୍ଟ ଇଣ୍ଡିଜ ପରସ୍ପରକୁ ଭେଟିବେ । ଗ୍ରୁପ୍-୧ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି । ତେଣୁ ଆଜି ବିଜୟୀ ଦଳ ସେମି ଫାଇନାଲ୍ରେ ସ୍ଥାନ ପକ୍କା କରିବେ ।
ପଏଣ୍ଟ ତାଲିକାରେ ୱେଷ୍ଟ ଇଣ୍ଡିଜ ଆଗରେ (ରନ୍ ରେଟ୍) ରହିଥିଲେ ହେଁ ଦକ୍ଷିଣ ଆଫ୍ରିକା ଦଳ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍ରେ ୪ଟି ମ୍ୟାଚ ଖେଳି ସାରିଛି । ସ୍ଥାନୀୟ ଜଳବାୟୁ ଓ ପିଚ ସହ ଦକ୍ଷିଣ ଆଫ୍ରିକା ଅଭ୍ୟସ୍ତ ହୋଇ ସାରିଛି । ଆୟୋଜକ ଭାରତକୁ ଏହି ଗ୍ରାଉଣ୍ଡ୍ରେ ପରାଜିତ କରିବା ପରେ ଦକ୍ଷିଣ ଆଫ୍ରିକା ଦଳର ମନୋବଳ ଶିଖର ଛୁଇଁଛି । ୱେଷ୍ଟ ଇଣ୍ଡିଜ ମଧ୍ୟ ବିଜୟଧାରା ଜାରି ରଖିବାକୁ ପ୍ରସ୍ତୁତ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ଉଭୟ ଦଳ ଚମତ୍କାର ଫର୍ମରେ ରହିଛନ୍ତି । ବିଶେଷ କରି ୱେଷ୍ଟ ଇଣ୍ଡିଜର ସ୍ପିନ ବୋଲିଂ ବିଭାଗ ବେଶ୍ ଶୃଙ୍ଖଳିତ ପ୍ରଦର୍ଶନ ଜାରି ରଖିଛି । ଦକ୍ଷିଣ ଆଫ୍ରିକା ଦଳର ଅଲ୍ରାଉଣ୍ଡରମାନେ ଯେକୌଣସି ପରିସ୍ଥିତିରୁ ମ୍ୟାଚ୍ ଗତିପଥ ବଦଳାଇବାର କ୍ଷମତା ରଖିଛନ୍ତି ।
ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ଆଶା ନାହିଁ । କେବଳ ଉନ୍ନତ ରଣନୀତି ମ୍ୟାଚ୍ ଫଳାଫଳ ନିର୍ଣ୍ଣୟ କରିବ । ୱେଷ୍ଟ ଇଣ୍ଡିଜ ପକ୍ଷରୁ ସିମରନ ହେତମାୟରଙ୍କ ଉପରେ ନଜର ରହିବ । ଗତ ଜିମ୍ବାୱେ ବିପକ୍ଷ ମ୍ୟାଚରେ ସେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୯ଟି ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଳେ । ସେହିପରି ରୋମାରିଓ ସେଫର୍ଡ, ଜାସନ ହୋଲ୍ଟର, ସେରଫାନ ରଦରଫୋର୍ଡ ଡେଥ୍ ଓଭର ଗୁଡ଼ିକରେ ବିଶାଳ ସଟ୍ ଖେଳିବାକୁ ପ୍ରସ୍ତୁତ । ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିଭାଗ ମୁଖ୍ୟତଃ ଟପ ଅର୍ଡର ଉପରେ ନିର୍ଭର କରିବ । ରାନ ରିକେଲଟନ, ଆଡେନ ମାରକ୍ରମ, ଡିୱାଲ୍ଡ ବ୍ରେଭିସ, ଟ୍ରିଷ୍ଟନ ଷ୍ଟବ୍ସ ପ୍ରମୁଖ ଚମତ୍କାର ଫର୍ମରେ ରହିଛନ୍ତି । କେବଳ କ୍ୱିଣ୍ଟନ ଡି କକଙ୍କ ଫର୍ମକୁ ଅପେକ୍ଷା କରାଯାଇଛି ।
ଅଧିକ ପଢ଼ନ୍ତୁ :- ଜିତିଲା ନ୍ୟୁଜିଲାଣ୍ଡ, ହାରିଲା ଶ୍ରୀଲଙ୍କା: କାନ୍ଦୁଛି ପାକିସ୍ତାନ
ଅହମ୍ମଦାବାଦ ପିଚ୍ ସ୍ପିନ ବୋଲିଂ ପାଇଁ ଅନୁକୂଳ ରହିବ । ମାତ୍ର ନୂଆ ବଲ୍ରେ ଦ୍ରୁତ ରନ ସଂଗୃହୀତ ହୋଇ ପାରିବ । କ୍ରିଜରେ ଜମି ରହିଲେ ବିଶାଳ ସ୍କୋର ସମ୍ଭବ ହେବ । ଅପରାହ୍ଣରେ ମ୍ୟାଚ ଖେଳାଯାଉଥିବାରୁ ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ ।
ସମ୍ଭାବ୍ୟ ଏକାଦଶ
ଦକ୍ଷିଣ ଆଫ୍ରିକା: ଆଡେନ ମାରକ୍ରମ (ଅଧିନାୟକ), କ୍ୱିଣ୍ଟନ ଡି କକ୍, ରାନ ରିକେଲଟନ, ଡିୱାଲ୍ଡ ବ୍ରେଭିସ, ଟ୍ରିଷ୍ଟନ ଷ୍ଟବ୍ସ, ଡେଭିଡ୍ ମିଲର,ମାର୍କୋ ଜାନସେନ, କର୍ବିନ ବସ୍କ, କେଶବ ମହାରାଜ, କାଗିସୋ ରାବାଡା/ଆନରିଚ ନର୍ଜ, ଲୁଙ୍ଗି ଏନଗିଡ଼ି ।
ୱେଷ୍ଟ ଇଣ୍ଡିଜ: ବ୍ରାଣ୍ଡନ କିଙ୍ଗ, ସାଇ ହୋପ(ଅଧିନାୟକ), ସିମରନ ହେତମାୟର, ରୋଭମାନ ପାୱେଲ୍, ସେରଫାନ ରଦରଫୋର୍ଡ, ରୋମାରିଓ ସେଫର୍ଡ, ଜାସନ ହୋଲ୍ଡର, ମାଥ୍ୟୁ ଫୋର୍ଡ, ଅକିଲ ହୋସେନ, ଗୁଦାକେଶ ମୋତି, ସମର ଜୋଶେଫ ।