ମୁମ୍ବାଇ, ୨୩/୦୨: ଟି-ଟ୍ୱେଣ୍ଟି ବିଶ୍ୱକପ ସୁପର-୮ ରାଉଣ୍ଡରେ ଆଜି ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ୍ ସାମ୍ନାସାମ୍ନି ହେବେ । ଗ୍ରୁପ୍-୧ର ଏହି ମ୍ୟାଚ୍ ଉପରେ ବିଶ୍ୱ କ୍ରିକେଟ ପ୍ରେମୀଙ୍କ ନଜର ରହିବା ସ୍ୱାଭାବିକ । ଉଭୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ସାବ୍ୟସ୍ତ ହୋଇଥିଲେ । ଜିମ୍ବାୱେ ଆଉ ଏକ ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ । ଅନ୍ୟ ପଟରେ ୱେଷ୍ଟଇଣ୍ଡିଜ୍ ଆଧିପତ୍ୟ ଜାରି ରଖିବା ଲକ୍ଷ୍ୟରେ ରହିଛି । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ ।
ଜିମ୍ବାୱେ ଚଳିତ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଭଳି ଶକ୍ତିଶାଳୀ ଦଳକୁ ଧୂଳି ଚଟାଇ ସାରିଛି । ୱେଷ୍ଟଇଣ୍ଡିଜକୁ ହରାଇବା ଭଳି କ୍ଷମତା ଦଳ ନିକଟରେ ରହିଛି । ଅନ୍ୟ ପଟରେ ରେକର୍ଡ଼ ୱେଷ୍ଟଇଣ୍ଡିଜ୍ ସପକ୍ଷରେ ରହିଛି । ଉଭୟ ଦଳ ପୂର୍ବରୁ ୪ଥର ଟି-ଟ୍ୱେଣ୍ଟିରେ ପରସ୍ପରକୁ ଭେଟିଛନ୍ତି ଏବଂ ୱେଷ୍ଟଇଣ୍ଡିଜ୍ ୩ଟି ଓ ଜିମ୍ବାୱେ ଗୋଟିଏ ମ୍ୟାଚ୍ ଜିତିଛି ।
ଅଲ୍ରାଉଣ୍ଡ୍ ପ୍ରଦର୍ଶନ ବଳରେ ଜିମ୍ବାୱେ ସୁପର-୮ ରାଉଣ୍ଡରେ ପ୍ରବେଶ କରିପାରିଛି । ବ୍ରାଏନ ବେନେଟ, ସିକନ୍ଦର ରାଜା ଫର୍ମରେ ରହିଥିବାବେଳେ ପେସ୍ ବୋଲର ବ୍ଲେସିଂ ମୁଜରବାନି ଓ ବ୍ରାଡ ଇଭାନ୍ସ ଘାତକ ସାବ୍ୟସ୍ତ ହୋଇଛନ୍ତି । ମୁଜରବାନି ୩ଟି ମ୍ୟାଚ୍ ଖେଳି ୮ଟି ୱିକେଟ୍ ନେଇ ସାରିଛନ୍ତି । ଆଜି ଜିମ୍ବାୱେ ବୋଲର ଓ ୱେଷ୍ଟଇଣ୍ଡିଜ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ ।
ଆହୁରି ପଢ଼ନ୍ତୁ : ସୁପର-୮ ମୁକାବିଲା : ୭୬ ରନରେ ହାରିଲା ଭାରତ
ୱେଷ୍ଟଇଣ୍ଡିଜ୍ ଗ୍ରୁପ୍ ପର୍ଯ୍ୟାୟରେ କ୍ରମାନ୍ୱୟରେ ୪ଟି ମ୍ୟାଚ୍ ଜିତିଥିଲା । ଦଳ ସବୁ ବିଭାଗରେ ଭଲ ପ୍ରଦର୍ଶନ କରୁଛି । ଦଳରେ ଏକାଧିକ ପାୱାର ହିଟର ରହିଛନ୍ତି । ଯେଉଁମାନଙ୍କ ନିକଟରେ ଏକାକୀ ମ୍ୟାଚ୍ ଜିତାଇବାର କ୍ଷମତା ରହିଛି । ସାଇ ହୋପ୍, ସିମରନ ହେତମାୟର, ସେରଫାନ ରଦରଫୋର୍ଡ ଫର୍ମରେ ରହିଛନ୍ତି । ସେହିପରି ରୋମାରିଓ ସେଫର୍ଡ ଫିଟ୍ ଘୋଷିତ ହୋଇଛନ୍ତି ଏବଂ ଖେଳିବା ନିଶ୍ଚିତ । ୱାଙ୍ଖଡ଼େର ପ୍ରସ୍ତୁତ ନାଲି ମାଟିର ପିଚ୍ ଉଭୟ ପେସ୍ ଓ ସ୍ପିନରଙ୍କୁ ସୁହାଇବ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଏକାଦଶ
ଜିମ୍ବାୱେ: ବ୍ରାଏନ ବେନେଟ, ତଡ଼ିୱାନଶେ ମାରୁମାନି, ଡିୟନ ମାୟର୍ସ, ସିକନ୍ଦର ରାଜା (ଅଧିନାୟକ), ରାନ୍ ବ୍ରଲ, ଟୋନି ମୁନୟୋଙ୍ଗା, ତାଶିଙ୍ଗା ମୁସେକିୱା, ବ୍ରାଡ୍ ଇଭାନ୍ସ, ୱେଲିଂଟନ ମାସାକାଜା, ଗ୍ରେମ୍ କ୍ରିମର/ରିଚାର୍ଡ ନଗରଭା, ବ୍ଲେସିଂ ମୁଜରବାନି ।
ୱେଷ୍ଟଇଣ୍ଡିଜ୍: ବ୍ରାଣ୍ଡନ କିଙ୍ଗ୍, ସାଇ ହୋପ୍ (ଅଧିନାୟକ), ସିମରନ ହେତମାୟର, ରଷ୍ଟନ ଚେଜ୍, ରୋଭମାନ ପାୱେଲ, ସେରଫାନ ରଦରଫୋର୍ଡ, ଜାସନ ହୋଲ୍ଡର, ରୋମାରିଓ ସେଫର୍ଡ/ମାଥ୍ୟୁ ଫୋର୍ଡ, ଅକିଲ ହୋସେନ, ସମର ଯୋଶେଫ, ଗୁଡାକେଶ ମୋତି ।