ନୂଆଦିଲ୍ଲ, ୩୦/୧ : ଆସୁଛି ଟି-୨୦ ବିଶ୍ବକପ । ଫଟାଫଟ୍ କ୍ରିକେଟ ଦେଖିବେ ଦର୍ଶକେ । ଭାରତରେ ଖେଳାଯିବାକୁ ଥିବା ଏହି ବିଶ୍ବକପ ବେଶ ରୋମାଞ୍ଚକର ହେବାକୁ ଯାଉଛି । ଟି-୨୦ ବିଶ୍ବକପ ଇତିହାସ, ୯ଟି ସିଜିନରେ ୮ ଜଣ ଅଲଗା ଅଲଗା ଅଧିନାୟକ ଉଠାଇଛନ୍ତି ଟ୍ରଫି । କେବଳ ଜଣେ ଅଧିନାୟକ ରହିଛନ୍ତି ଯିଏକି ୨ଥର ଟି-୨୦ ବିଶ୍ବକପ ଜିତାଇବାର ସୌଭାଗ୍ୟ ପାଇଛନ୍ତି ।

୨୦୦୭ ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା ଟି-୨୦ ବିଶ୍ବକପ । ଦକ୍ଷିଣଆଫ୍ରିକାରେ ଖେଳାଯାଇଥିବା ଏହି ବିଶ୍ବକପର ଫାଇନାଲରେ ଭେଟାଭେଟି ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ଯେଉଁଥିରେ ବିଜୟୀ ହୋଇ ପ୍ରଥମ ଟି-୨୦ ବିଶ୍ବକପ ହାତେଇଥିଲା ଭାରତ । ଏହି ଟୁର୍ଣ୍ଣାମେଣ୍ଟ ଅଧିନାୟକ ପଦ ସମ୍ଭାଳିଥିଲେ ଧୋନୀ । ଏହାପରେ ୨୦୦୯ ମସିହାରେ ଖେଳାଯାଇଥିବା ଟି-୨୦ ବିଶ୍ବକପ ହାତେଇଥିଲା ପାକିସ୍ତାନ । ଯାହାର ଅଧିନାୟକ ରହିଥିଲେ ୟୁନୁସ ଖାନ ।

ଏହାପରେ ୨୦୧୦ ମସିହାରେ ଇଂଲଣ୍ଡ ବିଜୟୀ ହୋଇଥିଲା । ଏହି ସମୟରେ ଅଧିନାୟକ ରହିଥିଲେ ପଲ କଲିଂଉଡ୍ । ଏହାପରେ ୨୦୧୪ରେ ଆୟୋଜିତ ଟି-୨୦ ବିଶ୍ବକପରେ ଜିତିଥିଲା ଶ୍ରୀଲଙ୍କା । ଯେଉଁ ସମୟରେ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ ଲସିଥ୍ ମଲିଙ୍ଗା । ତେବେ ଓ୍ବେଷ୍ଟଇଣ୍ଡିଜର ଅଧିନାୟକ ଡାରେନ୍ ସାମି ଦୁଇଥର ଟି-୨୦ ବିଶ୍ବକପ ଜିତାଇଛନ୍ତି । ସେ ୨୦୧୨ ଏବଂ ୨୦୧୬ ମସିହାରେ ଦଳକୁ ଦୁଇଟି ବିଶ୍ବକପ ଉପହାର ଦେଇଛନ୍ତି । ଟି-୨୦ ବିଶ୍ବକପ ଇତିହାସରେ ସେ କେବଳ ଜଣେ ଖେଳାଳି ଯିଏକି ଦୁଇଟି ଟି-୨୦ ବିଶ୍ବକପ ଜିତାଇଛନ୍ତି । ସେପଟେ ୨୦୨୧ ମସିହାରେ ଫିଞ୍ଚଙ୍କ ଅଧିନାୟକତ୍ବରେ ଅଷ୍ଟେ୍ରଲିଆ ଟାଇଟଲ ହାସଲ କରିଥିଲା । ୨୦୨୨ ମସିହାରେ ଇଂଲଣ୍ଡ ଦ୍ବିତୀୟଥର ବିଶ୍ବକପ ଜିତିଥିବାବେଳେ ଅଧିନାୟକ ଥିଲେ ଜସ୍ ବଟଲର । ତେବେ ଶେଷଥର ପାଇଁ ଭାରତ ୨୦୨୪ରେ ଦ୍ବିତୀୟଥର ଲାଗି ଟି-୨୦ ବିଶ୍ବକପ ଘରକୁ ଆଣିଥିଲା । ହିଟମ୍ୟାନ୍ ରୋହିତ ଶର୍ମା ଏହି ବିଜୟୀ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ ।

ଏହାସହ ପଢ଼ନ୍ତୁ : ଟିମ ଇଣ୍ଡିଆରେ ଯୁବରାଜଙ୍କୁ କିଏ କରିଥିଲା ଅପମାନ, ଉଥପ୍ପା କହିଲେ...